ନୂଆଦିଲ୍ଲୀ: ପରିଣତ ବୟସରେ ଜଣେ ବ୍ୟକ୍ତି ଭାରତର ରାଜଧାନୀ ଦିଲ୍ଲୀରେ ସମସ୍ତ ପକ୍ଷୀଙ୍କୁ ସୁରକ୍ଷିତ ରଖିବାକୁ ଲକ୍ଷ୍ୟ ରଖିଛନ୍ତି । ଦିଲ୍ଲୀର ଅଶୋକ ବିହାରରେ ରହୁଥିବା ରାକେଶ ଖତ୍ରୀ ନାମକ ଜଣେ ବ୍ୟକ୍ତି ଭାରତର ଏକମାତ୍ର ନେଷ୍ଟ ମ୍ୟାନ୍ ଭାବେ ଜଣାଶୁଣା । ରାକେଶ ଓରଫ ନେଷ୍ଟ ମ୍ୟାନ୍ ବର୍ତ୍ତମାନ ସୁଦ୍ଧା ଅଢେଇ ଲକ୍ଷ ଚଢେଇ ବସା ତିଆରି କରିଥିବା ସୂଚନା ରହିଛି ।
ଚଢେଇଙ୍କ ବସା ନିର୍ମାଣ କରିବା ନେଇ ରାକେଶ ଅନେକ ସମ୍ମାନର ଅଧିକାରୀ ହୋଇଛନ୍ତି । ଏପରିକି ସମସ୍ତ ବୟସର ଲୋକଙ୍କୁ ସେ ଚଢେଇ ବସା ନିର୍ମାଣ କରିବା ଲାଗି ଉତ୍ସାହିତ କରିବା ସହ ନିଃଶୁଳ୍କ ପ୍ରଶିକ୍ଷଣ ମଧ୍ୟ ଦେଇଆସିଛନ୍ତି । କୋଭିଡ୍ ମହାମାରୀ ସମୟରେ ୱେବିନାର୍ ମାଧ୍ୟମରେ ସେ ଅନେକ ଲୋକଙ୍କୁ ଝୋଟ, ପ୍ଲାଷ୍ଟିକ୍, କାଠ ଓ ଘାସ ଜରିଆରେ ବସା ତିଆରି କରିବା ଶିଖାଇଥିଲେ ।
ଏହି ଅନନ୍ୟ ଉଦ୍ୟମ ପାଇଁ ୨୦୧୯ରେ ସର୍ବାଧିକ ଚଢେଇ ବସା ତିଆରି କରିବା ନେଇ ରାକେଶ ଲିମ୍କା ବୁକ୍ ଅଫ୍ ରେକର୍ଡଟ୍ରେ ସ୍ଥାନ ପାଇଥିଲେ । ସେହିଭଳି ଚଢେଇଙ୍କ ସୁରକ୍ଷାରେ ନିଜକୁ ଉତ୍ସର୍ଗିତ କରିଥିବାରୁ ତାଙ୍କୁ ଗ୍ରୀନ୍ ଆପଲ୍ ଆୱାର୍ଡରେ ମଧ୍ୟ ସମ୍ମାନିତ କରାଯାଇଥିଲା ।
ଆଜି ବି ରାକେଶ ନିଜ ଆଖପାଖରେ ଥିବା ଛୋଟଛୋଟ ପିଲାଙ୍କ ସମେତ ଅଭିଭାବକଙ୍କୁ ଚଢେଇ ବସା ପ୍ରସ୍ତୁତ କରିବା କଳାକୌଶଳ ଶିଖାଇଥାନ୍ତି । ଏକ ସାକ୍ଷାତକାର ଅବସରରେ ସେ କହିଥିଲେ, “ଛୋଟବେଳେ ଚଢେଇଙ୍କ ସହ ଖେଳିବା ମୋତେ ବହୁତ ଭଲ ଲାଗୁଥିଲା । ଆଜି ପର୍ଯ୍ୟନ୍ତ ମୁଁ ପ୍ରାୟ ଅଢେଇ ଲକ୍ଷ ବସା ନିର୍ମାଣ କରିସାରିଛି । ମୋ ଜୀବନରେ ମୁଁ ଲକ୍ଷାଧିକ ପିଲାଙ୍କୁ ତାଲିମ୍ ଦେଇଛି । ପ୍ରଥମେ ଲୋକେ ମୋତେ ଥଟ୍ଟା ପରିହାସ କରୁଥିଲେ । ହେଲେ ମୋ ହାତ ତିଆରି ବସାରେ ଚଢେଇମାନେ ରହିବା ପରେ ସେମାନେ ବି ମୋ ନିକଟରୁ ବସା ତିଆରି କୌଶଳ ଶିଖିବାକୁ କୁଣ୍ଠାବୋଧ କରିନଥିଲେ ।”
Comments are closed.