Latest Odisha News

BREAKING NEWS

କୋଟିଆରେ ଆନ୍ଧ୍ରର ନିର୍ବାଚନକୁ ନେଇ ଚିନ୍ତା ପ୍ରକଟ କଲେ ଧର୍ମେନ୍ଦ୍ର, କହିଲେ- ‘ମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ’

ଭୁବନେଶ୍ୱର: ଓଡ଼ିଶା ଭୂଇଁରେ ଆନ୍ଧ୍ରର ନିର୍ବାଚନ । କୋରାପୁଟ ଜିଲ୍ଲାର ସୀମାନ୍ତ କୋଟିଆରେ ଶନିବାର ବଳପୂର୍ବକ ଫୋର୍ସ ଲଗାଇ ଆନ୍ଧ୍ର ସରକାର ନିର୍ବାଚନ କରାଇଛନ୍ତି । ସୁପ୍ରିମକୋର୍ଟଙ୍କ ନୋଟିସ୍ ସତ୍ତ୍ୱେ ଆନ୍ଧ୍ର ପ୍ରଶାସନ କୋଟିଆରେ ଭୋଟିଂ କରାଇଥିବା ବେଳେ ଏହାକୁ ଚିନ୍ତାର ବିଷୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆମ ରାଜ୍ୟର ଭୌଗଳିକ ସୀମାକୁ ସୁରକ୍ଷିତ କରିବା ଏବଂ ସୀମାନ୍ତ ଅଞ୍ଚଳରେ ରହୁଥିବା ଆମର ଭାଇ ଭଉଣୀ ମାନଙ୍କୁ ଓଡ଼ିଶା ସହ ଯୋଡ଼ି ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଧର୍ମେନ୍ଦ୍ର ଟ୍ୱିଟ୍ କରି ଲେଖିଛନ୍ତି- ‘ଗତକାଲି ଆନ୍ଧ୍ର ଓଡ଼ିଶା ଭୌଗଳିକ ସୀମାରେ ପଶି କୋରାପୁଟ ଜିଲ୍ଲା ହେଉ ଅଥବା ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଓଡ଼ିଶାର ଲୋକମାନଙ୍କୁ ସେ ରାଜ୍ୟର ପଞ୍ଚାୟତ ନିର୍ବାଚନରେ ସାମିଲ କରିବା ପାଇଁ ଉଦ୍ୟମ କରିବା ଖବର ଅତ୍ୟନ୍ତ ଚିନ୍ତାର ବିଷୟ ।’

ଆନ୍ଧ୍ର ହେଉ ଅଥବା ଅନ୍ୟାନ୍ୟ ପଡ଼ୋଶୀ ରାଜ୍ୟ ମାନଙ୍କ ସହ ଆମର ସୀମା ବିବାଦ ଅନେକ ସମୟରେ ତିକ୍ତତା ସୃଷ୍ଟି କରୁଛି । ସମୟ ଥାଉ ଥାଉ ନେଡ଼ି ଗୁଡ଼ କହୁଣିକୁ ବୋହିଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପଯୁକ୍ତ ପଦକ୍ଷେପ ନ ନେଲେ ହୁଏତ ଆମକୁ ଆହୁରି ଖରାପ ସମୟର ସାମ୍ନା କରିବାକୁ ପଡ଼ିପାରେ ବୋଲି ଧର୍ମେନ୍ଦ୍ର କହିଛନ୍ତି । ସରକାର ଆଇନଗତ ପଦକ୍ଷେପ ନେଇଛନ୍ତି । ଏହାକୁ ସଠିକ୍ ଭାବରେ ନିର୍ଣ୍ଣାୟକ ସ୍ଥିତି ପର୍ଯ୍ୟନ୍ତ ନେବେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଆଶାବ୍ୟକ୍ତ କରିଛନ୍ତି ।

ଏଥିସହ ସ୍ଥାନୀୟ ପ୍ରଶାସନ ସୀମାନ୍ତ ଗ୍ରାମ ଗୁଡ଼ିକର ବିକାଶ ଓ ବିଭିନ୍ନ ସରକାରୀ ସେବାକୁ ଗୁରୁତ୍ୱର ସହ ମଜଭୁତ୍ କରିବା ମଧ୍ୟ ଜରୁରୀ ବୋଲି ସେ କହିଛନ୍ତି । ସବୁ ରାଜନୈତିକ ଦଳ, ସାମାଜିକ ସଂଗଠନ ଓ ବ୍ୟକ୍ତିବିଶେଷଙ୍କର ଆମର ମାତୃଭୂମିର ସୀମା ଓ ସୀମାନ୍ତ ଜନତାଙ୍କୁ ବାନ୍ଧି ରଖିବା ପାଇଁ ସମ୍ମିଳିତ ପ୍ରୟାସ ନିଶ୍ଚିତ ଭାବରେ ସହାୟକ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

Leave A Reply

Your email address will not be published.