ପୁରୀ: ମହାପ୍ରଭୁଙ୍କ ବାରମାସରେ ୧୩ ପର୍ବ । ରତ୍ନ ସିଂହାସନରେ ଭଳିକି ଭଳି ବେଶରେ ଭକ୍ତଙ୍କୁ ବିମୋହିତ କରନ୍ତି ତିନି ଠାକୁର । ସେହିପରି ଶ୍ରୀମନ୍ଦିର ଅନନ୍ୟ ପରମ୍ପରା ମଧ୍ୟରୁ ମହାପ୍ରଭୁଙ୍କ ଶ୍ରାଦ୍ଧ ବେଶ ଅନ୍ୟତମ । ମାର୍ଗଶୀର କୃଷ୍ଣ ଚତୁର୍ଦଶୀ , ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦା ୩ ଦିନ ଧରି ନିଜର ପିତୃପୁରୁଷ ମାନଙ୍କ ଉଦ୍ଦେଶ୍ୟରେ ଦୀପ ଦାନ କରନ୍ତି ଠାକୁର । ସତ୍ୟ, ଦ୍ୱାପର ଓ ତ୍ରେତୟା ଯୁଗର ପିତୃପୁରୁଷଙ୍କୁ ଠାକୁରେ ଶ୍ରାଦ୍ଧ ଦେବେ ।
ଯେମିତି ଆମେ ଦୀପାବଳୀ ପୂର୍ବରୁ ମଉଳା ଶ୍ରାଦ୍ଧ ଦେଇ ଦୀପାବଳିରେ ପୂର୍ବ ପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିଥାଉ, ସେହିପରି ତିନି ଠାକୁର ମଧ୍ୟ ସେମାନଙ୍କ ପିତୃପୁରୁଷଙ୍କୁ ଶ୍ରାଦ୍ଧ ପ୍ରଦାନ କରନ୍ତି । ଯାହାକୁ ଶ୍ରୀମନ୍ଦିରରେ ଦେବ ଦୀପାବଳୀ କୁହାଯାଏ । ଆଜିଠାରୁ ଆରମ୍ଭ ହୋଇଥିବା ଏହି ପରମ୍ପରା ୩ ଦିନ ଧରି ଚାଲିବ । ଆଜି ପ୍ରଥମ ଦିନ କୃଷ୍ଣଚତୁର୍ଦଶୀରେ ସତ୍ୟ ଯୁଗର ଅଦିତି-କଚ୍ଛପଙ୍କୁ ଶ୍ରାଦ୍ଧ ଦେବା ସହ ଦୀପଦାନ କରିବେ ମହାପ୍ରଭୁ, ଏହାପରେ ଅମାବାସ୍ୟା ତିଥିରେ ଦ୍ବାପର ଯୁଗର ଦଶରଥ-କୋଶଲ୍ୟା-କୈକୟୀ-ସୁମିତ୍ରା ଏବଂ ଶୁକ୍ଳ ପ୍ରତିପଦାରେ ତ୍ରେତୟା ଯୁଗର ନନ୍ଦ-ଯଶୋଦା , ବସୁଦେବ-ଦେବକୀ ଏବଂ ରାଜା ଇନ୍ଦ୍ରଦ୍ୟୁମ୍ନ- ରାଣୀ ଗୁଣ୍ଡିଚା ଙ୍କ ଉଦେଶ୍ୟ ରେ ଦୀପଦାନ କରିବେ ୩ ଠାକୁର । ଏହି ୩ ଦିନ ଧରି ମହାପ୍ରଭୁ ତାଙ୍କ ପିତୃ ପିତାମହ ଆଦିଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଉତ୍ସର୍ଗ କରନ୍ତି ।
ଏହି ଦେବ ଦୀପାବଳି ଉତ୍ସବ ପାଳିତ ହେବା ସହ ସନ୍ଧ୍ୟାରେ ଠାକୁରଙ୍କ ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେବ । ଶ୍ଵେତ ବସ୍ତ୍ର ପରିଧାନ କରିବେ ଶ୍ରୀବିଗ୍ରହ। ଏହାସହ ସ୍ଵର୍ଣ୍ଣ ଅଳଙ୍କାରରେ ମହାପ୍ରଭୁଙ୍କୁ ବିଭୂଷିତ କରାଯିବ। ପୂଜାପଣ୍ଡାମାନେ ପିଣ୍ଡଦାନ କରନ୍ତି। ଶ୍ରାଦ୍ଧ ନୀତି ସରିବା ପରେ ମନ୍ଦିର ଚୂଡ଼ାକୁ ମହାଦୀପ ଉଠିଥାଏ ।ଏଥିସହ ଚୁନରା ସେବକ ବଡ଼ ଓଡ଼ିଆ ମଠ ପ୍ରଦତ୍ତ ତେଲ , ଘିଅ ନେଇ ଅଁଳା ବେଢ଼ା ଉପରେ ଦୀପମାନ ଜାଳନ୍ତି ଓ ଚନ୍ଦ୍ରଉଡ଼ିଆ ଜାଳି ଗଜପତି ମହାରାଜଙ୍କ ନାମ ଉଚ୍ଚାରଣ ପୂର୍ବକ ତାଙ୍କ ମଙ୍ଗଳ କାମନା କରିଥାନ୍ତି।
ବିଶ୍ୱର ମଙ୍ଗଳ କାମନା ଓ ହିନ୍ଦୁ ପରମ୍ପରାକୁ ରକ୍ଷା କରିବା ମହାପ୍ରଭୁଙ୍କ ଏହି ଅନ୍ୟନ୍ୟ ପରମ୍ପରାର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ଏହି ଦେବ ଦୀପାବଳିକୁ ବହୁ ଧୂମଧାମରେ ପାଳନ କରନ୍ତି ପୁରୀବାସୀ । ଘରେ ଘରେ ଦୀପାବଳି ଭଳି ଦୀପ ଜାଳି ସମସ୍ତଙ୍କ ମଙ୍ଗଳ କାମନା କରିଥାନ୍ତି । ତେବେ ଅଯୋଧ୍ୟାରେ ଦେବ ଦୀପାବଳି ପ୍ରତିବର୍ଷ ଆୟୋଜିତ ହେଉଥିବାବେଳେ, ୨୦୨୧ ମସିହାରୁ ଏହି ପରମ୍ପରା ପୁରୀରେ ମହାଆଡମ୍ବରରେ ପାଳିତ ହୋଇଆସୁଛି ।
ପୁରୀରୁ ସନ୍ତୋଷ କୁମାର ଦାସଙ୍କ ରିପୋର୍ଟ ଓଡିଶା ସମ୍ବାଦ
Comments are closed.