Latest Odisha News

BREAKING NEWS

ଓଡ଼ିଶାରେ ମାଡ଼ୁଛି ଜଙ୍ଗଲ ନିଆଁ; ତୁରନ୍ତ ରୋକିବାକୁ କେନ୍ଦ୍ର ପରିବେଶମନ୍ତ୍ରୀଙ୍କୁ ଭେଟିଲେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ବର୍ତ୍ତମାନ ନିଆଁ ଲାଗୁଛି। ଜଙ୍ଗଲ ଜଳିବା ମାତ୍ରା ଜୈବବିବିଧତା ନଷ୍ଟ ହେଉଛି। ଏନେଇ ଚିନ୍ତାବ୍ୟକ୍ତ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତୁରନ୍ତ ଏହାର ସମାଧାନ ପାଇଁ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ପାଣିପାଗ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ଭେଟି ସମସ୍ୟା ବିଷୟରେ ଜଣାଇଛନ୍ତି। ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ଧର୍ମେନ୍ଦ୍ର।

ସେ ଟ୍ୱିଟ୍ କରି ଲେଖିଛନ୍ତି “ ଭୂପେନ୍ଦ୍ର ଯାଦବ ଜୀଙ୍କ ସହିତ ଏକ ବୈଠକ କରି ବଢ଼ୁଥିବା ଜଙ୍ଗଲ ନିଆଁ ଯୋଗୁ କିପରି ଓଡ଼ିଶାର ଜୈବ ବିବିଧତା ନଷ୍ଟ ହେଉଛି ସେ ବିଷୟରେ ଜଣାଇଲି। ଜଙ୍ଗଲନିଆଁ ପରିବେଶ ପ୍ରତି ଅପୂରଣୀୟ କ୍ଷତି ସୃଷ୍ଟି କରିବା ସହ ସ୍ଥାନୀୟ ଲୋକଙ୍କ ଉପରେ ଏହା ଗଭୀର ପ୍ରଭାବ ପକାଉଛି।” ତେଣୁ ଏହାର ତ୍ୱିରତ ସମାଧାନ ପାଇଁ ମନ୍ତ୍ରୀଙ୍କୁ ଅନୁରୋଧ କଲି ବୋଲି ଧର୍ମେନ୍ଦ୍ର କହିଛନ୍ତି।

ସେ କହିଛନ୍ତି “ ଜଙ୍ଗଲ ନିଆଁକୁ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନେବା ସହ ଓଡ଼ିଶାର ବନାଗ୍ନିକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ଫରେଷ୍ଟ ଅଫିସ୍‌ର ଓ ପରିବେଶବିତଙ୍କୁ ନେଇ ଏକ ସଶକ୍ତ କମିଟି ଗଠନ କରି ଏକ ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତ କରିବାକୁ ଅନୁରୋଧ କରିଛି।”

ଏଥିସହିତ ଏକ ଚିଠିରେ ଧର୍ମେନ୍ଦ୍ର ଓଡିଶାରେ ଜଙ୍ଗଲ ନିଆଁ ବିଷୟରେ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ସେ ଚିଠିରେ ଲେଖିଛନ୍ତି ଯେ  ନଭେମ୍ବର ୨୦୨୨ରୁ ଏପର୍ଯ୍ୟନ୍ତ ଓଡ଼ିଶାରେ ୮୭୧ଟି ବଡ଼ ଧରଣର ଜଙ୍ଗଲରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଛି । ଏହା ସାରା ଦେଶରେ ବନାଗ୍ନି ମାମଲାରେ ସବୁଠାରୁ ଆଗରେ ରହିଛି । ଓଡ଼ିଶା ପଛକୁ କର୍ଣ୍ଣାଟକ, ତେଲଙ୍ଗାନା ଓ ମଧ୍ୟ ପ୍ରଦେଶରେ ବି ଜଙ୍ଗଲ ନିଆଁ ଅଧିକ ରହିଛି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଧର୍ମେନ୍ଦ୍ର।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୬୨୫ଟି ବନାଗ୍ନିର ଖବର ସାମ୍ନାକୁ ଆସିଛି। ଓଡ଼ିଶାର ଏହି ଜଙ୍ଗଲ ନିଆଁ ଦେଶର ମୋଟ ଜଙ୍ଗଲ ନିଆଁର ୩୫ ପ୍ରତିଶତ ବୋଲି ଆକଳନ କରାଯାଇଛି । ବିଗତ ଚାରି ମାସରେ ରାଜ୍ୟରେ ଜଙ୍ଗଲ ନିଆଁ କାରଣରୁ ଚାରି ହଜାର ହେକ୍ଟର ନଷ୍ଟ ହୋଇଥିବା ଆକଳନ କରାଯାଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି ।

୨୦୨୧ ମସିହାରେ ଜଙ୍ଗଲ ନିଆଁ ରାଜ୍ୟରେ ବହୁତ ବଡ଼ ଧରଣର ଥିଲା। ରାଜ୍ୟରେ ୫୧ ହଜାର ୯୬୮ଟି ଘଟଣା ସେହି ବର୍ଷ ସାମ୍ନାକୁ ଆସିଥିଲା। ଶିମିଳିପାଳ ଜାତୀୟ ଉଦ୍ୟାନ ଏହା ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା। ଚଳିତ ବର୍ଷ ୨୦୨୧ ମସିହା ଠାରୁ ସ୍ଥିତି ଆହୁରି ସଙ୍ଗୀନ ହେବା ଭଳି ଜଣାପଡ଼ୁଛି ବୋଲି ଶ୍ରୀ ପ୍ରଧାନ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ।

ରାଜ୍ୟ ଜଙ୍ଗଲ ସମେତ ଅଗ୍ନିଶମ ବିଭାଗକୁ ଜଙ୍ଗଲ ନିଆଁର ସାମ୍ନା କରିବା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଇ ଦିଆଯାଇଥିଲେ ମଧ୍ୟ ପରିଚାଳନାଗତ ପ୍ରଶିକ୍ଷଣ ଅଭାବରୁ ଏହାକୁ କାମରେ ଲଗାଯାଇପାରୁନାହିଁ । ସେଥିପାଇଁ ପତ୍ରରେ ଚିନ୍ତାବ୍ୟକ୍ତ କରିଛନ୍ତି ଶ୍ରୀ ପ୍ରଧାନ । ଅନେକ ସ୍ଥାନକୁ ଅଗ୍ନିଶମ ଗାଡ଼ି ପହଞ୍ଚିବା ସମ୍ଭବ ହେଉ ନ ଥିବାରୁ ବନାଗ୍ନି ଲିଭାଇବା ପାଇଁ ହେଲିକପ୍ଟର ଓ ଆକାଶମାର୍ଗରୁ ଅନ୍ୟାନ୍ୟ ଉପାୟର ବ୍ୟବହାର ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି ।

ରାଜ୍ୟରେ ଜଙ୍ଗଲ ନିଆଁକୁ ରୋକିବାକୁ କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟର ଜଙ୍ଗଲ ବିଭାଗ ମଧ୍ୟରେ ମିଳିତ ବୈଠକ କରି ଜଙ୍ଗଲ ନିଆଁର ମୁକାବିଲା ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ଶ୍ରୀ ପ୍ରଧାନ। ଜଙ୍ଗଲ, ଜୈବ ବିବିଧତାର କ୍ଷୟକ୍ଷତି ଆକଳନ ସହ ଜଙ୍ଗଲ ଉପରେ ନିର୍ଭରଶୀଳ ଜନସାଧାରଣଙ୍କ ଜୀବନ ଜୀବିକା ସୁରକ୍ଷା ପାଇଁ ପଦକ୍ଷେପ ନେଇ ଯୋଜନା ପ୍ରସ୍ତୁତ କରିବା ପାଇଁ ଚିଠିରେ ଉଲ୍ଲେଖ ରହିଛି । କେନ୍ଦ୍ର-ରାଜ୍ୟ ପ୍ରତିନିଧି ତଥା ପରିବେଶବିତ ଏବଂ ଜଙ୍ଗଲ ସୁରକ୍ଷାରେ ସାମିଲ ଜନସାଧାରଣଙ୍କୁ ନେଇ ଏକ କ୍ଷମତାସମ୍ପନ୍ନ କମିଟି ଗଠନ ମାଧ୍ୟମରେ ଜଙ୍ଗଲ ନିଆଁ ପ୍ରଶମିତର ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରିବା ପାଇଁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.