Latest Odisha News

BREAKING NEWS

ଘନୀଭୂତ ହେଉଛି ଗଭୀର ଅବପାତ, ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା !

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ଏବଂ ସଂଲଗ୍ନ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଥିବା ଗଭୀର ଅବପାତ ସକ୍ରିୟ ରହିଛି । ଏବେ ଗଭୀର ଅବପାତ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ଶ୍ରୀଲଙ୍କାର ଟ୍ରିନକୋମାଲି ଠାରୁ ପୂର୍ବରେ ୫୦୦ କିଲୋମିଟର ଏବଂ ଚେନ୍ନାଇ ଠାରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୭୭୦ କିଲୋମିଟର ଦୂରରେ ରହିଛି ଗଭୀର ଅବପାତ ।

ଗଭୀର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆଜି ସନ୍ଧ୍ୟା ସୁଦ୍ଧା ଏକ ସାମୁଦ୍ରିକ ଝଡ଼ରେ ପରିଣତ ହେବ । ୮ ତାରିଖ ସକାଳେ ବାତ୍ୟା ଦକ୍ଷିଣପଶ୍ଚିମ ବଙ୍ଗୋପସାଗରର ଉତ୍ତର ତାମିଲନାଡ଼ୁ-ପୁଡୁଚେରୀ ଏବଂ ସଂଲଗ୍ନ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ଆଶଙ୍କା ରହିଛି ।

ବାତ୍ୟା ପ୍ରଭାବ ସିଧାସଳଖ ଓଡ଼ିଶା ଉପରେ ପଡ଼ିବ ନାହିଁ । ବାତ୍ୟାର ବାହ୍ୟ ବଳୟ ସହ ଜଡ଼ିତ ମେଘ ସମୂହ ପ୍ରଭାବରେ ୧୦ ଏବଂ ୧୧ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ଆଗାମୀ ୩ ଦିନ ଯାଏ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ପରବର୍ତ୍ତୀ ୨ ଦିନ ମଧ୍ୟରେ ସମ୍ଭାବ୍ୟ ବାତ୍ୟା ଯୋଗୁଁ ରାଜ୍ୟ ମଧ୍ୟକୁ ସାମୁଦ୍ରିକ ବାୟୁର ମାତ୍ରା ବୃଦ୍ଧି ସହ ରାତ୍ରି ତାପମାତ୍ରା ୨ରୁ  ୩ ଡିଗ୍ରୀ ଯାଏ ବୃଦ୍ଧି ପାଇପାରେ । ଫଳରେ ଶୀତର ପ୍ରକୋପ କମିବ ।

Leave A Reply

Your email address will not be published.