ଭୁବନେଶ୍ବର: ଭୁବନେଶ୍ବରରେ ଆରମ୍ଭ ହେଲା ଡିଜିପି ସମ୍ମିଳନୀ । ଲୋକସେବା ଭବନରେ ସମ୍ମିଳନୀକୁ ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ଏହି ଅବସରରେ ଉପସ୍ଥିତ ଅଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ତାଙ୍କ ସହ ଯୋଗ ଦେଇଛନ୍ତି ସମଗ୍ର ଦେଶର ଡିଜିପି ଓ ଆଇଜିପି ।
ରାଜଧାନୀରେ ୫୯ତମ ସର୍ବଭାରତୀୟ ପୋଲିସ ଡିଜି-ଆଇଜି ସମ୍ମିଳନୀରେ ଯୋଗ ଦେବାକୁ କିଛି ସମୟ ପୂର୍ବରୁ ଭୁବନେଶ୍ଵରରେ ପହଞ୍ଚିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ । ଏହି ଅବସରରେ କମିଶନରେଟ ପୋଲିସ ପକ୍ଷରୁ ବିମାନବନ୍ଦରରେ ଉଭୟଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା ।
ରାତି ୮ଟା ପର୍ଯ୍ୟନ୍ତ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରାଯିବ । ବୈଠକ ସରିବା ପରେ ଶାହ ଆଇପିଏସ୍ ମେସକୁ ଯାଇ ରାତ୍ରିଯାପନ କରିବେ ବୋଲି ସୂଚନା ମିଳିଛି ।
ସମ୍ମିଳନୀରେ ଯୋଗ ଦେବାକୁ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ମଧ୍ୟ ଆସି ପହଞ୍ଚି ସାରିଛନ୍ତି । ଆଜି ସକାଳୁ ତେଲେଙ୍ଗାନା ଡିଜିପି ଓ ହାଇଦ୍ରାବାଦ ସ୍ଥିତ ନ୍ୟାସନାଲ ପୋଲିସ ଏକାଡେ଼ମୀର ନିର୍ଦ୍ଦେଶକ ଆସି ପହଞ୍ଚିଛନ୍ତି । ଆସାମ ଡିଜିପି, ପୁଡ଼ୁଚେରୀ ଡିଜିପି, ମିଜୋରାମ ଡିଜିପି, ଉତ୍ତରାଖଣ୍ଡ ଡିଜିପି ପହଁଚି ସାରିଛନ୍ତି । ମହାରାଷ୍ଟ୍ର ଡିଜିପି, ପଶ୍ଚିମବଙ୍ଗ ଡିଜିପି ଓ ହିମାଚଳ ପ୍ରଦେଶ ଡିଜିପି ଙ୍କ ସମେତ ପିଏମଓ ଅଫିସ୍ ର ବରିଷ୍ଠ ଅଧିକାରୀ ବି ପହଞ୍ଚିଛନ୍ତି ।
ଆଉ କିଛି ସମୟ ପରେ ପହଞ୍ଚିବେ ପ୍ରଧନାମନ୍ତ୍ରୀ ନରେନ୍ଦ୍ର ମୋଦି । କଡ଼ା ସୁରକ୍ଷା ବଳୟରେ ରହିଛି ଭୁବନେଶ୍ଵର ବିମାନବନ୍ଦର । ସମସ୍ତଙ୍କ ସୁରକ୍ଷା ପାଇଁ କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏପରି କି ଅତିଥିଙ୍କୁ ସ୍ବାଗତ ଓ ସହାୟତା ପାଇଁ ବିମାନବନ୍ଦରରେ କମିଶନରେଟ ପୋଲିସ ପକ୍ଷରୁ କ୍ୟାମ୍ପ ସାଙ୍ଗକୁ ୨ଟି ହେଲ୍ପ ଡେସ୍କ ଖୋଲାଯାଇଛି । ସେହିପରି ସହରର ସମସ୍ତ ଏଣ୍ଟ୍ରି ପଏଣ୍ଟକୁ ସିଲ୍ କରି ପୋଲିସ ଓ ବିଏସଏଫ କଡ଼ା ଯାଞ୍ଚ କରୁଛନ୍ତି ।
ସୂଚନାଯୋଗ୍ୟ, ୩ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ସାମିଲ ହେବେ । ଭାରତର ସୁରକ୍ଷା ବ୍ୟବସ୍ଥା ଉପରେ ଏହି ସମ୍ମିଳନୀରେ ଚର୍ଚ୍ଚା ଓ ଆଲୋଚନା ହେବ ।