Latest Odisha News

BREAKING NEWS

ପରଲୋକରେ ଏସୀୟ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ବକ୍ସର୍ ଡିଙ୍କୋ ସିଂ

ଭୁବନେଶ୍ୱର: କରୋନା ବିରୋଧରେ ସେ ଜିତିଥିଲେ । ହେଲେ କ୍ୟାନ୍ସର ବ୍ୟାଧି ନିକଟରୁ ସେ ପରାଜିତ ହୋଇଛନ୍ତି । ଆଉ ନାହାଁନ୍ତି ଏସୀୟ ଗେମ୍ସରେ ସ୍ବର୍ଣ୍ଣ ବିଜେତା ବକ୍ସର ଡିଙ୍କୋ ସିଂ । ଦୀର୍ଘଦିନ ଧରି ଲିଭର କ୍ୟାନ୍ସର୍‌ରେ ପୀଡିତ ଥିବା ଏହି ବକ୍ସରଙ୍କର ଆଜି ଦେହାନ୍ତ ହୋଇଛି ।

୨୦୧୭ରୁ ଡିଙ୍କୋ କ୍ୟାନ୍ସର ସହ ଜୁଝି ଆସୁଥିଲେ । ଗତବର୍ଷ ସେ କରୋନାରେ ମଧ୍ୟ ସଂକ୍ରମିତ ହୋଇଥିଲେ । ତେବେ ଲଢୁଆ ମନୋଭାବ ଓ ଦୃଢ ଆତ୍ମବିଶ୍ୱାସ ବଳରେ ସେ କରୋନାକୁ ପରାଜିତ କରିବାରେ ସକ୍ଷମ ହୋଇଥିଲେ । ଗତବର୍ଷ ଜାନୁଆରୀ ମାସରେ ଡିଙ୍କୋ ଦିଲ୍ଲୀର (ILBS) ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲିଭର୍ ଆଣ୍ଡ ବିଲିୟରୀ ସାଇନ୍ସେସ୍‌ରେ ରେଡିଏସନ୍ ଥେରାପୀ ନେଇ ଇମ୍ଫାଲ୍ ଫେରିଥିଲେ । ତେବେ ଅପ୍ରେଲ୍ ମାସରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପୁନର୍ବାର ଦିଲ୍ଲୀର (ILBS)ରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସେ ସମୟରେ ସେ ଜଣ୍ଡିସ୍‌ରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ ।

୧୯୯୮, ଏସୀୟ ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଡିଙ୍କକୋଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ପରେ ୨୦୧୩ରେ ତାଙ୍କୁ ମିଳିଥିଲା ସମ୍ମାନନୀୟ ପଦ୍ମଶ୍ରୀ ପୁରସ୍କାର । ମାତ୍ର ୪୨ ବର୍ଷ ବୟସରେ ସମସ୍ତଙ୍କୁ ଏକାକି ଛାଡି ଚାଲିଯାଇଥିବା ଡିଙ୍କୋ ମେରି କମ୍‌ଙ୍କ ପାଇଁ ପ୍ରେରଣା ସାଜିଥିଲେ । ଭାରତୀୟ ନୌସେନାରେ ସାମିଲ ହେବା ସହ ମୃତ୍ୟୁ ପୂର୍ବରୁ ଡିଙ୍କୋ କୋଚ୍ ଭାବେ ସକ୍ରିୟ ଥିଲେ । ତାଙ୍କ ନିଧନରେ ବକ୍ସର ବିଜେନ୍ଦର ସିଂଙ୍କଠାରୁ ଆରମ୍ଭ କରି ମେରି କମ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.