ଚେନ୍ନାଇ: ସାଉଥ ସୁପରଷ୍ଟାର ଧନୁଷ ଏବଂ ନୟନତାରାଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉନି। ଉଭୟଙ୍କ ମଧ୍ୟରେ ଆଇନଗତ ଲଢେଇ ଚାଲିଥିବା ବେଳେ ଏବେ ସୋସିଆଲ ମିଡିଆରେ ମୁହାଁମୁହିଁ ହେଉଛନ୍ତି।
ନିକଟରେ ଧନୁଷ, ନୟନତାରାଙ୍କ ବିରୋଧରେ ଏକ ଆଇନଗତ ନୋଟିସ୍ ଜାରି କରିଥିଲେ। ଯାହା ପରେ ନୟନତାରା ମଧ୍ୟ ନାମ ନନେଇ ଧନୁଷଙ୍କ ଉପରେ ବର୍ଷିଛନ୍ତି। ନିକଟରେ ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି କହିଛନ୍ତି, ‘ଯେତେବେଳେ ତୁମେ ମିଛରେ କାହାର ଜୀବନକୁ ନଷ୍ଟ କର, ଏହାକୁ ଋଣ ରୂପେ ଗ୍ରହଣ କରିବ। କାରଣ ଏହା ସୁଧ ସହିତ ତୁମ ପାଖକୁ ଫେରି ଆସିବ।’
ସୂଚନାଯୋଗ୍ୟ, ନୟନତାରା ନିଜର ଜୀବନ ଏବଂ କ୍ୟାରିୟର ଉପରେ ଆଧାରିତ ନେଟଫ୍ଲିକ୍ସ ଡକ୍ୟୁମେଣ୍ଟାରୀ ‘ନୟନତାରା: ବିଅଣ୍ଡ୍ ଫେରି ଟେଲ୍’ ଡକ୍ୟୁମେଣ୍ଟାରୀ ପାଇଁ ଲାଇମ୍ ଲାଇଟରେ ରହିଛନ୍ତି। ଏହି ଡକ୍ୟୁମେଣ୍ଟାରୀରେ ତାମିଲ ଚଳଚ୍ଚିତ୍ର ‘ନାନୁମ୍ ରାଊଡି ଧାନ’ର ସଂଗୀତ ବ୍ୟବହାର ହୋଇଥିଲା, ଯାହାକୁ ନେଇ ବିବାଦ ଜୋରଧରିଛି। ‘ନାନୁମ୍ ରାଊଡି ଧାନ’ର ସଂଗୀତ ବ୍ୟବହାର କରିବା ପାଇଁ ଦୀର୍ଘ ଦିନ ଧରି ଧନୁଷଙ୍କଠାରୁ ଅନୁମତି ନେବାକୁ ଚେଷ୍ଟା କରୁଥିବାବେଳେ ଧନୁଷଙ୍କ ଟିମ ଏଥି ପାଇଁ ମନା କରିଦେଇଥିଲେ। ଏହାପରେ ସାଉଥ ସୁପରଷ୍ଟାର ଧନୁଷ କପିରାଇଟ୍ ନେଇ ଡକ୍ୟୁମେଣ୍ଟାରୀ ଉପରେ ୧୦କୋଟି ଟଙ୍କାର ଆଇନଗତ ନୋଟିସ୍ ମଧ୍ଯ ପଠାଇଥିଲେ। ‘ତେବେ ଡକ୍ୟୁମେଣ୍ଟାରୀ ଟ୍ରେଲରରେ ‘ନାନୁମ୍ ରାଊଡି ଧାନ’ ଫିଲ୍ମର ତିନି ସେକେଣ୍ଡର ଗୀତ ଏବଂ ଭିଜୁଆଲ୍ ବ୍ୟବହାର ପାଇଁ ତାଙ୍କୁ ଧନୁଷଙ୍କ ଟିମ ତରଫରୁ ଆଇନଗତ ନୋଟିସ୍ ମିଳିଥିବାରୁ ଆଶ୍ଚର୍ଯ୍ୟ ବୋଲି ନୟନତାରା ପ୍ରକାଶ କରିଥିଲେ ।
Comments are closed.