Latest Odisha News

BREAKING NEWS

ପୂର୍ବତନ କ୍ରିକେଟର ଯୁବରାଜ ସିଂଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ : ୨୦୦୭ ଟି୨୦ ବିଶ୍ୱକପ୍ ଏବଂ ୨୦୧୧ ଏକଦିବସୀୟ ବିଶ୍ୱକପ୍ ବିଜେତା ଟିମ୍ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । ନିଜର ପର୍ସନାଲିଟି ରାଇଟ୍ସ ବା ବ୍ୟକ୍ତିଗତ ଅଧିକାରର ସୁରକ୍ଷା ପାଇଁ ଯୁବରାଜ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି କରି ଜଷ୍ଟିସ୍ ଜ୍ୟୋତି ସିଂହ ଯୁବରାଜଙ୍କ ନାମ, ଫଟୋ ଓ ବ୍ୟକ୍ତିତ୍ୱର ବେଆଇନ୍ ବ୍ୟବହାର କରୁଥିବା ଆପତ୍ତିଜନକ କଣ୍ଟେଣ୍ଟକୁ ହଟାଇବା ପାଇଁ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିବେ ବୋଲି କହିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ୩୦ ନଭେମ୍ବରରେ ହେବ । କୋର୍ଟରେ ଶୁଣାଣି ସମୟରେ ଯୁବରାଜଙ୍କ ଓକିଲ ଦର୍ଶାଇଥିଲେ ଯେ କେତେକ ବ୍ୟକ୍ତି ଓ ସଂସ୍ଥା ଯୁବରାଜଙ୍କ ବିନା ଅନୁମତିରେ ତାଙ୍କ ନାମ ଓ ବ୍ୟକ୍ତିତ୍ୱର ବ୍ୟବହାର କରି ବ୍ୟବସାୟିକ ଫାଇଦା ପାଇଁ ସାମଗ୍ରୀ ବିକ୍ରି କରୁଛନ୍ତି । ଯୁବରାଜଙ୍କ ଓକିଲ ଏକ ପୋଷ୍ଟ୍ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ, ଯେଉଁଥିରେ ଆପତ୍ତିଜନକ ଓ ଅପମାନଜନକ ମନ୍ତବ୍ୟ ଦିଆଯାଇଥିଲା ।

ଓକିଲ କହିଥିଲେ ଯେ ସମ୍ପୃକ୍ତ ଲିଙ୍କ୍‌ଟି ୨ ବର୍ଷ ପୁରୁଣା । କୋର୍ଟ ଏହି ପୋଷ୍ଟ୍‌ର କୌଣସି ଲିଖିତ ତଥ୍ୟ ନ ଥିବାରୁ ବର୍ତ୍ତମାନ ଏହାକୁ ହଟାଇବା ପାଇଁ ସିଧାସଳଖ ନିର୍ଦ୍ଦେଶ ଦେଇନାହାନ୍ତି ଏବଂ ପରବର୍ତ୍ତୀ ସମୟରେ ଏହା ଉପରେ ବିଚାର କରାଯିବ ବୋଲି କହିଛନ୍ତି। ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, କଣ୍ଟେଣ୍ଟ ଅପଲୋଡ୍ କରିଥିବା ବ୍ୟକ୍ତିମାନଙ୍କର ମଧ୍ୟ କିଛି ଦାୟିତ୍ୱ ରହିଛି । ନିୟମ ଭଙ୍ଗ କରୁଥିବା ୟୁଆରଏଲ ଗୁଡ଼ିକୁ ପ୍ରଥମେ ଅପଲୋଡର୍‌ମାନଙ୍କୁ ୪୮ ଘଣ୍ଟା ମଧ୍ୟରେ ହଟାଇବାକୁ କୁହାଯିବ।   ଯଦି ଅପଲୋଡର୍‌ମାନେ କଣ୍ଟେଣ୍ଟ ନ ହଟାନ୍ତି, ତେବେ ସୋସିଆଲ ମିଡିଆ ଓ ଡିଜିଟାଲ୍ ପ୍ଲାଟଫର୍ମ ଗୁଡ଼ିକ ତାହାକୁ ୩୬ ଘଣ୍ଟା ମଧ୍ୟରେ ହଟାଇବାକୁ ବାଧ୍ୟ ହେବେ । ଭବିଷ୍ୟତରେ ଯଦି କେହି ଏପରି ନିୟମ ଭଙ୍ଗ କରନ୍ତି, ତେବେ ଯୁବରାଜ ସିଂହ ନୂଆ ଆବେଦନ କରିପାରିବେ ଏବଂ କୋର୍ଟ ସେହି ଅନୁସାରେ ରୋକ୍‌କୁ ଆଗକୁ ବଢ଼ାଇବେ।

Leave A Reply

Your email address will not be published.