ଭୋପାଳ: ଜଳୁଥିବା ମଶାଲରୁ ତେଳ ପଡ଼ିବା ହେଲା କାଳ। ସାମାନ୍ୟ ଅସାବଧାନ ଯୋଗୁଁ ହୁତୁହୁତୁ ହୋଇ ଜଳିଲା ଓ ଆଖି ପିଛୁଳାକେ ନିଆଁ ଚାରିଆଡ଼େ ବ୍ୟାପିଗଲା। ଏହି ଘଟଣାରେ ୫୦ରୁ ଲୋକ ଗୁରୁତର ହୋଇଛନ୍ତି। ଏପରି ଭୟଙ୍କର ଘଟଣା ଘଟିଛି ମଧ୍ୟପ୍ରଦେଶର ଖଣ୍ଡଗାରେ।
ଖଣ୍ଡୱାରର ଘଣ୍ଟାଧର ଛକରେ ଗୁରୁବାର ରାତିରେ ମଶାଲ ଶୋଭାଯାତ୍ରା ବେଳେ ଏପରି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି କାର୍ଯ୍ୟକ୍ରମରେ ହାଇଦ୍ରାବାଦର ଗୌଶାମହାଲ ବିଧାୟକ ଟି ରାଜା ଓ ବିଜେପିର ମହିଳା ନେତ୍ରୀ ନାଜିୟା ଇଲାହୀ ବି ସାମିଲ ହୋଇଥିଲେ। ୨୬/୧୧ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ମଶାଲ ଶୋଭାଯାତ୍ରା ହେଉଥିଲା। ଏଥିରେ ହଜାର ହଜାର ଲୋକ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମ ଶେଷ ପୂର୍ବରୁ ରାତି ପ୍ରାୟ ୧୧ଟା ବେଳେ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଏଥିରେ ହଜାରେ ମଶାଲ ଜାଳିବାର ବ୍ୟବସ୍ଥା ହୋଇଥିଲା। ଅଧ ଘଣ୍ଟା ପରେ ଘଣ୍ଟାଘର ଛକରେ ଏହି କାର୍ଯ୍ୟ ସମାପନ ବେଳେ ଲୋକେ ଧରିଥିବା ମଶାଲ ରଖିଥିଲେ। ଫଳରେ କିଛି ମଶାଲ ତଳେ ପଡ଼ି ସେଥିରୁ ତେଲ ବାହାରି ଅଚାନକ ନିଆଁ ଲାଗି ଯାଇଥିଲା। ଫଳରେ ସେଠାରେ ଉପସ୍ଥିତ ପ୍ରାୟ ୫୦ରୁ ଅଧିକ ଲୋକ ନିଆଁ ଝାସରେ ପଡ଼ି ଯାଇଥିଲେ।
ସେମାନଙ୍କ ଶରୀରର ବହୁ ଅଂଶ ପୋଡ଼ି ଯାଇଛି। ସେମାନଙ୍କୁ ତୁରନ୍ତ ମେଡିକାଲ ନିଆ ଯାଇଥିବା ବେଳେ ୧୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ନିଆଁ ଜଳୁଥିବା ଦେଖି ସଭାସ୍ଥଳରେ ଧାଁଦୌଡ଼ ଆରମ୍ଭ ହୋଇ ଯାଇଥିଲା। ଫଳରେ ତଳେ ପଡ଼ି ବହୁ ଲୋକ ଆହତ ହୋଇଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।
Comments are closed.