Latest Odisha News

ସୃଜନଶୀଳତାର ଭିନ୍ନ ଏକ ପରିଚୟ: ଟେରାକୋଟା ଶିଳ୍ପୀ ରମେଶ ଚନ୍ଦ୍ର ମୁଦୁଲି

କଳା ଓ କାରିଗରୀକୁ ନେଇ ପ୍ରିୟରଂଜନ କରଙ୍କ ସ୍ୱତନ୍ତ୍ର ଉପସ୍ଥାପନା କଳା କାରିଗରୀ

ପରିବାରର କୌଳିକ ବୃତ୍ତି ବଞ୍ଚାଇ ରଖିବା ସହ ଭିନ୍ନ କିଛି କରିବାର ନିଶା ରମେଶଙ୍କୁ କରିଛି ମତୁଆଲା । ମାଟି କାଦୁଅରେ ତିଆରି ତାଙ୍କ ଭଳିକି ଭଳି କଳାକୃତ୍ତି ଦେଖିବା ମାତ୍ରକେ ମୋହିନିଏ ଗ୍ରାହକର ମନ । ଟେରାକୋଟା କାରିଗରୀ ପ୍ରତିମନରେ ଦୁର୍ବଳତା  ତାଙ୍କୁ ଦେଇଛି ଭିନ୍ନ ଏକ ପରିଚୟ । ନିଆରା କଳାକୃତି ପାଇଁ ଅନ୍ୟ ଶିଳ୍ପୀଙ୍କ ମଧ୍ୟରେ ରମେଶ ସହଜରେ ଅଲଗା ବାରି ହୋଇପଡନ୍ତି ।

ବାଲେଶ୍ୱର ଜିଲ୍ଲା ଚିନ୍ତାମଣିପୁର ଗାଁରେ ଏକ କୁମ୍ଭାର ପରିବାରରେ ଜନ୍ମଗ୍ରହଣ କରିଥିଲେ ରମେଶ ଚନ୍ଦ୍ର ମୁଦୁଲି । ବାପା କେଳୁଚରଣ ମୁଦୁଲି ପାରମ୍ପରିକ ଭାବେ ମାଟିପାତ୍ର ଗଢି ପରିବାର ପ୍ରତିପୋଷଣ କରିଆସୁଥିଲେ । ମେଟ୍ରିକ୍ ପାସ୍ ପରେ ରମେଶଙ୍କର ନିଜ ପରିବାରର କୌଳିକ ବୃତ୍ତି ପୋଡାମାଟି କାମକୁ ବେଶ୍‌ ଉତ୍ସାହରସହ ଆପଣେଇ ନେଇଥିଲେ । ମହାରାଷ୍ଟ୍ରରୁ ତାଲିମ୍ ପାଇ ଆସିଥିବା ଟେରାକୋଟା ଶିଳ୍ପୀ ନରହରି ବେହେରା ରମେଶଙ୍କ ପ୍ରଥମ ଶିଳ୍ପୀଗୁରୁ । ନରହରିଙ୍କଠାରୁ ପ୍ରେରଣା ପାଇ ଟେରାକୋଟାର ବିଭିନ୍ନ କୌଶଳ ସଂପର୍କରେ ତାଙ୍କ ନିକଟରୁ ଶିକ୍ଷାଗ୍ରହଣ କଲେ ସେ । ବର୍ଷକ ପରେ ରମେଶ ଭୁବନେଶ୍ୱର ଗଣ୍ଡମୁଣ୍ଡାସ୍ଥିତ ସିଡାକ୍ ପରିଚାଳିତ ହସ୍ତକଳା ତାଲିମ୍‌ କେନ୍ଦ୍ରରୁ ଟେରାକୋଟା ବିଭାଗରେ ୨ ବର୍ଷିଆ ଓ ପରେ ସେହିଠାରୁ ୯ମାସର ଡିଜାଇନ୍‌ କୋର୍ସ ଶେଷ କରିଥିଲେ । ଭୁବନେଶ୍ୱରରୁ ତାଲିମ୍‌ ଶେଷ ପରେ ସେ ମହାରାଷ୍ଟ୍ର ଚନ୍ଦ୍ରପୁର ଜିଲ୍ଲା ରିଜିଓନାଲ୍ ପଟେରି ସେଣ୍ଟରରେ ସେରାମିକ୍ ଓ ଟେରାକୋଟାରେ ସ୍ୱତନ୍ତ୍ର ତାଲିମ୍‌ ନେଇଥିଲୋ ସେବେଠାରୁ ଆଉ ପଛକୁ ଫେରିଚାହିଁ ନାହାଁନ୍ତି ରମେଶା ତାଙ୍କ ହାତ ପରଶରେମାଟି ପାଲଟିଛି ସୁନା । ଗଢି ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ସୁନ୍ଦର କଳାକୃତ୍ତି ସବୁ । ଟେରାକୋଟା ଶୈଳୀରେ ରମେଶଙ୍କ ହାତ ତିଆରି ପଟେରି, ଦେବାଦେବୀମୂର୍ତ୍ତି, ଦୀପ, ମୁଖା, ପେନ୍‌ଷ୍ଟାଣ୍ଡ୍‌, ଫୁଲଦାନୀ, ପଶୁପକ୍ଷୀ ଆଦି ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରୋ ବିଶେଷ୍‌ କରି ରମେଶଙ୍କର କାମଗୁଡିକ ନୁଆ ଡିଜାଇନ୍ ଓ ବେଶ୍‌ ଚିକ୍କଣ ଥିବାରୁ ଗ୍ରାହକମାନେ ବେଶ୍ ଆଗ୍ରହର ସହ ତାଙ୍କ କାମକୁ କିଣିଥାନ୍ତି । ତାଙ୍କ ହାତ ତିଆରି ମ୍ୟାଜିକ୍ ଦୀପ ନିକଟରେ ଅନୁଷ୍ଠିତ ମୃତ୍ତିକା ପ୍ରଦର୍ଶନୀରେ ବେଶ୍ ନାଁ କରିଥିଲ। । କମ୍‌ ତେଲରେ ଅଧିକସମୟ ଜଳୁଥିବାଏହି ଦୀପକୁ ଶହଶହ ସଂଖ୍ୟାରେ ରମେଶ ଏହି ପ୍ରଦର୍ଶନୀରେ ବିକିଥିଲେ ।
ଅନ୍ୟ ଟେରାକୋଟା ଶିଳ୍ପୀଙ୍କ ଭଳି ନିଜ କଳାକୃତ୍ତିରେ ରଙ୍ଗ ବୋଳିବାକୁ ପସନ୍ଦ କରିନଥାନ୍ତି ରମେଶ । ବଂର କଞ୍ଚା କାମଗୁଡିକୁ ପୋଡିବା ସମୟରେ ନୁତନ ପଦ୍ଧତି ଆପଣାଇଥାନ୍ତି ସେ । ଫଳରେ ଉଭୟ କଳା ଓ ଲାଲ୍ ଦୁଇ ପ୍ରକାର ରଙ୍ଗର କଳାକୃତ୍ତିଗୁଡିକ ଭାଟିରୁ ବାହାରିଥାଏ ।

ରମେଶଙ୍କ ମତରେ ପୋଡାମାଟିର ନିଜସ୍ୱ ଏକ ରଙ୍ଗ ରହିଛି । ଅଧିକ ଆବଶ୍ୟକ ନ ଥିଲେ କଳାକୃତ୍ତିଗୁଡିକ ଉପରେ ମନଇଚ୍ଛା ରଙ୍ଗବୋଳି ଏହାକୁ ବିକୃତ କରିବା ଉଚିତ୍ ନୁହେଁ । ଆମ ରାଜ୍ୟକୁ ଛାଡି ଦେଲେ ବାହାର ସ୍ଥାନମାନଙ୍କରେ ରଙ୍ଗବୋଳା ଟେରାକୋଟା କାମକୁ ଗ୍ରାହକମାନେ ସେତେଟା ପସନ୍ଦ କରିନଥାନ୍ତି । କଳାକୃତ୍ତି ବିକ୍ରୟରୁ ସେତେଟା ଲାଭ ମିଳୁନଥିବା ବେଳେ ଆମ ଟେରାକୋଟା କାରିଗରମାନେ ନିଜ କାମ ଉପରେ ବହୁ ଦାମର ରଙ୍ଗବୋଳି ଖାଲି ଯାହା ରଙ୍ଗ ତିଆରି କମ୍ପାନୀଗୁଡିକୁ ପୋଷିଥାନ୍ତି ବୋଲି କହନ୍ତି ରମେଶ ।

ଦିନ ଥିଲା ଆମ ମାଟି ପାତ୍ରରେ ଘରେ ଘରେ ରୋଷେଇ କରାଯାଉଥିଲା । ଏହା ସ୍ୱାଦିଷ୍ଟ ହେବା ସହ ଆମକୁ ନିରୋଗ ରଖୁଥିଲା । ଏହି କଥାର ଅଧିକ ପ୍ରଚାର ପ୍ରସାର କରାଗଲେ ମାଟି ପାତ୍ରରୁ ମୁହଁ ଫେରାଇ ନେଇଥିବା ଅନେକ ପରିବାର ପୁଣି ଥରେ ଏହି ପାତ୍ରରେ ରୋଷେଇ ଆରମ୍ଭ କରନ୍ତେ । ଯାହା ଫଳରେ ଅନେକ କୁମ୍ଭାର ପରିବାର ବଞ୍ଚିଯାଇ ପାରନ୍ତେ ବୋଲି କହନ୍ତି ରମେଶ ।  ବିଗବଜାର ଓ ପାଣ୍ଟାଲୁନ୍‌ ଭଳି ବଡବଡ ମଲ୍‌ମାନଙ୍କରେ କାରିଗରଙ୍କ ହାତ ତିଆରି ହସ୍ତକଳା ବିକ୍ରିର ସୁବିଧା ସହ ଛୋଟବଡ ସହରମାନଙ୍କରେ ଆମ କଳାକୃତି ବିକ୍ରୟର ସୁବିଧା କରାଗଲେ କାରିଗରମାନେ ବେଶ୍‌ ଉପକୃତ ହୋଇପାରନ୍ତେ । ଟେରାକୋଟା ସାମଗ୍ରୀଗୁଡିକ ନବା ଆଣିବା ବେଳେ ଭାଙ୍ଗିଯିବାର ଭୟ ରହୁଥିବାରୁ ଆମ କାରିଗରମାନଙ୍କୁ ଉପଯୁକ୍ତ ପ୍ୟାକେଜିଂ ଉପରେ ଧ୍ୟାନ ଦେବା ଉଚିତ୍‌ ବୋଲି ରମେଶ କୁହନ୍ତି ।

ଇତି ମଧ୍ୟରେ ମାଷ୍ଟର କ୍ରାଫ୍ଟ୍‌ସମ୍ୟାନ ଭାବେ ରମେଶ ଢେଙ୍କାନାଳରେ ୪୫ ଜଣ ଛାତ୍ରଛାତ୍ରୀଙ୍କୁ ଟେରାକୋଟା କାରିଗରୀ କୌଶଳ ସଂପର୍କରେ ତାଲିମ ଦେଇଛନ୍ତି । ତାଙ୍କର ଇଚ୍ଛା ବେକାର ଯୁବକ ଯୁବତୀମାନେ ଏହି ପୋଡା ମାଟିକାମ ଶିଖି ତାଙ୍କ ଭଳି ବର୍ଷକୁ ବେଶ୍ ଭଲ ଦୁଇ ପଇସା ରୋଜଗାର କରିପାରନ୍ତେ । ଭଲ କର୍ମଶାଳାଟେ ହେଲେ ନିଜଗାଁ ଓ ଆଖପାଖରେ ରହୁଥିବା ଆଗ୍ରହୀ ଯୁବକମାନଙ୍କୁ ଏହି କାରିଗରୀ ସଂପର୍କରେ ତାଲିମ୍ ଦେବା ପାଇଁ ରମେଶଙ୍କ ମନରେ ଅନେକ ସ୍ୱପ୍ନ । ଏଥିପାଇଁ ଜିଲ୍ଲାଶିଳ୍ପ କେନ୍ଦ୍ରକୁ ଆବେଦନ କରିଛନ୍ତି ସେ । ଋମେଶଙ୍କ ମତରେ କଳାଶିକ୍ଷା ଏକ ସାଧନା ଭଳି । ଧୈର୍ଯ୍ୟ ସହ ଲାଗି ରହିଲେସଫଳତା ନିଶ୍ଚୟ ମିଳିବ । ଧିରେ ଧିରେ ଶିକ୍ଷିତ ଲୋକେ ମାଟିପାତ୍ର ଓ କଳାକୃତ୍ତି କିଣିବା ପାଇଁ ଅଧିକ ଆଗ୍ରହ ଦେଖାଉଥିବାରୁ ରମେଶ ଏହି କାରିଗରୀକୁ ନେଇ ବେଶ ଆଶାବାଦୀ । ହେଲେ ହସ୍ତଶିଳ୍ପୀମାନଙ୍କ ପାଇଁ କାମ କରୁଥିବା ସରକାରୀ ବାବୁମାନେ କାରିଗରଟିକୁ ଉପଯୁକ୍ତ ସମ୍ମାନ ଦେଉନଥିବାରୁ ରମେଶଙ୍କ ମନରେ ଅନେକ କ୍ଷୋଭ ।

ସଂପାଦକ, ଓଡିଶା ଶିଳ୍ପୀ ମହାସଂଘ, ମୋ- ୯୩୩୮୪୬୪୭୧୯

Comments are closed.