Latest Odisha News

ବିଜେଡି ସୁପ୍ରିମୋଙ୍କୁ ଭେଟିଲେ ଦେବେଶ; କହିଲେ,’ସାଧାରଣ ନିର୍ବାଚନରେ ହ୍ୟାଟ୍ରିକ ବିଜୟ ହାସଲ କରିବି’

ଭୁବନେଶ୍ବର: ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦେବେଶ ଆଚାର୍ଯ୍ୟଙ୍କ ନାଁ ପ୍ରାର୍ଥୀଭାବେ ଘୋଷଣା କରିଛନ୍ତି । ଏହାକୁ ମିଶାଇ କ୍ରମାଗତ ତିନି ଥର ହେବ ଦେବେଶ ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢିବେ । ଏନେଇ ବରଗଡ଼ ନିର୍ବାଚନ ମଣ୍ଡଳୀର ତାଙ୍କ ସମର୍ଥକଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି ।

ଏହା ପୂର୍ବରୁ ସେ ଉକ୍ତ ନିର୍ବାଚନ ମଣ୍ଡଳୀରୁ ସାଧାରଣ ନିର୍ବାଚନରେ ୨୦୧୪ ଓ ୨୦୧୯ ମସିହାରେ ଦୁଇ ଥର ବିଧାୟକ ନିର୍ବାଚିତ ହୋଇସାରିଛନ୍ତି । ତେବେ ପୁଣି ଥରେ ସେ ଆସନ୍ତା ସାଧାରଣ ନିର୍ବାଚନରେ ହ୍ୟାଟ୍ରିକ ବିଜୟ ହାସଲ କରିବା ପାଇଁ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ବରଗଡ଼ ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତିକୁ ଆହୁରି ତ୍ୱରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୁଣି ଥରେ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଦେବେଶ ଆଜି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦେବେଶଙ୍କୁ ଆଶୀର୍ବାଦ ପ୍ରଦାନ କରିବା ସହିତ ଲୋକଙ୍କ ସେବାରେ ନିଜକୁ ନିୟୋଜିତ ରଖି ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଉଦ୍ୟମ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ।

ତେବେ ପ୍ରାର୍ଥୀ ଘୋଷଣା ହେବା ପରେ ଗତକାଲି ବରଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ହୋଇଥିବା ଦେବେଶ ଆଚାର୍ଯ୍ୟ ଶହ ଶହ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଯାଇ ମା’ ସମଲେଇଙ୍କ ଦର୍ଶନ କରିଥିଲେ । ଏହାସହ ବରଗଡର ବିଭିନ୍ନ ଦେବାଦେବୀଙ୍କ ମନ୍ଦିରକୁ ଯାଇ ଆଶିର୍ବାଦ ଭିକ୍ଷା କରିଥିଲେ ।

Leave A Reply

Your email address will not be published.