Latest Odisha News

କେନ୍ଦ୍ର-ଦିଲ୍ଲୀ କଳି, ରାଜ୍ୟସଭାରେ ବିଜେପିର ସାଥ୍ ଦେବ କି ବିଜେଡି ?

ଭୁବନେଶ୍ୱର: ଦିଲ୍ଲୀ ଉପରାଜ୍ୟପାଳଙ୍କ କ୍ଷମତାକୁ ନେଇ କେନ୍ଦ୍ର ଅଧ୍ୟାଦେଶ ଆଣିବା ପରେ ଅରବିନ୍ଦ କେଜ୍ରିୱାଲ୍ ସମର୍ଥନ ପାଇଁ ବିରୋଧୀଙ୍କୁ ଅନୁରୋଧ କରିଛନ୍ତି । କହିଛନ୍ତି, ସମସ୍ତେ ବିଲକୁ ରାଜ୍ୟସଭାରେ ବିରୋଧ କରି ବିଜେପିକୁ ହରାଇବା । ୨୦୨୪ ପୂର୍ବରୁ ଏହି ହାର୍ ସେମି ଫାଇନାଲ୍ ହେବ ।

ବିରୋଧୀ ଏକତା କଥା କେଜ୍ରିୱାଲ୍ କହିବା ସହ ଗତକାଲି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟିଥିଲେ । ଆସନ୍ତାକାଲି ମଙ୍ଗଳବାର ମମତା ବାନାର୍ଜୀଙ୍କୁ ଭେଟିବେ । ଆଗକୁ କେଜ୍ରିୱାଲ୍ ବିଜେପି ବିରୋଧୀଙ୍କୁ ଭେଟି ସମର୍ଥନ ପାଇଁ ଅନୁରୋଧ କରିବେ ବୋଲି କହିଛନ୍ତି ।

ଅନ୍ୟପଟେ ରାଜ୍ୟସଭାରେ ସଂଖ୍ୟା କମ୍ ଥିବା ଏନଡିଏ ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ ବିଜେଡି ସହ ୱାଇଏସ୍ଆର୍ କଂଗ୍ରେସର ସମର୍ଥନ ପାଇବ ବୋଲି ଆଶାବାଦୀ ରହିଛି । ଏବେ ରାଜ୍ୟସଭାରେ ଏନଡିଏକୁ ଆଉ ୧୦ ସଭ୍ୟଙ୍କ ସମର୍ଥନ ଆବଶ୍ୟକ । ଉଭୟ ବିଜେଡି ଓ ୱାଇଏସ୍ଆର୍ କଂଗ୍ରେସର ରାଜ୍ୟସଭାରେ ୯ ଜଣ ଲେଖାଏ ସଦସ୍ୟ ଅଛନ୍ତି ।

ବିଜେପି ଓ ଏନଡିଏ ବିରୋଧୀ ମେଣ୍ଟ ଠାରୁ ଯଦିଓ ବିଜେଡି ଦୂରେଇ ରହିଛି ତଥାପି ନୀତିଶ ଓ ମମତା ନବୀନଙ୍କୁ ଭେଟିଛନ୍ତି । ନବୀନ, ବିଜେପି ବିରୋଧୀ କ୍ୟାମ୍ପରେ ସାମିଲ୍ ହେବେ କି ନାହିଁ ସେ ନେଇ ଚର୍ଚ୍ଚା ଆଲୋଚନା ହେଉଥିବା ବେଳେ ନିକଟରେ ସେ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ ।

ତେବେ ଉଭୟ ବିଜେପି ଓ କଂଗ୍ରେସ ଠାରୁ ବିଜେଡି ସମଦୂରତ୍ୱ ରକ୍ଷା କରୁଥିବା ଦୋହରାଇ ଆସୁଛି । ତୃତୀୟ ସାମ୍ମୁଖ୍ୟକୁ ନେଇ ହେଉଥିବା ବିଭିନ୍ନ ବୈଠକରୁ ବି ଦୂରେଇ ରହୁଛି ବିଜେଡି । ୨୦୧୯ ପର ଠାରୁ ବିଜେଡି ସଂସଦରେ ମୋଦି ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ କରିଥିବା ବେଳେ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସବା ପାଇଁ ସମର୍ଥନ ଦେଇଥିଲା ।

 

Leave A Reply

Your email address will not be published.