(କେଦାର ମିଶ୍ରଙ୍କ ସାପ୍ତାହିକ ସ୍ତମ୍ଭ “ମିଶ୍ରରାଗ”)
ସାହିତ୍ୟ ସର୍ଜନାର ପ୍ରକ୍ରିୟା କେବେ ବଦଳି ନାହିଁ, ବଦଳି ପାରିବ ନାହିଁ। ଲେଖକର ଚିନ୍ତନ ଓ କଳ୍ପନାରୁ ସାହିତ୍ୟ ସୃଷ୍ଟି ହୁଏ। ଲେଖକ ମନର ପ୍ରତିଫଳନ, ଉଦ୍ବେଳନ, ଆନ୍ଦୋଳନ ଓ ମନ୍ଥନ ଭିତରୁ ଯାହା ସୃଷ୍ଟି ହୁଏ, ତାକୁ ସବୁ ସମୟର ଲେଖକ ନିଜ ବାଗରେ କହିଛନ୍ତି। ସାହିତ୍ୟ ସର୍ଜନାର ପ୍ରକ୍ରିୟା ସିନା ସମାନ, ହେଲେ ସାହିତ୍ୟ ପରିବେଷଣର ମାଧ୍ୟମ ନିରନ୍ତର ବଦଳି ଚାଲିଛି। ଦିନେ ଲେଖକ ଥିଲା କଥକ। ସେ କହୁଥିଲା, ଅନ୍ୟମାନେ ଶୁଣୁଥିଲେ। ସେଥିପାଇଁ ଆମ ସାହିତ୍ୟର ପ୍ରଥମ ପରମ୍ପରା ହେଉଛି “ଶୃତି”। ଏହି ପର୍ୟାୟରେ ଲେଖକ କେବେ କଥକ, ପୁଣି କେବେ ଗାୟକ। ସାହିତ୍ୟ ପରିବେଷଣର ମାଧ୍ୟମ ହୋଇଛି କଥନ କିମ୍ବା ଗାୟନ। ତାର ବହୁ ପରେ ଯାଇ ଆସିଲା ଲିଖନ। ସାହିତ୍ୟ କୁ ଲେଖା ମାଧ୍ୟମରେ ଦୀର୍ଘସ୍ଥାୟୀ କରିହେବ ବୋଲି ଲେଖକ ଯେତେବେଳେ ପ୍ରଥମେ ଜାଣିଥିବ, ସେ ନିଶ୍ଚୟ ଏକ କ୍ରାନ୍ତି ର ଦିନ ହୋଇଥିବ। ଲିଖନ ଧାରାରେ ଶିଳାଲେଖ, ତାମ୍ରଲେଖ, ତାଳପତ୍ର, ଭୁର୍ଜପତ୍ର ବାଟଦେଇ ଛାପା କାଗଜରେ ପହଞ୍ଚିଲା ବେଳକୁ ହଜାର ବର୍ଷ ଲାଗିଛି। ତେବେ ଛାପା କାଗଜରୁ ଶୂନ୍ୟ ରେ ସାହିତ୍ୟ ରଚନା ର ଧାରା ହଠାତ ଆମକୁ ହତଚକିତ କରି ଦେଇଛି।
ସାହିତ୍ୟ କାଗଜରୁ ଆସି ଏବେ ମୋବାଇଲ ପରଦାରେ ପହଞ୍ଚି ସାରିଛି। ମୁଁ ଯାହା ଲେଖୁଛି ତାହା ସତ୍ୟ, ହେଲେ ଯେଉଁଥିରେ ଲେଖୁଛି ତାହା ଏକ ଅସମ୍ଭବ ମାୟା। ମୋର ଅକ୍ଷର ସବୁ ଏବେ କ୍ଲାଉଡ଼ ରେ ଅମରତ୍ବ ପାଇ ରହୁଛନ୍ତି। କେଉଁଠି, କେତେବେଳେ, କେହିବି ମୋ ଲେଖା କୁ କ୍ଲାଉଡ଼ ରୁ ଖସେଇ ଆଣିପାରେ। ସାହିତ୍ୟ ର ଏଇ ଡିଜିଟାଲ ଜଗତରେ ଲେଖକ ଲାଗି ପ୍ରଥମ ଝଟକା ହେଉଛି, ଶବ୍ଦମାନଙ୍କର ଅର୍ଥ ବଦଳ। ଏଯାଏଁ ଶବ୍ଦ ଓ ଅର୍ଥ ଭିତରେ ଲେଖକର ଗୋଟେ ପରିଚିତ ଜଗତ ଥିଲା। ସେ କ୍ଲାଉଡ଼ କହିଲେ ମେଘକୁ ବୁଝୁଥିଲା। ଅବିକା ଡିଜିଟାଲ ରେ କ୍ଲାଉଡ଼ର ଅର୍ଥ ବିଲକୁଲ ମେଘ ନୁହଁ। ସେମିତି ଓ୍ଵିଣ୍ଡୋ କହିଲେ ଆମେ ଝରକା ବୁଝୂନାହୁ କି ମାଉସ ଆଉ ମୂଷା ହୋଇକି ରହିନାହି। ଶବ୍ଦ ଆଉ ଅର୍ଥ ର ପରିବର୍ତ୍ତନ ସହିତ ସାହିତ୍ୟ ରଚନା ଓ ପାଠର ଧାରା ମଧ୍ୟ ବଦଳିଛି। ଆଜି ସାହିତ୍ୟ ଲେଖନ ଓ ପରିବେଷଣ କ୍ଷେତ୍ରରେ “ଡିଜିଟାଲ” ହେବାର ଆହ୍ଵାନ ହେଉଛି ଏକମାତ୍ର ସତ୍ୟ।
ତେବେ ମଣିଷର ମନ ବା କଳ୍ପନା ନା ପ୍ରତିଭା ଡିଜିଟାଲ ହୋଇପାରିବ ନାହିଁ। ଏହାର ଅଭିବ୍ୟକ୍ତି ଲାଗି ଯେଉଁ ମାଧ୍ୟମ ସେଇଟା ଅବଶ୍ୟ ଡିଜିଟାଲ ହୋଇ ସାରିଛି। ବହି ଏବେ ମୋବାଇଲ କି ଲାପଟପ କି ଆଇ ପ୍ୟାଡ କୁ ଆସିଛି। ଏଇ ପରିବର୍ତ୍ତନ ସହିତ ଆମ ସାହିତ୍ୟିକଙ୍କୁ ବଞ୍ଚିବାକୁ ପଡିବ। ଡିଜିଟାଲ ସାହିତ୍ୟର ଏଇ ପରିବର୍ତ୍ତିତ ଆହ୍ଵାନ ଲେଖକ ପାଇଁ ଖୁବ ବେଶି ଗୁରୁତ୍ଵ ରଖେନାହିଁ। ଲେଖକ ଆଗରୁ କାଗଜ କଲାମରେ ଲେଖୁଥିଲା, ଏବେ ସେ ଆଇ ପ୍ୟାଡ କି ମୋବାଇଲରେ ଲେଖିବ। ଏହି ଆହ୍ଵାନ ର ସର୍ବାଧିକ ଗୁରୁତ୍ଵ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନଗୁଡିକର ରହିଛି। ଆମର ସାହିତ୍ୟ ଏକାଡେମି, ବିଶ୍ୱ ବିଦ୍ୟାଳୟ ତଥା ଅନ୍ୟାନ୍ୟ ଅନୁଷ୍ଠାନ ଗୁଡିକ ଏହାକୁ ଏକ ସୁଯୋଗ ଭାବରେ ବ୍ୟବହାର କରିବା ଦରକାର।
ଆଜିର ସମୟରେ ଆପଣ ପୃଥିବୀର ଯେ କୌଣସି ବଡ ବିଶ୍ବବିଦ୍ୟାଳୟର ଲାଇବ୍ରେରୀ କିମ୍ବା ଅଭିଲେଖାଗାରକୁ ଅନ-ଲାଇନ ପାଇଯିବେ। ହେଲେ ଓଡିଶାର ପ୍ରମୁଖ ଅନୁଷ୍ଠାନ ଗୁଡିକ ଏବେ ମଧ୍ୟ ଅନ-ଲାଇନ ସେବା ଦେବାରେ ଶିଶୁ ଅବସ୍ଥାରେ ରହିଛନ୍ତି। ରାଜ୍ୟର କୌଣସି ବିଶ୍ଵ ବିଦ୍ୟାଳୟ ବା ସାହିତ୍ୟ ଏକାଡେମି ପାଖରେ ଆମ ଜ୍ଞାନ-ବିଜ୍ଞାନର ଅନ-ଲାଇନ ସୂଚନା ନାହିଁ। ବେସରକାରୀ ଉଦ୍ୟମରେ “ସୃଜନିକା” ତରଫରୁ ଓଡିଶାର ପୁରୁଣା ଖବର କାଗଜ, ପତ୍ର-ପତ୍ରିକା ଓ ୭୦୦୦ରୁ ଅଧିକ ଉପାଦେୟ ବହି ଏବେ ଅନ ଲାଇନ ରେ ମିଳୁଛି। ହେଲେ ଓଡିଶା ସରକାରଙ୍କ ଭର୍ଚ୍ୟୁଆଲ ଏକାଡେମି ଜରିଆରେ ଯାହା ମିଳୁଛି, ତାହା ଉପଯୋଗୀ କି ଉପାଦେୟ ହୋଇ ପାରୁନି। “ସୃଜନିକା” ସୌଜନ୍ୟରୁ ଆମେ ହୁଏତ “ଉତ୍କଳ ଦୀପିକା” କିମ୍ବା “ନିଆଁଖୁଣ୍ଟା” ପଢିବାର ସୁଯୋଗ ପାଉଛୁ, ହେଲେ “ସମାଜ” ବା “ପ୍ରଜାତନ୍ତ୍ର” ର କୌଣସି ପୁରୁଣା ସଂଖ୍ୟା ଅନ-ଲାଇନ ରେ ଉପଲବ୍ଧ ନାହିଁ।
“ସମାଜ” ଓ “ପ୍ରଜାତନ୍ତ୍ର” ସହିତ ଓଡିଶାର ସମାଜ ଏବଂ ରାଜନୀତି ସମାନ୍ତରାଳରେ ଗତିଶୀଳ। ଏହି ଦୁଇଟି ଖବର କାଗଜର ଅଭିଲେଖ ଏବେ ବି ଅନ ଲାଇନ ନ ହେବାର କାରଣ କଣ? ଏହି ଦୁଇ ଖବର କାଗଜ ପରିଚାଳନା କରୁଥିବା ସଂସ୍ଥା ପାଖରେ ସମ୍ବଳର ଅଭାବ ନାହିଁ। କେବଳ ନିଜ ଇତିହାସକୁ ନିଜ ଅନ୍ଧାରରେ ଚାପି ରଖିବାକୁ ବୋଧେ ଏମାନେ ଉଦ୍ୟମ କରୁଛନ୍ତି। ରାଜ୍ୟର ସର୍ବ ପୁରାତନ ଲାଇବ୍ରେରୀ, କଟକର ଉତ୍କଳ ସାହିତ୍ୟ ସମାଜ ଓ ପୁରୀର ରଘୁନନ୍ଦନ ଲାଇବ୍ରେରୀ ଅବସ୍ଥା ମଧ୍ୟ ସେୟା।
ସବୁଠୁ ଦୁର୍ଭାଗ୍ୟର କଥା ହେଉଛି, ଓଡିଶା ବିଧାନସଭାର ରେକର୍ଡ ପତ୍ର ଆଜିଯାଏଁ ଫାଇଲ ଭିତରେ ଧୂଳି ଖାଉଛି। ସଂସଦର ସମସ୍ତ ରେକର୍ଡ, ଭାଷଣ ଓ ରିପୋର୍ଟ ଅତି ସହଜରେ ଅନ ଲାଇନରେ ମିଳୁଥିବା ବେଳେ ଓଡିଶା ବିଧାନସଭାର ରେକର୍ଡ ପତ୍ର ଆଜି ମଧ୍ୟ ସେଇ ଅନ୍ଧାର ଭିତରେ। ପୁରୁଣା ଦସ୍ତାବିଜ ଗୁଡିକର ଡିଜିଟାଲ ସଂସ୍କରଣ ତିଆରି କରିବାରେ “ସୃଜନିକା” ଆମକୁ ଗୋଟେ ବାଟ ଦେଖାଇଥିଲା। ହେଲେ ସେ ବାଟରେ ଆଗକୁ ଯିବାଲାଗି ଆମେ ଆଜି ମଧ୍ୟ ସାହସ କରିପାରୁନୁ।
Comments are closed.