ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତରମନ୍ତରରେ ଆଉ ଆନ୍ଦୋଳନ କରି ହେବ ନାହିଁ। କେନ୍ଦ୍ର ସରକାର ଏହାକୁ ନିର୍ଦ୍ଧାରିତ ଆନ୍ଦୋଳନସ୍ଥଳ ତାଲିକାରୁ ହଟାଇ ଦେଇଛନ୍ତି । ଏହା ବଦଳରେ ଦିଲ୍ଲୀରେ ଅନ୍ୟ ୩ଟି ସ୍ଥାନର ନାମ ଘୋଷଣା କରାଯାଇଛି ।
ଦିଲ୍ଲୀ ପୋଲିସ କମିଶନର ଅନୁରାଗ କୁମାରଙ୍କ ଦ୍ୱାରା ଅକ୍ଟୋବର ୧୧ ତାରିଖରେ ଏକ ସ୍ଥାୟୀ ଆଦେଶ ଅନୁଯାୟୀ, ଜନ୍ତରମନ୍ତର ରେ ଆଉ ପ୍ରଦର୍ଶନକୁ ଅନୁମତି ଦିଆଯିବ ନାହିଁ। ପୂର୍ବ ଦିଲ୍ଲୀର ରାମଲୀଳା ମୈଦାନ, ବୁରାଡ଼ି ମୈଦାନ ଏବଂ ସିବିଡ଼ି ମୈଦାନ ବିରୋଧ ପ୍ରଦର୍ଶନ ପାଇଁ ନୂତନ ସ୍ଥାନ ହେବ।
ତେବେ ରାମଲୀଳା ମଇଦାନରେ ପ୍ରତିବାଦ କରିବା ମହଙ୍ଗା ହୋଇପାରେ, କାରଣ ଏହି ସ୍ଥାନ ଆଗାମୀ ଅଢ଼େଇ ମାସ ପାଇଁ ଉପଲବ୍ଧ ନାହିଁ। ଏହା ପରେ ବୁକିଂ ପାଇଁ ୧ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇପାରେ। ଅଧିକାରୀଙ୍କ ଅନୁଯାୟୀ, ଏହି ୧୨ ଏକର ଭୂମି ଚଳିତ ବର୍ଷ କେବଳ ଡିସେମ୍ବର ୨୯, ୩୦ ଏବଂ ୩୧ ପାଇଁ ବୁକ୍ କରାଯାଇପାରିବ। ଏହି ଭୂମିରେ ୫୦,୦୦୦ ଲୋକଙ୍କୁ ସ୍ଥାନ ଦିଆଯାଇପାରିବ।
ଜଣେ ଅଧିକାରୀ କହିଛନ୍ତି, ଏକ ଦିନ ବୁକିଂର ପ୍ରାରମ୍ଭିକ ମୂଲ୍ୟ ୧.୨୧ ଲକ୍ଷ ଟଙ୍କା। ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ, ଆନ୍ଦୋଳନ ଏବଂ ସଭା ପାଇଁ ଭୂମିର ଏକ ଛୋଟ ଅଂଶ ମାଗଣାରେ ଉପଲବ୍ଧ ଅଛି । କିନ୍ତୁ ସେଠାରେ କେବଳ ୧୫୦ ଜଣ ଲୋକ ଏକାଠି ହୋଇପାରିବେ। ସଂଗଠନ କିମ୍ବା ବାସିନ୍ଦା ଗୋଷ୍ଠୀମାନଙ୍କୁ ରାମଲୀଳା ମୈଦାନରେ ପ୍ରଦର୍ଶନ କରିବା ପାଇଁ ଉଚ୍ଚ ପ୍ରବେଶ ଶୁଳ୍କ ଦେବାକୁ ପଡିବ, ଯାହା ଜନ୍ତରମନ୍ତରରେ ଆବଶ୍ୟକ ନଥିଲା। ଜଣେ ଅଧିକାରୀ କହିଛନ୍ତି, “ଯଦି କୌଣସି ଶୁଳ୍କ ବିନା ସେଠାରେ ପ୍ରଦର୍ଶନକୁ ଅନୁମତି ଦିଆଯାଏ, ତେବେ ପୌର ସଂସ୍ଥା ପ୍ରତିଦିନ ଅତି କମରେ ୫୦,୦୦୦ କିମ୍ବା ତା’ଠାରୁ ଅଧିକ କ୍ଷତି ସହିବ।”
ଏମ୍ସିଡ଼ି ଅଧିକାରୀମାନଙ୍କ କହିବା ଅନୁସାରେ, ଆଗାମୀ ସପ୍ତାହ ଗୁଡ଼ିକରେ ଦଶହରା ଏବଂ ଦୀପାବଳି ଭଳି ପ୍ରମୁଖ ପର୍ବ ପାଖେଇ ଆସୁଥିବାରୁ ରାମଲୀଳା ମୈଦାନ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଉତ୍ସବ ପାଇଁ ପୂର୍ବରୁ ବୁକ୍ ହୋଇସାରିଛି। ତେଣୁ ଏବେ ବୁକିଂ ସମ୍ଭବ ନୁହେଁ ।
ରାମଲୀଳା ଗ୍ରାଉଣ୍ଡ ସଂସଦଠାରୁ ୩-୪ କମି ଦୂରରେ ରହିଛି। ସେହିପରି ବୁରାଡ଼ି ଏବଂ ସିବିଡ଼ି ଗ୍ରାଉଣ୍ଡ ସହରର ଅନ୍ୟ ଭାଗରେ ରହିଛି।

