Latest Odisha News

BREAKING NEWS

ଶ୍ରୀକୃଷ୍ଣଙ୍କ ଆତ୍ମା – ଶ୍ରୀରାଧା

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ରାଧାଷ୍ଟମୀ । ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରାଣପ୍ରିୟା ଶ୍ରୀରାଧାଙ୍କ ଜନ୍ମତିଥି । ହିନ୍ଦୁ ଶାସ୍ତ୍ରାନୁଯାୟୀ ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଶ୍ରୀରାଧା ଜନ୍ମଗ୍ରହଣ କରିଥିବାରୁ ଆଜିର ଦିନଟି ରାଧାଷ୍ଟମୀ ଭାବେ ପରିଚିତ ।

ଶ୍ରୀରାଧାରାଣୀ ହେଲେ ଶ୍ରୀକୃଷ୍ଣଙ୍କ ଆତ୍ମା ସ୍ୱରୂପ । ଶ୍ରୀକୃଷ୍ଣଙ୍କ ପ୍ରେମିକା ହେଲେ ଶ୍ରୀରାଧା । ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଶ୍ରୀରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତିକୁ ମନ୍ଦିର ତଥା ଘରେ ପୂଜା କରାଯାଇଥାଏ । ଭାବରସ ଓ ଭକ୍ତିଭାବର ଅନ୍ୟନାମ ହେଉଛନ୍ତି ଶ୍ରୀରାଧା । ସଚ୍ଚିଦାନନ୍ଦ ଭଗବତ୍ ପ୍ରେମ ଓ ଭକ୍ତିରେ ଶ୍ରୀରାଧା ଝାସ ଦେଇଛନ୍ତି । ଶ୍ରୀରାଧାଙ୍କ ସ୍ୱଚ୍ଛ ହୃଦୟର ପ୍ରେମ ଓ ଭକ୍ତି ଦ୍ୱାରା ହିଁ ଭଗବାନଙ୍କୁ ସେ ନିଜର କରିପାରିଛନ୍ତି ।

ପୁରାଣ ଶାସ୍ତ୍ର ବର୍ଣ୍ଣନାନୁଯାୟୀ ଶ୍ରୀରାଧା ବର୍ତ୍ତମାନର ଉତ୍ତର ପ୍ରଦେଶ ରାଜ୍ୟର ବରସାନାଠାରେ ଜନ୍ମ ଗ୍ରହଣ କରିଥିଲେ । ଶ୍ରୀରାଧାଙ୍କ ପିତା ଥିଲେ ବୃଷଭାନୁ ଏବଂ ତାଙ୍କର ମାତା ଥିଲେ କୀର୍ତ୍ତିଦେବୀ । ହିନ୍ଦୁମାନେ ବିଶ୍ୱାସ କରିଥାନ୍ତି, ଯେଉଁଠି ଶ୍ରୀରାଧାଙ୍କ ନାମ ଶୁଭେ ସେଠାରେ ଭଗବାନ ଶ୍ରୀକୃଷ୍ଣ ବିଜେ କରିଥାନ୍ତି । ଯେଉଁଠି ଶ୍ରୀରାଧାଙ୍କୁ ସ୍ମୃତିଚାରଣ କରାଯାଇଥାଏ ସେଠାରେ ଶ୍ରୀକୃଷ୍ଣଙ୍କ ସ୍ୱତଃପ୍ରବୃତ୍ତ ଆବିର୍ଭାବ ହୋଇଥାଏ ।

ଭକ୍ତଟିଏ ସ୍ୱଚ୍ଛ ହୃଦୟରେ, କପଟଶୂନ୍ୟ ହୋଇ ଭଗବାନଙ୍କୁ ଭକ୍ତି କଲେ ଭଗବାନ ନିଜେ ଭକ୍ତକୁ ଅନୁସରଣ କରିଥାନ୍ତି । ଭକ୍ତର ଭଗବାନ । ଭଗବାନ ଭକ୍ତର ଭକ୍ତିରେ ସଦା ସର୍ବଦା ବନ୍ଧା । ସେହିପରି ମାଆ ଶ୍ରୀରାଧା ଶ୍ରୀକୃଷ୍ଣ ଭଗବାନଙ୍କ ପ୍ରତି ଅଚଳାଚଳ ଭକ୍ତି କରୁଥିଲେ । ତାଙ୍କ ପ୍ରେମରେ ଥିଲା ଭକ୍ତିଭାବନା । ଶ୍ରୀରାଧା ନିଜର ପ୍ରତ୍ୟେକ ଶ୍ୱାସକ୍ରିୟାରେ ଶ୍ରୀକୃଷ୍ଣଙ୍କୁ ସ୍ମରଣ କରୁଥିଲେ ।

ମନ-ପ୍ରାଣ-ଶରୀର ଓ ଆତ୍ମାକୁ ସମ୍ପୂର୍ଣ୍ଣ ଭାବେ ଶ୍ରୀକୃଷ୍ଣଙ୍କୁ ସମର୍ପିତ କରିଦେଇଥିଲେ । ଶ୍ରୀରାଧା ହେଉଛନ୍ତି ଭକ୍ତିଭାବନାର ପ୍ରତୀକ । ଯେମିତି ଶ୍ରୀକୃଷ୍ଣ ହେଉଛନ୍ତି ଚିର ଆନନ୍ଦର ବିଗ୍ରହ ସେହିପରି ଶ୍ରୀରାଧା ହେଉଛନ୍ତି ଶାଶ୍ୱତ ପ୍ରେମର ପ୍ରତିମୂର୍ତ୍ତି । ତେଣୁ ଭଗବାନ ଶ୍ରୀକୃଷ୍ଣଙ୍କ ଆତ୍ମା ସ୍ୱରୂପିଣୀ ହେଲେ ଶ୍ରୀରାଧା । ତେଣୁ ଯେଉଁ ଭକ୍ତ ଶ୍ରୀରାଧାଙ୍କ ନାମ ଉଚ୍ଚାରଣ କରିଥାଏ ଶ୍ରୀକୃଷ୍ଣ ସେହି ମୂହୁର୍ତ୍ତରେ ଉପସ୍ଥିତ ହୋଇଥାଆନ୍ତି । ତେଣୁ ଭକ୍ତମାନେ ଶ୍ରୀକୃଷ୍ଣଙ୍କୁ ତୁରନ୍ତ ପାଇବାକୁ ଏକ ପବିତ୍ର ମନ୍ତ୍ରକୁ ମନ ମଧ୍ୟରେ ବାରମ୍ବାର ଉଚ୍ଚାରର କରିଥାନ୍ତିି । ଓଁ ଶ୍ରୀ ଶ୍ରୀ ରାଧେକୃଷ୍ଣ ରାଧେକୃଷ୍ଣ ରାଧେକୃଷ୍ଣ କ୍ଳିଂ କୃଷ୍ଣାୟ ଗୋବିନ୍ଦାୟ ଗୋପୀଜନବଲ୍ଲଭାୟ ନମଃ ।

Leave A Reply

Your email address will not be published.