Latest Odisha News

BREAKING NEWS

ଝାଡ଼ାବାନ୍ତି ଆତଙ୍କ: ଜଣେ ମୃତ ଓ ୩ ଆକ୍ରାନ୍ତ, ସଚେତନ କରାଇଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଡାଲିଆକୁଜି ପଞ୍ଚାୟତର ଗଇଲକଣା ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିଛି । ଏଥିରେ ବର୍ତ୍ତମାନ ସୁଦ୍ଧା ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ୩ ଜଣ ଚିକିତ୍ସାଧୀନ ଅଛନ୍ତି । ମୃତ ଯୁବକ ଜଣକ ହେଲେ ଗୋପାଳ କାଣ୍ଡାମାକା (୨୮) ।

ଅନ୍ୟପଟେ, ସେହି ଗ୍ରାମର କାଦୁଲୁ କାଣ୍ଡାମାକା (୪୦) ଙ୍କ ମୁନିଗୁଡା ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଚାଲିଥିବାବେଳେ ଆଉ ତିନିଜଣ ବିଷମକଟକ ଖ୍ରୀଷ୍ଟିୟାନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେମାନେ ହେଲେ କୁମାରୀ ମାଣ୍ଡିକା (୪୦), ମିଲନ ମାଣ୍ଡିକା (୧୮), କବିତା ଶବର ( ୧୨) ।

ଖବର ମୁତାବକ, ମୃତକ ଗୋପାଳ କାଣ୍ଡାମାକାଙ୍କୁ ଝାଡାବାନ୍ତି ହୋଇଥିବାବେଳେ ତାଙ୍କୁ ବିଳମ୍ବରେ ହସ୍ପିଟାଲ ନିଆଯାଇଥିଲା । ଫଳରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ।

ଡାକ୍ତର ନୀଳକଣ୍ଠ ମିଶ୍ର ଆହୁରି କହିଛନ୍ତି ଯେ, ଝାଡାବାନ୍ତି ହେଉଛି ମାନେ ତୁରନ୍ତ ହସ୍ପିଟାଲ ଯାଆନ୍ତୁ । ଓଆରଏସ୍ ପିଅନ୍ତୁ । ଆଖପାଖ ଗାଁରୁ ପାଣି ସାମ୍ପୁଲ ନିଆଯାଇଛି ହେଲେ ରିପୋର୍ଟ ଆସିନି । ଗାଁ ଗାଁ ବୁଲୁଛି ସ୍ୱାସ୍ଥ୍ୟ ଟିମ୍ । କେଉଁ ଉତ୍ସରୁ ପାଣି ଦୂଷିତ ହେଲା, ତାକୁ ନେଇ ଖୋଜା ଯାଉଛି ।

ସେହିପରି କୋରାପୁଟ ଜିଲ୍ଲା ସେମିଳିଗୁଡାରେ ଗତକାଲି ୩୪ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା କହିଛନ୍ତି ଡାକ୍ତର ମିଶ୍ର । ଉକ୍ତ ସ୍ଥାନରୁ ୧୧ ଟି ସାମ୍ପୁଲ ସଂଗ୍ରହ କରାଯାଇଥିବାବେଳେ ପାଣି ଦୂଷିତ ହେବାର ସନ୍ଦେହ କରାଯାଉଛି । ତେବେ ଆଗକୁ ବର୍ଷା ଦିନ ଆସୁଛି ପାଣିର ଉତ୍ସ ଯେମିତି ଦୂଷିତ ନ ହୁଏ, ସେନେଇ ପଦକ୍ଷେପ ନିଆଯିବ ଏବଂ ବ୍ଲିଚିଙ୍ଗ ବ୍ୟବହାର କରାଯିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ।

Leave A Reply

Your email address will not be published.