ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ। ଦିଶାଙ୍କ ମୃତ୍ୟୁ ମାମଲାରେ ବିଧିବଦ୍ଧ ଭାବେ ତଦନ୍ତ ଆରମ୍ଭ କରିଛି ସିବିଆଇ। ଆଉ ଏହି CBI ଏତଲାରେ ଉଦ୍ଧବ ଓ ଆଦିତ୍ୟ ଠାକ୍ରେଙ୍କ ନାଁ ରହିଛି । ସେହିପରି ଏତଲାରେ ରହିଛି ରିୟା ଚକ୍ରବର୍ତ୍ତୀ, ପୂର୍ବତନ ପୋଲିସ ଅଫିସର ସଚିନ ଭାଜେଙ୍କ ନଁ। ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂଙ୍କ ନାଁରେ ମଧ୍ୟ ଏତଲା ହୋଇଛି। ମହାରାଷ୍ଟ୍ର ପୂର୍ବତନ ଗୃହ ମନ୍ତ୍ରୀ ଅନୀଲ ଦେଶମୁଖଙ୍କ ନାଁରେ ମଧ୍ୟ ଏତଲା।
ହାଇକୋର୍ଟଙ୍କ ନିର୍ଦ୍ଦେଶରେ FIR ରୁଜୁ କରିବା ସହ ତଦନ୍ତ ଆରମ୍ଭ କଲା CBI। ପ୍ରାୟ ୨ ସପ୍ତାହ ତଳେ ବମ୍ବେ ହାଇକୋର୍ଟ ଦିଶାଙ୍କ ମୃତ୍ୟୁ ମାମଲାର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ ଏବେ କେନ୍ଦ୍ରୀୟ ଏଜେନ୍ସି ତଦନ୍ତକୁ ତ୍ୱରାନ୍ୱିତ କରିଛି। ହତ୍ୟା, ଗଣଦୁଷ୍କର୍ମ, ଅପରାଧିକ ଷଡ଼ଯନ୍ତ୍ର, ପ୍ରମାଣ ନଷ୍ଟ ଓ ମିଛ ସୂଚନା ଦେବା ଭଳି ଦଫା ଅନୁସାରେ ମାମଲା ରୁଜୁ କରାଯାଇଛି। ୬ ବର୍ଷ ହେଲା ମୁମ୍ବାଇ ପୋଲିସର ତଦନ୍ତରେ ଅସନ୍ତୋଷ ପ୍ରକାଶ କରିଥିଲେ କୋର୍ଟ।
ସିବିଆଇ ଏଫଆଇଆରେ କୁହାଯାଇଛି ଯେ “ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଅନ୍ୟମାନେ ଘଟଣାକୁ ଚପାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ସମ୍ପୃକ୍ତ ସରକାରୀ କର୍ମଚାରୀ ଓ ପୋଲିସ ଅଧିକାରୀମାନଙ୍କ ବିରୋଧରେ ମାମଲା ସମ୍ପର୍କିତ କାଗଜପତ୍ର, ଫାଇଲ ଓ ଅନ୍ୟାନ୍ୟ ସରକାରୀ ରେକର୍ଡ ନଷ୍ଟ କରିବା, ସରକାରୀ ରେକର୍ଡରେ ଜାଲିଆତି କରିବା, ବେଆଇନ ଭାବେ ସରକାରୀ ଅର୍ଥ, ମାନବ ସମ୍ବଳ ଓ ପୋଲିସ ବ୍ୟବସ୍ଥାର ଅପବ୍ୟବହାର କରିବା ଏବଂ ଦୋଷୀମାନଙ୍କୁ ସୁରକ୍ଷା ଦେବା ଅଭିଯୋଗରେ ମଧ୍ୟ ତଦନ୍ତ କରାଯିବା ଉଚିତ।
ଏହା ସହ ମାମଲାକୁ କେବଳ ଦୁର୍ଘଟଣାଜନିତ ମୃତ୍ୟୁ ଭାବେ ବିଚାର କରାଯିବା ନିଷ୍ପତ୍ତି ଉପରେ ମଧ୍ୟ କୋର୍ଟ ପ୍ରଶ୍ନ ଉଠାଇଥିଲେ। ତଦନ୍ତରେ ସ୍ପଷ୍ଟ ଅସଙ୍ଗତି ଥିବା କୋର୍ଟ ଦର୍ଶାଇଥିଲେ। ୨୦୨୦ ଜୁନ୍ ୮ ତାରିଖରେ ମୁମ୍ବାଇର ମାଲାଡ୍ ଅଞ୍ଚଳର ଏକ ଆବାସିକ କୋଠାରୁ ତଳକୁ ପଡ଼ି ଦିଶା ସାଲିଆନଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ମୁମ୍ବାଇ ପୋଲିସ ଏକ Accidental Death Report (ADR) ରୁଜୁ କରିଥିଲା।
ଦିଶା ସାଲିଆନ କିଛି ସମୟ ପାଇଁ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମ୍ୟାନେଜର ଭାବେ କାମ କରିଥିଲେ। ଦିଶାଙ୍କ ମୃତ୍ୟୁର ମାତ୍ର ୬ ଦିନ ପରେ ଜୁନ୍ ୧୪ ତାରିଖରେ ସୁଶାନ୍ତ ସିଂହ ରାଜପୁତଙ୍କୁ ତାଙ୍କ ବାନ୍ଦ୍ରାସ୍ଥିତ ବାସଭବନରେ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଦୁଇ ମୃତ୍ୟୁ ମଧ୍ୟରେ ଥିବା ସମୟର ନିକଟତାକୁ ନେଇ ଉଭୟ ଘଟଣା ମଧ୍ୟରେ ସମ୍ଭାବ୍ୟ ସମ୍ପର୍କ ଥିବା ନେଇ ବ୍ୟାପକ ଚର୍ଚ୍ଚା ଓ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ତେବେ ଉଭୟ ମାମଲାର ତଦନ୍ତ ଅଲଗା ଭାବେ କରାଯାଇଥିଲା।

