Latest Odisha News

BREAKING NEWS

ମେ’ରୁ ଭୁବନେଶ୍ୱରରୁ ଉଡ଼ିବ ଅନ୍ତର୍ଜାତୀୟ ବିମାନ

ଭୁବନେଶ୍ୱର: ଖୁବଶୀଘ୍ର ଭୁବନେଶ୍ୱରରୁ ଉଡ଼ିବ ଅନ୍ତର୍ଜାତୀୟ ବିମାନ । ଆସନ୍ତା ମେ ମାସରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିଦେଶକୁ ବିମାନ ଉଡ଼ାଣ କରିବ । ଏନେଇ ରାଜ୍ୟ ସରକାର ଏମଓୟୁ ସ୍ୱାକ୍ଷର କରିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ।

ରାଜ୍ୟ ସରକାରଙ୍କ ଚୁକ୍ତିନାମା ଅନୁସାରେ, ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋ ସିଙ୍ଗାପୁର, ଦୁବାଇ ଓ ବ୍ୟାଂକକୁ ସିଧାସଳଖ ବିମାନ ସେବା ଯୋଗାଇବ । ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ପୁରୁଣା ଟର୍ମିନାଲ କାର୍ଯ୍ୟ ମାର୍ଚ୍ଚ ସୁଦ୍ଧା ସରିବ ବୋଲି ବିମାନବନ୍ଦର ନିର୍ଦ୍ଦେଶକ କହିଛନ୍ତି । ଏହା ପରେ ପରୀକ୍ଷଣ ଉଡ଼ାଣ ହୋଇ ମେରୁ ନିୟମିତ ଉଡ଼ାଣ ହେବ ।

ରାଜ୍ୟ ସରକାରଙ୍କ ବୁଝାମଣା ଅନୁସାରେ, ଇଣ୍ଡିଗୋ ୧୮୬ଟି ସିଟ୍ ବିଶିଷ୍ଟ ବିମାନ ଭୁବନେଶ୍ୱରରୁ ସିଙ୍ଗାପୁର, ଦୁବାଇ ଓ ବ୍ୟାଂକକ ମଧ୍ୟରେ ଉଡ଼ାଣ କରିବ । ଭୁବନେଶ୍ୱରରରୁ ଏସବୁ ସ୍ଥାନକୁ ବିମାନ ଉଡ଼ାଣ ଲାଗି ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ସରକାର ଟିକେଟରୁ ରାଜସ୍ୱ ପାଇବେ ।

ଗତବର୍ଷ ଡିସେମ୍ବର ୨୮ରେ ଏସବୁ ସ୍ଥାନକୁ ବିମାନ ଉଡ଼ାଣ ଲାଗି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଥିଲା । ଗତବର୍ଷ ନଭେମ୍ବର ବିଦେଶକୁ ବିମାନ ଉଡ଼ାଣ ନେଇ ରାଜ୍ୟ ସରକାର କୋଟେସନ୍ ମାଗିଥିଲେ ।

ଏବେ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିଦେଶର କୌଣସି ସ୍ଥାନକୁ ବିମାନ ଚଳାଚଳ କରୁ ନାହିଁ । ଓଡ଼ିଶା ଆସିବାକୁ ହେଲେ ବିଦେଶୀ ଯାତ୍ରୀ କୋଲକାତା ଓ ଦିଲ୍ଲୀ ଉପରେ ନିର୍ଭର କରୁଛନ୍ତି । ୨୦୧୭ରେ ଏୟାର ଏସିଆ କ୍ୱାଲାଲମପୁରରୁ ଭୁବନେଶ୍ୱର ମଧ୍ୟରେ ବିମାନ ଚଳାଚଳ କରୁଥିବା ବେଳେ କୋଭିଡ୍ ପୂର୍ବରୁ ବନ୍ଦ ହୋଇଥିଲା । ସେହିଭଳି ୨୦୧୯ରେ ଭୁବନେଶ୍ୱର-ବ୍ୟାଂକକ ମଧ୍ୟରେ ବିମାନ ସେବା ବର୍ଷକ ପରେ ବନ୍ଦ ହୋଇ ଯାଇଥିଲା ।

 

Leave A Reply

Your email address will not be published.