Latest Odisha News

BREAKING NEWS

ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନକୁ ପ୍ରାଥମିକତା ଭାବେ ଗୁରୁତ୍ୱ ଦିଆଯିବା ଆବଶ୍ୟକ : ଆମିକସ୍ କ୍ୟୁରୀ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ସଂସ୍କାର ନିମନ୍ତେ ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ହୋଇଥିବା ବରିଷ୍ଠ ଆଇନଜୀବୀ ଆମିକସ୍ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ଶ୍ରୀମନ୍ଦିରରେ ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନକୁ ବିଶେଷ ଭାବେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ରବିବାର ଦିନ କହିଛନ୍ତି ।

ଦିଲ୍ଲୀକୁ ଫେରିଯିବା ପୂର୍ବରୁ ଆମିକସ୍ କ୍ୟୁରୀ ଗଣମାଧ୍ୟମର ସାମ୍ବାଦିକମାନଙ୍କୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର ଠାରେ କହିଛନ୍ତି, ମନ୍ଦିର ସେବାୟତମାନେ ସେମାନଙ୍କ ଆଚରଣ ପ୍ରତି ସଜାଗ ରହିବା ଆବଶ୍ୟକ ତଥା ଭକ୍ତମାନଙ୍କ ପ୍ରତି ଉତ୍ତମ ଆଚରଣ ପ୍ରଦର୍ଶନ କରିବା ଆବଶ୍ୟକ । ସେ କହିଛନ୍ତି, “ମୁଁ ସେବାୟତମାନଙ୍କୁ କହିଛି, ସେମାନେ ଭକ୍ତମାନଙ୍କ ପ୍ରତି ଭଲ ବ୍ୟବହାର ପ୍ରଦର୍ଶନ କରିବା ନିତାନ୍ତ ଆବଶ୍ୟକ ମୁଁ ଭାବୁଛି ସେମାନେ ନିଶ୍ଚିତ ରୂପେ ସେମାନଙ୍କ ଆଚରଣ ପରିବର୍ତ୍ତନ କରିବେ । ମନ୍ଦିର ନୀତି ନିର୍ଘଣ୍ଟରେ ସମୟାନୁବର୍ତ୍ତିତା ପାଳନ କରିବାକୁ ମୁଁ ଅନୁରୋଧ କରିଛି ।”

ଏହି ଅବସରରେ ଆମିକସ୍ କ୍ୟୁରୀ ମଧ୍ୟ ସେବାୟତମାନଙ୍କ ଆର୍ଥୀକ ତଥା ସାମାଜିକ ନିରାପତ୍ତା ପ୍ରତି ଯଥେଷ୍ଟ ଗୁରୁତ୍ୱ ଦେଇଥିବା କଥା ପ୍ରକାଶ କରିଛନ୍ତି ।

ଆମିକସ୍ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ପୁରୀ ଗଜପତି ମହାରାଜାଙ୍କୁ ୧୮ ତାରିଖରେ ସାକ୍ଷାତ ଆଲୋଚନା କରିବା ପରେ ମନ୍ଦିର ପରିଚାଳନା କମିଟି ସହିତ ଏକ ବୈଠକରେ ଯୋଗଦେଇଥିଲେ । ତାପରେ ସେ ପୁରୀ ସାଂସଦ ପିନାକୀ ମିଶ୍ର ଏବଂ ସ୍ଥାନୀୟ ବିଧାୟକ ମହେଶ୍ୱର ମହାନ୍ତିଙ୍କୁ ଭେଟି ଶ୍ରୀମନ୍ଦିରର ସଂସ୍କାର ସମ୍ବନ୍ଧୀୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ ।

ଶେଷରେ ସେ ଛତିଶା ନିଯୋଗ ଏବଂ ଆକାଉଣ୍ଟାଣ୍ଟ ଜେନେରାଲଙ୍କୁ ଭେଟି ମନ୍ଦିର ସଂସ୍କାର ସମ୍ବନ୍ଧୀୟ ବିଭିନ୍ନ ଆଲୋଚନା କରି ସେବାୟତ ତଥା ଭକ୍ତମାନଙ୍କର ଦର୍ଶନ ସମୟରେ ଅସୁବିଧା ତଥା ସମସ୍ୟାର ବିଭିନ୍ନ ଆଲୋଚନା କରିଥିଲେ ।

ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ହୋଇଥିବା ଆଇନଜୀବୀ ଆମିକସ୍ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ତାଙ୍କର ଏହି ଦୁଇଦିନିଆ ଗସ୍ତକ୍ରମରେ ଶୁକ୍ରବାର ଦିନ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟିବା ସହିତ ଆଇନ ସଚିବ ତଥା ପୁରୀ ଜିଲ୍ଲା ଜଜଙ୍କୁ ସାକ୍ଷାତ କରି ଏହି ପ୍ରସଙ୍ଗରେ ବିଶଦ ଆଲୋଚନା କରିଥିଲେ ।

ରବିବାର ସକାଳେ ସେ ବିମାନ ଯୋଗେ ଦିଲ୍ଲୀ ପ୍ରତ୍ତ୍ୟାବର୍ତ୍ତନ କରିଛନ୍ତି ।

Leave A Reply

Your email address will not be published.