ନୂଆଦିଲ୍ଲୀ: ସେନା ବନାମ ସେନା ଲଢେଇରେ ଉଦ୍ଧବଙ୍କୁ ବଡ ଝଟକା। ଉଦ୍ଧବ ଠାକରେଙ୍କ ସେନା ବଦଳରେ ଏକନାଥ ସିନ୍ଦେଙ୍କ ସେନାକୁ ଭରସା କଲେ ମହାରାଷ୍ଟ୍ର ଜନତା। ୯୪ଟି ବିଧାନସଭା ସିଟ୍ ଲଢିଥିବା ଉଦ୍ଧବଙ୍କ ସେନା ମାତ୍ର ୨୦ଟିରେ ଜିତିଛି । ଯେବେକି ଏକନାଥ ସିନ୍ଦେଙ୍କ ଶିବସେନା ୮୫ଟି ସିଟ ଲଢି ୫୭ଟିରେ ବିଜୟୀ ହୋଇଛି । କେବଳ ବିଧାନସଭା ଲଢେଇ ନୁହେଁ ଅସଲି ନକଲିର ଲଢେଇରେ ବି ବାଜିମାତ୍ କରିଛନ୍ତି ସିନ୍ଦେ । ୨୦୨୨ରେ ଶିବସେନା ବିଭାଜନ ପରେ ବିଧାନସଭା ନିର୍ବାଚନ ଉଭୟ ଉଦ୍ଧବ ଓ ସିନ୍ଦେଙ୍କ ପାଇଁ ଲିଟମସ୍ ଟେଷ୍ଟ ଥିଲା । ଯେଉଁଥିରେ ଏକନାଥ ସିନ୍ଦେ ନିଜକୁ ବାଲା ସାହବ ଠାକରେଙ୍କ ଲିଗାସିର ପ୍ରକୃତ ହକଦାର ଭାବେ ପ୍ରମାଣିତ କରିଛନ୍ତି । ସେପଟେ ଉଦ୍ଧବଙ୍କ ପାଇଁ ଏବେ ନିଜ ରାଜନୈତିକ ଅସ୍ତିତ୍ବ ବଞ୍ଚାଇବା ସବୁଠୁ ବଡ ଚ୍ୟାଲେଞ୍ଜ ପାଲଟିଛି ।
ଉଦ୍ଧବଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ
ନିର୍ବାଚନରେ ବଡ ପରାଜୟ ପରେ ଏବେ ଦଳ ବଞ୍ଚାଇବା ଉଦ୍ଧବଙ୍କ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ । ତୃଣମୂଳସ୍ତରର କର୍ମୀ ହୁଅନ୍ତୁ କି ଦଳର ନେତା, ବିଶ୍ବାସନୀୟତା ବଜାୟ ରଖିବାକୁ ଉଦ୍ୟମ କରିବା ଆବଶ୍ୟକ । କାରଣ ବାଲ ଠାକରେ ଲିଗାସି ଯୁଦ୍ଧରେ ଏକପ୍ରକାର ସିନ୍ଦେଙ୍କ ସପକ୍ଷରେ ଜନାଦେଶ ଆସି ସାରିଛି । ତେଣୁ ସିନ୍ଦେ ଗୋଷ୍ଠୀ ପ୍ରତି ଶିବସେନାର ନେତା ଓ କର୍ମୀ ଢଳିବା ସ୍ବାଭାବିକ । ଏପରିକି ବିଧାନସଭା ନିର୍ବାଚନରେ ବିଜୟୀ ବିଧାୟକଙ୍କ ଦଳବଦଳ ଆଶଙ୍କା ବି ରହିଛି । ଆଗକୁ ବିଏମସି ନିର୍ବାଚନ ଥିବା ବେଳେ ଏବେଠୁ ଉଦ୍ଧବ ଠାକରେଙ୍କୁ ସମସ୍ତଙ୍କୁ ଏକଜୁଟ୍ କରିବା ନେଇ ସ୍ବତନ୍ତ୍ର ରଣନୀତି କରିବାକୁ ପଡିବ ।
ଏମଭିଏରୁ ବାହାରିଯିବେ କି ଉଦ୍ଧବ?
ନିର୍ବାଚନରେ କଡା ପରାଜୟ ପଛରେ ରାଜନୈତିକ ବିଚାରଧାରାର ବିଭେଦକୁ ବି କାରଣ କୁହାଯାଉଛି । କ୍ଷମତା ପାଇଁ ପାରମ୍ପରିକ ବିରୋଧୀ କଂଗ୍ରେସ ଓ ଏନସିପି ସହ ହାତ ମିଳାଇଥିଲେ ଉଦ୍ଧବ ଠାକରେ । ଫଳରେ ନିଜ କୋର ଭୋଟ୍ ହରାଇଥିଲେ । ଏହାକୁ ନେଇ ବାଲ ଠାକରେଙ୍କ ବିଚାରଧାରା ସହ ଉଦ୍ଧବ ପ୍ରତାରଣା କରିଥିବା ନେଇ ବି ସିନ୍ଦେ ଗୋଷ୍ଠୀ ଅଭିଯୋଗ କରିଥିଲେ । ମହାରାଷ୍ଟ୍ର ରାଜନୀତିରେ ନିଜ ଅସ୍ତିତ୍ବ ବଞ୍ଚାଇ ରଖିବାକୁ ହେଲେ ଉଦ୍ଧବ ଠାକରେଙ୍କୁ ନିଜ କୋର ଭୋଟରଙ୍କ ସହ ପୁଣି ଯୋଡି ହେବାକୁ ପଡିବ । ନିର୍ବାଚନ ଫଳାଫଳ ବାହାରିବା ପରେ ଦଳର ବିଧାୟକ ବି ୟୁବିଟିକୁ କୌଣସି ମେଣ୍ଟ ଉପରେ ନିର୍ଭରଶୀଳ ନହୋଇ ଏକା ଲଢିବାକୁ କହିଲେଣି । ଆଗରୁ ବିଏମସି ନିର୍ବାଚନ ହେଉଥିବା ବେଳେ ବଡ ନିଷ୍ପତ୍ତି ନେଇପାରନ୍ତି ଉଦ୍ଧବ ଠାକରେ ।
ଆଶ୍ବସ୍ତ କରିଛି ମୁମ୍ବାଇ
ନିର୍ବାଚନରେ ଖରାପ ପରଫର୍ମାନ୍ସ ମଧ୍ୟରେ ଉଦ୍ଧବ ଠାକରେଙ୍କ ଶିବସେନାକୁ ମୁମ୍ବାଇ କିଛିଟା ଆଶ୍ବସ୍ତ କରିଛି । ମୁମ୍ବାଇରେ ୨୦ରୁ ୧୦ଟି ସିଟ୍ ଜିତିଛି ଉଦ୍ଧବଙ୍କ ଦଳ । ଏହା ମଧ୍ୟରୁ ୮ଟି ସିଟରେ ଉଦ୍ଧବଙ୍କ ଶିବସେନାର ବିଜୟ ପାଇଁ ମହାରାଷ୍ଟ୍ର ନବନିର୍ମାଣ ସେନା ବଡ ଭୂମିକା ନେଇଛି । ଭୋଟ୍ ବିଭାଜନ ଯୋଗୁଁ ଏକନାଥ ସିନ୍ଦେଙ୍କ ଶିବସେନା ଏସବୁ ସିଟରେ କ୍ଷତି ସହିଥିବା ବେଳେ ବିଜୟୀ ହୋଇଛି ଉଦ୍ଧବଙ୍କ ଶିବସେନା । ରାଜ ଠାକରେଙ୍କ ଏମଏନଏସ କୌଣସି ସିଟ୍ ଜିତିନଥିଲେ ମଧ୍ୟ ମୁମ୍ବାଇର ବିଭିନ୍ନ ସିଟରେ ଫଳାଫଳ ଉପରେ ପ୍ରଭାବ ପକାଇଛି । ମୁମ୍ବାଇ ବିଜୟକୁ ନେଇ ବିଏମସି ନିର୍ବାଚନ ପାଇଁ ଅଙ୍କ କଷିପାରନ୍ତି ଉଦ୍ଧବ ।
ଗତ ୫ବର୍ଷ ମଧ୍ୟରେ ଅନେକ ରାଜନୈତିକ ଟୁଇଷ୍ଟ ଦେଖିଛନ୍ତି ଉଦ୍ଧବ ଠାକରେ । କ୍ଷମତାର ନୂଆ ସମୀକରଣ କଷିଛନ୍ତି ତ ପୁରୁଣା ସାଥୀ ହାତ ଛାଡି ଅଲଗା ହୋଇଛନ୍ତି । ଲୋକସଭା ନିର୍ବାଚନର ମାତ୍ର ୫ମାସ ମଧ୍ୟରେ ହିଁ ବଦଳିଯାଇଛି ଜନମତ । ନିର୍ବାଚନ ପୂର୍ବରୁ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ପାଇଁ ଦଳ ଦାବି କରୁଥିବା ବେଳେ, ଏବେ ମହାରାଷ୍ଟ୍ର ରାଜନୀତିରେ ନିଜ ଅସ୍ତିତ୍ବ ବଜାୟ ରଖିବାକୁ ସଂଘର୍ଷ କରୁଛନ୍ତି । ଆଗକୁ ଉଦ୍ଧବ ଏମଭିଏରେ ରହିବେ କି ନାହିଁ? ପୁଣି କଟ୍ଟର ହିନ୍ଦୁତ୍ବ ରାଜନୀତିକୁ ଆପଣାଇବେ କି ? ଦଳ ଓ ନେତାଙ୍କ ମନୋବଳକୁ କେମିତି ପୁଣି ଟ୍ରାକକୁ ଆଣିବେ? କେମିତି ନିଜ କୋର୍ ଭୋଟରଙ୍କୁ ସାଥୀରେ ଆଣିବେ? ତୃଣମୂଳସ୍ତରରୁ ଦଳକୁ ପୁନର୍ଗଠନ ପାଇଁ କେଉଁ ପଦକ୍ଷେପ ନେବେ? ବିଏମସି ନିର୍ବାଚନରେ ପୁଣି ଦମ୍ ଦେଖାଇବେ କି? ତାଉପରେ ନଜର ରହିବ ।
Comments are closed.