Latest Odisha News

BREAKING NEWS

ଡିସେମ୍ବରୁ ୨୭ରୁ ବରଗଡ଼ ଧନୁଯାତ୍ରା; ଦୁଇ ବର୍ଷ ପରେ ଚମକିବ ମୁକ୍ତାକାଶ ରଙ୍ଗମଞ୍ଚ

ବରଗଡ଼: ଦୀର୍ଘ ଦୁଇ ବର୍ଷ ପରେ ଚଳିତ ବର୍ଷ ଅନୁଷ୍ଠିତ ହେଉଛି ବିଶ୍ୱ ପ୍ରସିଦ୍ଧ ଧନୁ ଯାତ୍ରା । କରୋନା ମହାମାରୀ ଅନ୍ତରାଳେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ବନ୍ଦ ରହିଥିଲା ମୁକ୍ତାକାଶ ରଙ୍ଗମଞ୍ଚ ।

ଆସନ୍ତା ଡିସେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ପ୍ରସିଦ୍ଧ ଧନୁ ଯାତ୍ରା । ବୁଧବାର ଧନୁଯାତ୍ରା ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଧନୁଯାତ୍ରା ସାଧାରଣ କମିଟି ବୈଠକ କରି ଏହି ତାରିଖ ଘୋଷଣା କରାଯାଇଛି ।

ମୁକ୍ତାକାଶ ରଙ୍ଗମଞ୍ଚ ଦୁଇ ବର୍ଷ ଧରି ବନ୍ଦ ଥିବାରୁ ଏ ବର୍ଷ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରବଳ । ତେଣୁ ଆଶା ଠାରୁ ଅଧିକ ଭିଡ଼ ଜମିବା ସ୍ୱାଭାବିକ। ସହରରେ ଭିଡ଼ ପରିଚାଳନା ପାଇଁ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ସହ ଯାତ୍ରା ସମୟରେ ଅପରାଧ ରୋକିବା ପାଇଁ ସ୍ପେଶାଲ ଡ୍ରାଇଭ ହେବ ବୋଲି କହିଛନ୍ତି ଏସପି ପରମାର ସ୍ମିତ ପୁରୁଷୋତ୍ତମ ଦାସ ।

ତେବେ ଏଥର ହେବାକୁ ଯାଉଥିବା ଧନୁ ଯାତ୍ରାର ପ୍ଲାଟିନମ ଜୁବଲୀ ପାଳନ ହେବ ବୋଲି କହିଛନ୍ତି କମିଟି ସମ୍ପାଦକ ସୁରେଶ୍ୱରୀ ଶତପଥୀ । ପ୍ରଥମ ବୈଠକରେ କିଛି ସମସ୍ୟା ଆଲୋଚନା ହୋଇଛି ଏବଂ ଆଗାମୀ ବୈଠକରେ ମଧ୍ୟ ଅନ୍ୟ ବିଷୟ ସବୁ ଆଲୋଚନା ହେବ ବୋଲି କହିଛନ୍ତି ଶ୍ରୀ ଶତପଥୀ ।

ବୈଠକ ପରେ ଜିଲ୍ଲପାଳ ମନୀଷା ବାନାର୍ଜୀ କମିଟିର ସଭାପତି ଭାବେ ବିଧିବଧ ଭାବେ ଘୋଷଣା କରିଛନ୍ତି ତାରିଖ । ଆସନ୍ତା ଡିସେମ୍ବର ୨୭ରୁ ଆରମ୍ଭ ହୋଇ ୨୦୨୩ ଜାନୁଆରୀ ୬ ତାରିଖରେ ଶେଷ ହେବ ଧନୁ ଯାତ୍ରା ।

ଧନୁ ଯାତ୍ରାର ୭୫ ବର୍ଷ କିଭଳି ସଫଳ ଭାବେ ଅନୁଷ୍ଠିତ ହେବ, ସୁରକ୍ଷିତ ଯାତ୍ରା ଏବଂ ଭଲ ବ୍ୟବସାୟ ପାଇଁ ବିଭିନ୍ନ ବିଷୟ ମାନ ଆଲୋଚନା ହୋଇଥିବା କହିଛନ୍ତି ମନ୍ତ୍ରୀ ରିତା ସାହୁ ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀମତି ସାହୁଙ୍କ ସହ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବରଗଡ଼ ଆରକ୍ଷୀ ଅଧିକ୍ଷକ ପରମାର ସ୍ମିତ ପୁରୁଷୋତ୍ତମ ଦାଶ, ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ଏବଂ ଧନୁଯାତ୍ରା କମିଟି ସମ୍ପାଦକ, ସମସ୍ତ କାର୍ଯ୍ୟକାରୀ ସଦସ୍ୟ, ଆବାହକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.