Latest Odisha News

BREAKING NEWS

ମହାଳୟାରେ ପିତୃପକ୍ଷଙ୍କୁ ପିଣ୍ଡଦାନ

ପୁରୀ: ପବିତ୍ର ମହାଳୟା ଶ୍ରାଦ୍ଧ | ସୂର୍ଯ୍ୟ କନ୍ୟା ରାଶିରେ ଥିବା ସମୟରେ ଯେଉଁ ଅମାବାସ୍ୟା ପଡିଥାଏ ତାହା ମହାଳୟା ନାମରେ ନାମିତ | ଏହି ଦିନ ଶ୍ରାଦ୍ଧ ଦେବାର ଵିଧି ରହିଛି | ଏହିଦିନ ଯେଉଁ ଶ୍ରାଦ୍ଧ ବା ପିଣ୍ଡଦାନ କରାଯାଏ ସେଥିରେ ପିତୃପୁରୁଷଙ୍କ ପୂର୍ଣ୍ଣ ପ୍ରାପ୍ତି ହୋଇଥାଏ | ଏହି ପିଣ୍ଡଦାନ ଦ୍ୱାରା ପିତୃ ତଥା ମାତାଙ୍କ ସହ ତିନି ପୁରୁଷ ଏପରିକି ମାମୁଁ ଘରର ପିତୃପୁରୁଷ ମାନଙ୍କୁ ପିଣ୍ଡଦାନ ଓ ପୂଜନ କରାଯାଇଥାଏ | ବିଶ୍ୱାସ ଅଛି ଆଜିର ଦିନରେ ଶ୍ରାଦ୍ଧ, ପିଣ୍ଡଦାନ ତଥା ତର୍ପଣ କଲେ ପିତୃପୁରୁଷଙ୍କ ଆତ୍ମାକୁ ଶାନ୍ତି ମିଳିଵା ସହ ସେମାନେ ନିଜ ନିଜ ପରିବାରକୁ ଆଶୀର୍ବାଦ ପ୍ରଦାନ କରିଥାନ୍ତି ବୋଲି କୁହାଯାଏ |

ଶ୍ରୀକ୍ଷେତ୍ରରେ ହଜାର ହଜାର ଭକ୍ତ ପବିତ୍ର ମହାଳୟା ଅମାଵାସ୍ୟା ଅବସରରେ ପିଣ୍ଡଦାନ କରିଛନ୍ତି | ଆଜି ପିତୃପକ୍ଷ ଲୋକମାନଙ୍କର ଆତ୍ମାର ସଦ୍ଗତି କାମନା କରି ପଞ୍ଚ ପୁଷ୍କରିଣୀରେ ଶ୍ରଦ୍ଧାଳୁ ମାନେ ଶ୍ରାଦ୍ଧ ଦେଇଛନ୍ତି | ଆସ୍ବୀନ ମାସ କୃଷ୍ଣପକ୍ଷ ପ୍ରତିପଦା ଠାରୁ ଆରମ୍ଭ ହୋଇଥିବା ପିତୃପକ୍ଷର ଆଜି ଶେଷ ଦିବସ ହୋଇଥିବାରୁ ଶ୍ରାଦ୍ଧ ଦେବା ଓ ପିଣ୍ଡଦାନ କରିବା ପାଇଁ ଶ୍ରୀକ୍ଷେତ୍ରରେ ଆଜି ପ୍ରବଳ ଭିଡ଼ ହୋଇଥିଲା | କିନ୍ତୁ କୋଭିଡ଼ କଟକଣା ଯୋଗୁ ଶ୍ରୀମନ୍ଦିର ଯିବାକୁ ଭକ୍ତଙ୍କୁ ବାରଣ ଥିବାରୁ ଲୋକେ ବାଇଶିପାହାଚରେ ଶ୍ରାଦ୍ଧ ଦେବାରୁ ବଂଚିତ ହୋଇଛନ୍ତି |

ଗତ ପନ୍ଦରଦିନ ଧରି ପିତୃପକ୍ଷ ଚାଲିଥିବା ବେଳେ ଆଜି ହେଉଛି ଏହି ପକ୍ଷର ଅନ୍ତିମ ଦିନ | ପିତୃପୁରୁଷ ମାନଙ୍କ ମୃତ୍ୟୁ ତିଥି ଅନୁସାରେ ଏହି ପନ୍ଦରଦିନ ମଧ୍ୟରେ ଶ୍ରାଦ୍ଧ ଦେବାର ପରମ୍ପରା ରହିଛି | ପିତୃପୁରୁଷଙ୍କ ଆତ୍ମାର ସଦ୍ଗତି ହେତୁ ପିଣ୍ଡଦାନ ଓ ଶ୍ରାଦ୍ଧ ତଥା ତିଳତର୍ପଣର ବ୍ୟବସ୍ଥା କାଳ କାଳରୁ ଚାଲିଆସିଥିବା ବେଳେ ମହାଳୟା ଅବସରରେ ପୂର୍ବଭଳି ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ହୋଇଥିଲା | ବହୁ ସଂଖ୍ୟାରେ ଭକ୍ତମାନେ ଦୂରଦୂରାନ୍ତରୁ ଆସିଥିଲେ ମଧ୍ୟ ଶ୍ରୀମନ୍ଦିର ବାଇଶି ପାହାଚରେ ଶ୍ରାଦ୍ଧ ଦେଇ ନ ପାରି ଶ୍ରୀମନ୍ଦିର ଚତୁର୍ପାଶ୍ୱ, ପଞ୍ଚ ପୁଷ୍କରିଣୀ ଓ ମହୋଦଧିରେ ପିଣ୍ଡଦାନ କରିଛନ୍ତି |

ଆଜିର ଦିବସରେ ପ୍ରତିବର୍ଷ ଶ୍ରୀକ୍ଷେତ୍ରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିବା ବେଳେ କୋଭିଡ଼ କଟକଣା ଯୋଗୁ ଚଳିତବର୍ଷ ବାହାର ଲୋକଙ୍କ ସଂଖ୍ୟା କମ ଥିବା ଦେଖିବାକୁ ମିଳିଥିଲା l

 

Leave A Reply

Your email address will not be published.