କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ
ପ୍ରସିଦ୍ଧ ଔପନ୍ୟାସିକ ଏଚ.ଜି.ୱେଲ୍ସଙ୍କର ଗୋଟେ ଉପନ୍ୟାସ ଅଛି- The wheels of chance- A holiday adventure. ପୃଥିବୀରେ ଯେତେବେଳେ ନୂଆ ନୂଆ ବାଇ ସାଇକଲ ତିଆରି ହୋଇଥିଲା, ତା ପରର ପୃଷ୍ଠଭୂମିକୁ ନେଇ ଏ ଉପନ୍ୟାସ। ୱେଲ୍ସ ତାଙ୍କ ନାୟକର ବର୍ଣ୍ଣନା କରିବାକୁ ଯାଇ ଲେଖିଛନ୍ତି- “thin in the foot, thick in the leg” । ପତଳା ପାଦ ଓ ଶକ୍ତିଶାଳୀ ଗୋଡ ନେଇ ଜଗତରେ ବାଇ ସାଇକଲ ଚଲାଉଥିବା ଏହି ନାୟକର ସମୟ ଖଣ୍ଡ ହେଉଛି ୧୮୯୫। ଅଥଚ ସେହି ସମାନ ନାୟକଟିକୁ ଆମେ ପ୍ରତିଦିନ ଭେଟୁଥିଲୁ ଭୁବନେଶ୍ୱର ପୁରୁଣା ବସଷ୍ଟାଣ୍ଡର ଲେଖକ ଖଟିରେ,ଏଇ ଆଜିର ସମୟରେ। ଜୀବନ ତମାମ ସାଇକେଲ ଚଲାଉଥିବା, ଅଳ୍ପ ଉଚ୍ଚତା, ପତଳା ଶରୀର ଓ ହସ ହସ ମୁହଁ ଥିବା ଜଣେ ଲେଖକଙ୍କୁ ଆମେ ନିଜର ସାଙ୍ଗ ଭାବରେ ପାଇଥିଲୁ। “ଦିଲୁ ଭାଇ” ବା ଦିଲୀପ ବେହୁରା ଆମ ସମୟର ଏକ ଅଦ୍ଭୁତ ଚରିତ୍ର। ତାଙ୍କଠୁ ବେଶୀ ଅଦ୍ଭୁତ ତାଙ୍କର ବାଇ ସାଇକେଲ। ଦିଲୀପ ବେହୁରା ଓ ବାଇ ସାଇକେଲକୁ ନେଇ ଗୋଟେ ଉପନ୍ୟାସ ଲେଖା ଯାଇପାରିବ। ହେଲେ ସେ ଉପନ୍ୟାସର ସମ୍ଭାବନା ଏବେ ମୃତ୍ୟୁର ଉପତ୍ୟକାରେ।
ଜୁଲାଇ ୨୪ ତାରିଖ ସକାଳେ ହଠାତ ଖବର ଆସିଲା, ଗତ ରାତିରେ ଦିଲୀପ ବେହୁରା ଚାଲିଗଲେ। କେମିତି, କାହିଁକି, ହଠାତ କେମିତି ହେଲା, ମିଛ ହୋଇ ଥିବ ମ, ଏମିତି ବହୁ ପ୍ରଶ୍ନବାଚୀକୁ ବେଖାତିର କରି ଦିନ ୧୨ ଟା ବେଳକୁ ତାଙ୍କର ଶବ ସତ୍ୟ ନଗର ଶ୍ମଶାନରେ ଜଳି ସାରିଥିଲା। ମାତ୍ର ୧୨ ଘଣ୍ଟା ଆଗରୁ ଚଳ ଚଞ୍ଚଳ ଥିବା ଦିଲୀପ ବେହୁରା ହଠାତ ହୃଦଘାତରେ ଚାଲିଗଲେ। ବଡ ହୃଦୟ ଥିବା ଲୋକର ହୃଦୟ ଏମିତି ହଠାତ ବନ୍ଦ ହୋଇଯାଏ। ହଁ, ଦିଲୀପ ବେହୁରାଙ୍କର ଗୋଟେ ବଡ ହୃଦୟ ଥିଲା। ତାଙ୍କ କଲମ ଓ କବିତା ତୁଳନାରେ ତାଙ୍କ ହୃଦୟ ବହୁତ ବଡ। ସେ ବିଶାଳ ହୃଦୟରେ ଏତେ ଭଲପାଇବା ଥିଲା ଯେ, ତାକୁ ସମ୍ଭାଳିବା ହୁଏତ ସହଜ ନଥିଲା। ତେଣୁ ସେ ହଠାତ ଆମଠୁ ବିଦାୟ ନେଇ ଚାଲିଗଲେ। ତାଙ୍କର ବାଇ ସାଇକଲ ଆଉ ପୁରୁଣା ବସଷ୍ଟାଣ୍ଡ ଆଡକୁ ଗଡିବ ନାହିଁ। ସତ କହିବାକୁ ଗଲେ, ସାଇକଲ ଚଢି କବିତା ଲେଖୁଥିବା ଶେଷତମ କବି ଜଣକ ହଠାତ ଆମଠୁ କୁଆଡେ ଗୋଟେ ହଜିଗଲେ।
ଦିଲୀପ ବେହୁରାଙ୍କ ସାଇକେଲ ଗୋଟେ ପ୍ରକାର କିମ୍ବଦନ୍ତୀ। ସେ ଗୋଟେ ରକମର କାମଧେନୁ। ସେ ସାଇକେଲକୁ ଯାହା ମାଗ, ମିଳିବ। ସାଇକେଲ ହ୍ୟାଣ୍ଡଲ, କ୍ୟାରିଅର ଓ ସାମ୍ନା ବାରରେ କେତେ କଣ ବନ୍ଧା ଥାଏ । ସାଇକେଲରୁ ମିଳେ ମୁଢି, ଚିନାବାଦାମ ଓ ସିଝା ବୁଟ। କେବେ କେମିତି ଗରମ ବିରିବରା ଓ ଆଳୁଚପ। କେବେ ପୁଣି ବନ୍ଧା ହୋଇ ଆସେ ପନିପରିବା ଓ ପଣସ। ଅନେକ ସମୟରେ ସାହିତ୍ୟସଭାର ନିମନ୍ତ୍ରଣ ପତ୍ର। ସେ ସାଇକେଲରେ ଥାଏ ବି ଗୋଟେ ବର୍ଷାତି । ଶୀତ ଦିନେ ଗୋଟେ ଅଧେ ସ୍ଵିଟର। ସବୁଠୁ ବଡ କଥା ହେଲା, ସାଇକଲଟି ତା ମାଲିକର ଅତ୍ୟନ୍ତ ବିଶ୍ଵସ୍ତ। କେବେ ରାସ୍ତାରେ ଭାଙ୍ଗିନାଇଁ କି ଟ୍ୟୂବରୁ ହାୱା ଉଡି ଯାଇନି। ସେଇ ସାଇକଲ ଚଢି ଦିଲୀପ ବେଉରାଙ୍କର ସାହିତ୍ୟ ଚାଲେ। ତାଙ୍କର ସଂସାର ଅଭାବୀ ନଥିଲା ଯେ, ସେ ସାଇକଲ ଚଢିବାକୁ ବାଧ୍ୟ ଥିଲେ। ସରକାରୀ ଚାକିରି କରୁଥିଲେ। ପଇସା ଅଭାବ ନଥିଲା। ଡାକି ହାକି ସମସ୍ତଙ୍କୁ ଖୁଆଇବା ଓ ଚା ପିଆଇବାରେ ତାଙ୍କର ପ୍ରବଳ ଆନନ୍ଦ। ତେଣୁ ସାଇକଲ ତାଙ୍କର ବାଧ୍ୟ ବାଧକତା ନଥିଲା, ସେ ଥିଲା ତାଙ୍କର ପ୍ରେମ। ପ୍ରେମରେ ପଡିଲେ ଏମିତି ହିଁ ହୁଏ। ସାଇକେଲ ଛଡା ଆଉ କେଉଁ ବାହନ ତାଙ୍କର ମନକୁ ପାଉ ନଥିଲା।
ଦିଲୀପ ବେହୁରା କେତେ ବଡ କବି ବା ଲେଖକ, ତାର ହିସାବ ଯିଏ କରିବ କରୁଥାଉ। ମୁଁ ଗୋଟେ କଥା ଜାଣେ, ଦିଲୀପ ବେହୁରାମାନେ ଥାନ୍ତି ବୋଲି ସାହିତ୍ୟ ଥାଏ। ସେମାନେ ସାହିତ୍ୟ ଓ ସାହିତ୍ୟିକଙ୍କୁ ଭଲ ପାଇ ଏମିତି ଗୋଟେ ପରିମଣ୍ଡଳ ତିଆରି କରନ୍ତି, ଯେଉଁଠି ସାହିତ୍ୟକୁ ଅମ୍ଳଜାନ ମିଳେ। ନଚେତ ସାହିତ୍ୟର ପାଠକ ଓ ରସିକ ନଥାନ୍ତେ। ବନ୍ଧୁ ଭାରତ ମାଝୀ କହିଲା ପରି-ଦିଲୀପ ବେହୁରା ନିଜେ ଏକ କବିତା। ସେଇଟା ସତ । କବିତା ଲେଖିବା ଓ କବିତା ହୋଇଯିବା ଭିତରୁ, ଦିଲୀପ ବେହୁରା କବିତା ହେବାକୁ ଚାହିଁଥିଲେ। ସବୁ କବି ଓ ଲେଖକଙ୍କୁ ଭଲ ପାଇବା, ସେମାନଙ୍କ ପାଇଁ ମଞ୍ଚ ଗଢିବା, ସେମାନଙ୍କୁ ଭଲ ଖାଇବା-ପିଇବା ଦେବାରେ ତାଙ୍କର ବିମଳ ଆନନ୍ଦ। ସେଥିଲାଗି ଓଡିଆ ସାହିତ୍ୟର ଏମିତି କୌଣସି ଲେଖକ ନାହିଁ, ଯିଏ ତାଙ୍କର ବନ୍ଧୁ ନଥିଲା। ସମସ୍ତଙ୍କୁ ଉଦାର ଭାବରେ କୋଳେଇନେବା ଓ ସମସ୍ତଙ୍କର ସୁଖ ସୁବିଧା କଥା ବୁଝିବାରେ ତାଙ୍କର ଜୀବନ ସରିଗଲା।
ଦିଲୀପ ବେହୁରାଙ୍କ ଜୀବନ ଏତେ ଛୋଟ କେମିତି? ମାତ୍ର ୫୫ ବର୍ଷ ବୟସରେ ସେ ହଠାତ ଚାଲିଗଲେ। ତାଙ୍କ ଯିବା ଟା ବଡ ଆକସ୍ମିକ। ତାଙ୍କ ସଂସାରରେ ତାଙ୍କର ଆବଶ୍ୟକତା ଥିଲା । ଭାଉଜ ଆଗରୁ ଚାଲି ଯାଇଥିଲେ। ଦୁଇ ପିଲାଙ୍କ କଥା, ନବେ ବର୍ଷର ମା ଙ୍କ କଥା, ସାହିତ୍ୟ ଓ ସଂସାର ଉଭୟର କଥା ବୁଝିବାର ଦାୟିତ୍ଵ ତାଙ୍କ କାନ୍ଧରେ ଥିଲା। ସେ ତ କେବେ ପଳାତକ ନଥିଲେ। ସବୁ ଦାୟିତ୍ଵ ନେବାରେ ସେ ଆଗୁଆ। ପୁରୁଣା ବସଷ୍ଟାଣ୍ଡର ସର୍ବ ପୁରାତନ ସାହିତ୍ୟ ଖଟିର ସେ ଅଘୋଷିତ କୋଷାଧ୍ୟକ୍ଷ। ନୂଆ ବର୍ଷ କବିତା ପାଠ ଲାଗି ଚୌକି ପକାଇବାଠୁ ଖାଇବା ଆୟୋଜନରେ ତାଙ୍କର ହାତ। ସବୁ ଦାୟିତ୍ଵ ତୁଲାଉଥିବା ଲୋକଟିକୁ ହଠାତ ମୃତ୍ୟୁ ନିଜ ପାଖକୁ ନେଇଗଲା କେମିତି? କେଜାଣି, ସେଠି ହୁଏତ ତାଙ୍କର ସେମିତି କିଛି ବିଶେଷ ଆବଶ୍ୟକତା ଥିବ!!
ଦିଲୀପ ବେହୁରା ଓ ତାଙ୍କ ସାଇକେଲ, ଏବେ ଇତିହାସରେ କେଉଁ ଦିଗକୁ ଯାଉଛନ୍ତି, ତାର କଳନା କରିବା ମୁସ୍କିଲ। ହେଲେ ଆମ ସାହିତ୍ୟର ଇତିହାସରେ ଏମିତି ନିରୁତା ସାହିତ୍ୟପ୍ରେମୀଙ୍କ ଲାଗି ଗୋଟେ ଜାଗା ନିହାତି ରହିବା ଉଚିତ। ଏମାନେ ନ ରହିଲେ, ସାହିତ୍ୟ ରହିବ ନାହିଁକି ସାହିତ୍ୟର ଇତିହାସ ବି ରହିବ ନାହିଁ।
Comments are closed.