Latest Odisha News

BREAKING NEWS

ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା ସମଲେଶ୍ୱରୀ, ଭୋର ୪ଟାରୁ ଲାଗିଛି ଭକ୍ତଙ୍କ ଭିଡ

ସମ୍ବଲପୁର: ଆଜି ପବିତ୍ର ମହାଳୟା ଅମାବାସ୍ୟା । ଏହି ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବା ମା ସମଲେଶ୍ୱରୀଙ୍କୁ ଧବଳମୁଖୀ ବେଶ କରାଯାଇଛି । ମହାଳୟାରେ ମା ସମଲେଶ୍ୱରୀ ଭକ୍ତଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି । ବର୍ଷର ଅନ୍ୟଦିନରେ ମା ସମଲେଇ ସିନ୍ଦୁର ବର୍ଣ୍ଣରେ ଦର୍ଶନ ଦେଉଥିବା ବେଳେ ମହାଳୟାରେ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି । ମାଙ୍କର ଏହି ବେଶକୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ ଲାଗିଛି ।

ବିଶ୍ୱାସ ରହିଛି କି, ମହାଳୟା ଅବସରରେ ମା ସମଲେଶ୍ୱରୀଙ୍କ ଏହି ଧବଳମୁଖୀ ବେଶକୁ ଦର୍ଶନ କଲେ ଗଙ୍ଗା ଦର୍ଶନର ଲାଭ ମିଳିଥାଏ । ମାଙ୍କ ଏହି ବେଶକୁ ବି ସରସ୍ବତୀ ବେଶ ବା ଗଙ୍ଗା ବେଶ କୁହାଯାଏ I ମହାଳୟାରେ ତିଳତର୍ପଣ ପରେ ଗଙ୍ଗା ଦର୍ଶନ କଲେ ପିତୃପୁରୁଷଙ୍କ ମୋକ୍ଷପ୍ରାପ୍ତି ହୋଇଥାଏ ବୋଲି ବିଶ୍ଵାସ ରହିଛି । ତେବେ ସମସ୍ତଙ୍କ ପକ୍ଷରେ ଗଙ୍ଗା ବେଶ ଦର୍ଶନର ସୁଯୋଗ ମିଳୁନଥିବାରୁ ମାଁ ସମଲେଶ୍ବରୀଙ୍କୁ ଧବଳମୁଖୀ ବା ଗଙ୍ଗା ବେଶରେ ଦର୍ଶନ କଲେ ଅନୁରୂପ ଫଳ ମିଳିଥାଏ ବୋଲି ବିଶ୍ଵାସ ରହିଛି । ଏହି ବେଶରେ ମାଁଙ୍କ ଦେହର ବର୍ଣ୍ଣ ସଂପୂର୍ଣ୍ଣ ଶ୍ବେତ ବା ଧଳା । ବର୍ଷତମାମ ମାଁ ସିନ୍ଦୁର ଚର୍ଚ୍ଚିତା ହେଉଥିବା ବେଳେ ବର୍ଷକ ଥରେ ଚନ୍ଦନ ଚର୍ଚ୍ଚିତା ବେଶ ଧାରଣ କରିଥାନ୍ତି । ଏହି ବେଶରେ ମାଁଙ୍କ ରୂପ ଅତ୍ୟନ୍ତ ଶାନ୍ତ ଓ ସୌମ୍ୟ।

ଗତକାଲି ବିଳମ୍ବିତ ରାତିରେ ପୂଜକମାନେ ମା’ଙ୍କ ଦେହରୁ ସିନ୍ଦୁର ଛଡାଇ ଚନ୍ଦନ ଚର୍ଚ୍ଚିତା କରିଛନ୍ତି। ଏହାପରେ ମା’ଙ୍କ ମଙ୍ଗଳ ଆଳତୀ କରାଯାଇ ଭୋର ୪ଟାରୁ ଭକ୍ତଙ୍କ ପାଇଁ ଦ୍ବାର ଖୋଲିଛି। ସେପଟେ ଭିଡ ଦୃଷ୍ଟିରୁ ଭୋଗ ଏବଂ ଦୀପ ଧୂପ ନେବାକୁ ଭକ୍ତଙ୍କୁ ବାରଣ କରାଯାଇଛି। ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଛି । ମନ୍ଦିରରେ ଅଧିକ ଗହଳି ହେବାର ସମ୍ଭାବନା ଥିବାରୁ କୌଣସି ଭକ୍ତ କିମ୍ବା ଶ୍ରଦ୍ଧାଳୁ ଭୋଗ, ନୈବେଦ୍ୟ ନେଇ ମନ୍ଦିର ଭିତରକୁ ଯାଇ ପାରିବେ ନାହିଁ । ସେମାନେ କେବଳ ଦର୍ଶନ କରିବେ ବୋଲି ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ଗାଇଡ଼ ଲାଇନ ଜାରି କରିଛି । ଏନେଇ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି l

 

Leave A Reply

Your email address will not be published.