Latest Odisha News

BREAKING NEWS

ଖୁବ୍ ଶୀଘ୍ର ବଣାଇଗଡ଼ ଉପଖଣ୍ଡସ୍ତରୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାଇଲିସିସ୍

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଉପଖଣ୍ଡ ଡାକ୍ତରଖାନାରେ ହେମୋ ଡାଇଲିସିସ୍ ସୁବିଧା ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବୃକକ୍ ଜନିତ ସମସ୍ୟା ଦେଇ ଗତି କରୁଥିବା ରୋଗୀମାନେ ଏହାଦ୍ୱାରା ବିଶେଷ ଭାବେ ଉପକୃତ ହେବେ। ଗଲା ମାର୍ଚ୍ଚ ୨୦୨୩ ରେ ତତ୍କାଳୀନ ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ସୁନ୍ଦରଗଡ଼ ଜିଲ୍ଲା ପରିଦର୍ଶନ ସମୟରେ ଏନେଇ ସ୍ଥାନୀୟ ଅଧିବାସୀମାନଙ୍କ ତରଫରୁ ଏକ ଦାବିପତ୍ର ଦିଆଯାଇଥିଲା। ଏହି ଦାବିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବର ସହ ବିଚାର କରି ବଣାଇଠାରେ ଏକ ଡାଇଲିସିସ୍ ୟୁନିଟ୍ ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ୟୁନିଟ୍ କାର୍ଯ୍ୟକ୍ଷମ ହେଲାପରେ ବଣାଇଗଡ଼ ବ୍ଲକ୍ ସହ ଗୁରୁଣ୍ଡିଆ, ଲହୁଣୀପଡ଼ା, କୋଇଡ଼ ବ୍ଲକର ଲକ୍ଷାଧିକ ଲୋକ ଉପକୃତ ହେବେ। ପୂର୍ବରୁ ଡାଇଲିସିସ୍ ସୁବିଧା ଆବଶ୍ୟକ କରୁଥିବା ବୃକକ୍ ରୋଗୀମାନେ ରାଉରକେଲା ଏବଂ ସୁନ୍ଦରଗଡ ଉପରେ ନିର୍ଭରଶୀଳ ଥିଲେ। ସପ୍ତାହକୁ ଦୁଇରୁ ତିନିଥର ଡାଇଲିସିସ୍ ଚିକିତ୍ସା ଆବଶ୍ୟକ କରୁଥିବା ରୋଗୀମାନଙ୍କ ପାଇଁ ଏହି ସେବା ନିୟମିତ ହାସଲ କରିବା କଷ୍ଟକର ହୋଇଯାଉଥିଲା। ବୃକକ୍ ଜନିତ ସମସ୍ୟା ଦେଇ ଗତି କରୁଥିବା ରୋଗୀମାନେ ବାହାର ଜିଲ୍ଲାକୁ ଯିବାକୁ ପଡ଼ୁଥିଲା। ଏହାଦ୍ବାରା ସେମାନଙ୍କ ଉପରେ ଆର୍ଥିକ ଓ ଶାରୀରିକ ଚାପ ପଡ଼ୁଥିଲା। ଫଳରେ ଅନେକ ଲୋକ ଚିକିତ୍ସା ବନ୍ଦ କରିବା ପାଇଁ ଚିନ୍ତା କରୁଥିଲେ। ଏବେ ବଣାଇ ଉପଖଣ୍ଡସ୍ତରୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ଡାଇଲିସିସ୍ ସେବା ଉପଲବ୍ଧ ହେବା ଫଳରେ ଲୋକମାନଙ୍କୁ ଆଉ ଦୂରସ୍ଥାନକୁ ଯିବାକୁ ପଡିବ ନାହିଁ। ବରଂ ଏହା ସେମାନଙ୍କ ହାତ ପାଆନ୍ତାରେ ମିଳିବ।

ଏହି ଡାଇଲିସିସ୍ କେନ୍ଦ୍ରରେ ଆଧୁନିକ ପ୍ରଯୁକ୍ତି ବିଦ୍ୟା ଏବଂ ବୈଷୟିକ ଦକ୍ଷତା ସଂପନ୍ନ ଚିକିତ୍ସକଙ୍କ ଦ୍ୱାରା ବୃକକରେ ସମସ୍ୟା ଭୋଗୁଥିବା ଲୋକଙ୍କୁ ଏ ନେଇ ଆଧୁନିକ ଚିକିତ୍ସା ଦିଆଯିବ। ଏହି କେନ୍ଦ୍ରର ଲୋକାର୍ପଣ ଖୁବ୍ ଶୀଘ୍ର ହେବାକୁ ଯାଉଥିବାବେଳେ ଏ ନେଇ ଜିଲା ମୁଖ୍ୟ ମେଡିକାଲ ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଧରଣୀ ରଂଜନ ଶତପଥି କହିଛନ୍ତି ଯେ ସୁନ୍ଦରଗଡରେ ଗୋଷ୍ଠୀ ସ୍ତରରେ ଉନ୍ନତ, ନୂତନ ଏବଂ ସମସ୍ତଙ୍କୁ ମିଳିପାରୁଥିବା ବ୍ୟାପକ ସ୍ୱାସ୍ଥ୍ୟସେବା ଯୋଗଇବାକୁ ଆମେ ଦୃଢ଼ପରିକର ଏବଂ ବଣାଇର ଏହି ଡାଇଲିସସ୍ କେନ୍ଦ୍ରର ସ୍ଥାପନା ସେହି ଦିଗରେ ଏକ ପ୍ରମୁଖ ପଦକ୍ଷେପ ବୋଲି ବିଚାର କରାଯାଇ ପାରିବ ବୋଲି ସେ କହିଛନ୍ତି। ଏହି କେନ୍ଦ୍ରରେ ୪ଟି ଡାଇଲିସିସ୍ ମେସିନ୍ ଅଛି ଏବଂ ଏହା ସପ୍ତାହକୁ ୨୪ ଘଂଟା ଧରି ୭ ଦିନ ଯାଏ ଖୋଲା ରହିବ। ଯାହାଫଳରେ ଡାଇଲିସିସ୍ ସେବା ଆବଶ୍ୟକ କରୁଥିବା ଲୋକମାନଙ୍କୁ ୨୪ ଘଂଟାରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ ନାହିଁ। ଏଥିରେ ମାସକୁ ୪୦୦ ରୁ ଅଧିକ ଲୋକଙ୍କୁ ଡାଇଲିସିସ୍ ସୁବିଧା ମିଳିପାରିବ। ଜିଲ୍ଲା ଏବଂ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରୁ ଯେଉଁ ରୋଗୀମାନେ ଏହି ଚିକିତ୍ସା ପାଇଁ ରେଫର୍ ହୋଇ ଆସୁଥିବେ ସେମାନଙ୍କୁ ଏହି ଚିକିତ୍ସା ବିନା ମୂଲ୍ୟରେ ମିଳିବ।

Leave A Reply

Your email address will not be published.