Latest Odisha News

କୋଭିଡ୍‌ ମୁକାବିଲା; ପଦ୍ମ ପୁରସ୍କାର ପାଇଁ ୩ ଡାକ୍ତରଙ୍କ ନାଁ ସୁପାରିଶ୍‌ କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: କୋଭିଡ୍‌ ମୁକାବିଲାରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ୩ ଜଣ ଡାକ୍ତରଙ୍କ ନାଁ ପଦ୍ମ ପୁରସ୍କାର ପାଇଁ ସୁପାରିଶ୍‌ କରିଛନ୍ତି ଦିଲ୍ଲୀ ସରକାର। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଦିଲ୍ଲୀ ସରକାର ଡ।. ଶିବ କୁମାର ସରିନ, ଡ।. ସୁରେଶ କୁମାର ଏବଂ ଡ।. ସନ୍ଦୀପ ବୁଦ୍ଧିରାଜାଙ୍କ ପଦ୍ମ ପୁରସ୍କାର ପାଇଁ ସୁପାରିଶ୍‌ କରାଯାଇଛି।

ସେ କହିଛନ୍ତି ଯେ ପ୍ରତିବର୍ଷ କେନ୍ଦ୍ର ପଦ୍ମ ପୁରସ୍କାର ପାଇଁ ରାଜ୍ୟ ସରକାରଙ୍କଠାରୁ ସୁପାରିଶ ଲୋଡିଥାଏ ଏବଂ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଏଥର କେବଳ ଡାକ୍ତର ଏବଂ ପାରାମେଡିକାଲ କର୍ମଚାରୀଙ୍କ ନାମ ସୁପାରିଶ କରାଯିବ।

ପଦ୍ମ ପୁରସ୍କାର ପାଇଁ ଦିଲ୍ଲୀ ସରକାରଙ୍କ ଆବେଦନକୁ ଦୃଷ୍ଟିରେ ରଖି ୯,୪୨୭ ଲୋକ ୭୪୦ ମେଡିକାଲ ପ୍ରଫେସନାଲଙ୍କ ନାମ ପରାମର୍ଶ ଦେଇଛନ୍ତି। କେଜ୍ରିୱାଲ କହିଛନ୍ତି ଯେ ଡେପୁଟି ସିଏମ ମନୀଷ ସିସୋଦିଆଙ୍କ ନେତୃତ୍ୱରେ ଏକ କମିଟି ସମସ୍ତ ସୁପାରିଶକୁ ଯାଞ୍ଚ କରି ପଦ୍ମ ପୁରସ୍କାର ପାଇଁ ୩ ଜଣଙ୍କ ନାମ ତାଲିକାଭୁକ୍ତ କରିଛି।

ଆଇଏଲବିଏସ୍ କୁଳପତି ଡ। ଏସ୍‌.କେ ସରିନ ବିଶ୍ୱର ପ୍ରଥମ ପ୍ଲାଜ୍ମା ବ୍ୟାଙ୍କ ପ୍ରତିଷ୍ଠା, ଦିଲ୍ଲୀ ସରକାରଙ୍କ ପ୍ରଥମ ଆରଟି- ପିସିଆର୍‌ ପରୀକ୍ଷା ସୁବିଧା ଏବଂ ଜେନୋମ ସିକ୍ୱେନ୍ସିଙ୍ଗ୍ ଲ୍ୟାବ୍ ଭଳି ସୁବିଧା ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

କେଜ୍ରିୱାଲ ଆହୁରି କହିଛନ୍ତି ଯେ ମେଡିକାଲ ଲୋକ ନାୟକ ହସ୍ପିଟାଲର ନିର୍ଦ୍ଦେଶକ ତଥା ଡ।.  ସୁରେଶ କୁମାର ଦେଶରେ ସର୍ବାଧିକ ସଂଖ୍ୟକ କରୋନା ରୋଗୀଙ୍କ ଚିକିତ୍ସା କରିଥିଲେ, ଦେଶର ଦ୍ୱିତୀୟ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା କରିଥିଲେ ଏବଂ କୋଭିଡ୍‌ ରୋଗୀଙ୍କୁ ସେମାନଙ୍କ ପରିବାର ସହ ଯୋଗାଯୋଗ କରିବାକୁ ଏକ ଭିଡିଓ କନଫରେନ୍ସ ସୁବିଧା ଆରମ୍ଭ କରିଥିଲେ।

ସେ ଏହା ମଧ୍ୟ କହିଛନ୍ତି ଯେ ମ୍ୟାକ୍ସ ହସ୍ପିଟାଲର ଗ୍ରୁପ୍ ମେଡିକାଲ୍ ନିର୍ଦ୍ଦେଶକ ଡ।. ସନ୍ଦୀପ ବୁଦ୍ଧିରାଜା ପ୍ଲାଜ୍‌ମା ଚିକିତ୍ସା ବ୍ୟବହାର କରୁଥିବା ଦେଶର ପ୍ରଥମ ଫିଜିସିଆନ୍‌।

Comments are closed.