ବଲାଙ୍ଗୀର: ଲାଂଚ ନେଇ ଧରାପଡିଲେ ଆରଆଇ । ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲ୍ଲା ସଇଁତଲା ରାଜସ୍ୱ ନିରୀକ୍ଷକ । କୃଷି ଜମିକୁ ବାସଗୃହ ଜମିରେ ବଦଳାଇବାକୁ ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ପଂଝାରେ ଆରଆଇ ଆଲନ ବେହେରା । ମଙ୍ଗଳବାର ୩ହଜାର ଟଙ୍କା ଲାଂଚ ମାଗିବା ଓ ନେବା ସମୟରେ ଭିଜିଲାନ୍ସ କବଜାରେ ଆଲନ୍ । ଏକ ମ୍ୟୁଟେସନ ମାମଲାରେ ଫାଇଲ୍ ପ୍ରକ୍ରିୟାକରଣ କରିବାକୁ ଏବଂ ଓ କର୍ତ୍ତୁପକ୍ଷଙ୍କ ନିକଟରେ କ୍ଷେତ୍ର ତଦନ୍ତ ରିପୋର୍ଟ ଦାଖଲ କରିବା ବଦଳରେ ୩ହଜାର ଟଙ୍କା ଲାଂଚ ଦାବି କରିବା ସହ ଗ୍ରହଣ କରିଥିଲେ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସରକାରୀ ନିୟମାବଳୀ ଅନୁସାରେ ଆବେଦନକାରୀ ଗତ ସେପଟମ୍ବେର ୭ତାରିଖରେ ଆବେଦନ କରିଥିଲେ । ହେଲେ ଆରଆଇ ମହୋଦୟ କାରଣ ନଦର୍ଶାଇ କାମ କରୁନଥିଲେ । ଆବେଦନକାରୀ ବହୁ ଥର ଅନୁରୋଧ କରିବା ପରେ ସେ ଆବେଦନକାରୀଙ୍କୁ ୬ହଜାର ଟଙ୍କା ମାଗିଥିଲେ । ଆବେଦନକାରୀ ଅସମର୍ଥ ଥିବା କହିବାରୁ ଆରଆଇ ଲାଂଚ ଟଙ୍କାକୁ ୩ହଜାରକୁ ଖସାଇଦେଲେ । ଶେଷରେ ବାଧ୍ୟହେଇ ଆବେଦନକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହେଲେ । ଆଜି ଓଡିଶା ଭିଜିଲାନ୍ସର ଏକ ଟିମ୍ ପହଂଚି ଲାଂଚ ନେଉଥିବା ବେଳେ ଆରଆଇଙ୍କୁ ଧରିଛନ୍ତି । ଲାଂଚ ଅର୍ଥ ଜବତ କରାଯାଇଛି ।
ଲାଂଚ ନେବା ଅଭିଯୋଗରେ ଧରାପଡିବା ପରେ ଭିଜିଲାନ୍ସ ପକ୍ଷରୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା ଆଧାରରେ ଅଲନ ବେହେରାଙ୍କ ସହ ଜଡିତ ୨ଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି । ଏହାସହ ସମ୍ବଲପୁର ଭିଜିଲାନ୍ସ ଥାନାରେ ପିସି ଆଇନ ଅନୁସାରେ ମାମଲା ରୁଜୁ ହୋଇଛି । ସମ୍ପୃକ୍ତ ଆରଆଇଙ୍କ ବିରୋଧରେ ତଦନ୍ତ ଜାରି ରହିଛି ।

