Latest Odisha News

BREAKING NEWS

ପବିତ୍ର ମହାଳୟା, ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମାଆ ସୁରେଶ୍ଵରୀ

ସୋନପୁର: ଆଜି ପବିତ୍ର ମହାଳୟା । ଆଶ୍ବିନ କୃଷ୍ଣ ଅମାବାସ୍ୟା ତିଥିରେ ସୋନପୁର ଗଡଜାତର ଇଷ୍ଟଦେବୀ ମାଆ ସୁରେଶ୍ବରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି । ଗଡ଼ଜାତର ମହାବଳୀ ପରମ୍ପରା ଅତି ପ୍ରାଚୀନ ହୋଇଥିବାବେଳେ ବଳୀଯାତ୍ରାରେ ଇଷ୍ଟଦେବୀ ବିଭିନ୍ନ ବେଶ ଧାରଣ କରି ମହାଳୟାରୁ ଦଶମୀ ତିଥି ଯାଏଁ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥାନ୍ତି ।

ଆଜି ସେବାୟତମାନେ ଦେବୀ ମାଆଙ୍କୁ ଧବଳମୁଖୀ ବେଶରେ ସଜ୍ଜିତ କରିଥିବାବେଳେ ଆସନ୍ତାକାଲିଠାରୁ ଦେବୀ ମାଆଙ୍କ ଦଶ ମହାବିଦ୍ୟାର ବିଭିନ୍ନ ଚଣ୍ଡୀ ବେଶ କରିବେ । ତେବେ ଆଜି ସନ୍ଧ୍ୟାରେ ଦେବୀ ପୀଠରେ ମହା ଆରତୀର ଆୟୋଜନ କରାଯିବ । ମହାଆରତୀ ଦର୍ଶନ କରିବା ସହିତ ଦେବୀଙ୍କ ଧବଳମୁଖୀ ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ । ଆସନ୍ତା ରବିବାରଠାରୁ ଦଶହରା ପର୍ଯ୍ୟନ୍ତ ଦେବୀ ମା’ ସୁରେଶ୍ୱରୀ ତାରା, ଛିନ୍ନମସ୍ତା, କାଳୀ, ଭୈରବୀ, ମହିଷାମର୍ଦ୍ଦିନୀ, ରାଜ ରାଜେଶ୍ୱରୀ ଆଦି ବେଶ ଧାରଣ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ଦେବୀଙ୍କ ଦର୍ଶନ ପାଇଁ ପ୍ରତି ସନ୍ଧ୍ୟାରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ ।

ଦେବୀଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର କମିଟି, ମହାବଳୀ ଯାତ୍ରା କମିଟି ଓ ଦେବୋତ୍ତର ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁମାନଙ୍କ ପାଇଁ ମନ୍ଦିର ପରିସରରେ ବିଭିନ୍ନ ସ୍ଥାନରେ ଆବଶ୍ୟକ ସୂଚନା ପ୍ରଦାନ କରାଯାଇଛି । ତେବେ ଆଜି ମଧ୍ୟ ରାତ୍ରରୁ ମହାବଳୀ କାର୍ଯ୍ୟ ହେବାକୁ ଥିବାବେଳେ ଦେବୀଙ୍କ ଦର୍ଶନ ପାଇଁ ସନ୍ଧ୍ୟାରେ ଦେବୀ ପୀଠରେ ବେଶ ଭିଡ଼ ହେବ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.