ପୁରୀ: ଆଜିଠାରୁ ୩ ରଥ ଖୋଲାକାମ ଆରମ୍ଭ ହୋଇଛି । ରଥ ନିର୍ମାଣ ସେବକ, ପରିଚାଳନା କମିଟି ସଦସ୍ୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଭୋଇ ସେବକ ମାନେ ପରମ୍ପରା ଅନୁଯାୟୀ ରଥ ଖୋଲା କାମ ଆରମ୍ଭ କରିଛନ୍ତି । କିନ୍ତୁ ରଥକୁ ନଭାଙ୍ଗି ସୁରକ୍ଷିତ ଭାବେ ଖୋଲାଯାଉଛି ।
ଏହି କାର୍ଯ୍ୟ ଏକ ମାସ ଧରି ଚାଲିବ । ଜଗନ୍ନାଥ ବଲ୍ଲଭ ମଠରେ ରହିବ ଏହି ୩ ରଥ । ଚଳିତବର୍ଷର ରଥକୁ ଭକ୍ତ ଯେଭଳି ଦେଖିବେ ସେଥିପାଇଁ ଜଗନ୍ନାଥ ବଲ୍ଲଭ ରଥରେ ୩ ରଥ ଓ ରଥଯାତ୍ରାର ସମସ୍ତ ମହାପ୍ରଭୁଙ୍କ ନୀତିକାନ୍ତିର ଚିତ୍ରକଳା ରଖାଯିବ ।
ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥ ଦେବୀଦଳନ ଖୋଲାଯାଉଛି । ଉପର ଅଂଶରୁ ଖୋଲାଯିବା କାମ ଆରମ୍ଭ ହୋଇଛି । ପ୍ରଥମେ ଓଲଟସୁଆ ତାପରେ କଳସ ଖୋଲାଯିବା ପରେ ଅଁଳାବେଢା, ପାରାଭାଡି, ପୋଟଳ ଆଦି ରଥର ବିଭିନ୍ନ ଅଂଶକୁ ଖୋଲା ଯାଉଛି । କ୍ରେନ ସହାୟତାରେ ଉପର ଅଂଶଗୁଡିକୁ ସୁରକ୍ଷିତ ଭାବେ ତଳକୁ ଅଣାଯାଉଛି । ରଥ ଖୋଲା କାମରେ ଭୋଇ ସର୍ଦ୍ଦାର, ୫ ଜଣ କମାର ସେବକ, ତିନିରଥର ମୁଖ୍ୟ ମହାରଣା ନିୟୋଜିତ ହୋଇଛନ୍ତି ।
Comments are closed.