Latest Odisha News

ଏନଡିଏଚ୍‌ଏମ୍ ଏବଂ ଆୟୁଷ୍ମାନ ଭାରତ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଅନୁରୋଧ

ଭୁବନେଶ୍ୱର: ଓଡିଶାରେ ଦୁଇ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନା ଯଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ(ଏନଡିଏଚ୍‌ଏମ୍‌) ଏବଂ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେଏୱାଇ) ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ଯୋଜନା ଗୁଡିକ ଓଡିଶାବାସୀଙ୍କ ଜୀବନରେ ଉନ୍ନତି ଆଣିବାରେ ଅପାର ସମ୍ଭାବନାର ସୁଯୋଗ ରଖିଛି ବୋଲି ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି ।

ଏହି ମିଶନ ଟେକ୍ନୋଲୋଜି ମାଧ୍ୟମରେ ଆମ ରାଜ୍ୟର ପ୍ରବାସୀଙ୍କ ସମେତ ଦେଶର ସମସ୍ତ ନାଗରିକଙ୍କୁ ସ୍ୱାସ୍ଥ୍ୟ ସୁବିଧା ଯୋଗାଇଦେବାରେ ସହାୟକ ହେବ। ଏପରିକି ସ୍ୱେଚ୍ଛାକୃତ ସ୍ୱାସ୍ଥ୍ୟସେବା କାର‌୍ୟ୍ୟକ୍ରମ ଜାତୀୟ ଡିଜିଟାଲ୍ ସ୍ୱାସ୍ଥ୍ୟ ମିଶନ ଦେଶରେ ଡିଜିଟାଲ ସ୍ୱାସ୍ଥ୍ୟ ଭିତିଭୂମି ତିଆରି କରିବ।

ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ ଦୂରଦୃଷ୍ଟିରେ ଜାତୀୟ ଡିଜିଟାଲ୍ ସ୍ୱାସ୍ଥ୍ୟ ମିଶନ ସ୍ୱତନ୍ତ୍ର ସ୍ୱାସ୍ଥ୍ୟସେବା ଆଇଡି (ୟୁଏଚ୍‌ଆଇଡି) ମାଧ୍ୟମରେ ଇ-ଗଭର୍ଣ୍ଣାସରେ ଦେଶର ପ୍ରତ୍ୟେକ ନାଗରିକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାରେ ନୂଆ ସ୍ତରକୁ ନେଇଯିବ।

ସ୍ୱତନ୍ତ୍ର ସ୍ୱାସ୍ଥ୍ୟସେବା ଆଇଡି ଦ୍ୱାରା ଦେଶର ପ୍ରତ୍ୟେକ ନାଗରିକ ମାନେ ସବୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଯଥା ମେଡିକାଲ ପରୀକ୍ଷା, ପୂର୍ବ ଔଷଧୀୟ ସୂଚି, ରୋଗ ନିରାକରଣ, ଚିକିତ୍ସା ଉପଚାର, ସବୁ ସ୍ୱାସ୍ଥ୍ୟସେବା ରେକର୍ଡର ସୁବିଧା ଇତ୍ୟାଦି ପାଇପାରିବେ।

ସ୍ୱତନ୍ତ୍ର ସ୍ୱାସ୍ଥ୍ୟସେବା ଆଇଡି ମାଧ୍ୟମରେ ଦେଶର ଲୋକମାନେ ଯେକୌଣସି ସ୍ଥାନରେ ଡାକ୍ତରଙ୍କୁ ଖୋଜି ପାଇପାରିବେ, ସେମାନଙ୍କ ଠାରୁ ସାକ୍ଷାତକାର୍ କରିବା ପାଇଁ ସମୟ ନେଇପାରିବେ, ପେମେଂଟ୍ କରିପାରିବେ, ପ୍ରେସ୍କିପସନ୍‌କୁ ନେଇ ଡାକ୍ତରଙ୍କ ପରାମର୍ଶ ନେବା ସହ ଦେଖା ମଧ୍ୟ କରିପାରିବେ।

ଜାତୀୟ ଡିଜିଟାଲ୍ ସ୍ୱାସ୍ଥ୍ୟ ମିଶନ କେବଳ ଦେଶରେ ସ୍ୱାସ୍ଥ୍ୟସେବା ଯୋଗାଇଦେବାର ଦକ୍ଷତା, କାର୍ଯ୍ୟକାରିତା ଏବଂ ସ୍ୱଚ୍ଛତାକୁ ଉନ୍ନତ କରିବ ନାହିଁ ବରଂ ଆର୍ଥିକ ସଂକଟରୁ ରକ୍ଷା କରିବ।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ‘ସୁସ୍ଥ ଭାରତ’ ଦ୍ୱାରା ଆତ୍ମନିର୍ଭର ଭାରତର ନିର୍ମାଣ ହେଉ ; ବିଶେଷ ଭାବରେ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କ ପାଇଁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଆମ ସମସ୍ତଙ୍କ କଳ୍ପନା ରହିଛି।

ଜାତୀୟ ଡିଜିଟାଲ୍ ସ୍ୱାସ୍ଥ୍ୟ ମିଶନ ସ୍ୱାସ୍ଥ୍ୟସେବା ପ୍ରଦାନ କରୁଥିବା ସଂସ୍ଥାକୁ ମଧ୍ୟ ସଶକ୍ତ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ।

ଜାତୀୟ ସ୍ୱାସ୍ଥ୍ୟ ବିଭାଗ(ଏନ୍‌ଏଚ୍‌ଏ୍‌) ଦ୍ୱାରା ଜାତୀୟ ଡିଜିଟାଲ୍ ସ୍ୱାସ୍ଥ୍ୟ ମିଶନକୁ ବିକଶିତ କରାଯାଇଛି।

ଏହାକୁ କେନ୍ଦ୍ରଶାସିତ ଅଂଚଳ ଯଥା ଚଣ୍ଡିଗଡ, ଲଦାଖ, ଦାଦ୍ରା ଏବଂ ନଗରହାବେଳି, ଡାମନ ଏବଂ ଡିଉ, ପୁଡୁଚେରି, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ଲାକ୍ଷାଦୀପରେ ପାଇଲଟ୍ ମୋଡରେ ଲାଗୁ କରାଯାଉଛି।

ଏହି କାର୍ଯ୍ୟକ୍ରମ ଲାଗୁ ହେଲେ ଓଡିଶାର ଲୋକମାନେ ସଠିକ୍ ସମୟରେ କମ୍ ମୂଲ୍ୟରେ ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି।

 

Leave A Reply

Your email address will not be published.