Latest Odisha News

BREAKING NEWS

କରୋନା କୋପ, ୪ ଅନାଥ ଶିଶୁଙ୍କ ଦାୟିତ୍ୱ ନେଲା ରାୟଗଡା ଜିଲ୍ଲା ପ୍ରଶାସନ

ରାୟଗଡା: ଘାତକ କରୋନା ମହାମାରୀକୁ ନେଇ ସାରା ଦେଶ ପ୍ରଭାବିତ । କିଏ ପରିବାର ସଦସ୍ୟଙ୍କୁ ହରାଇଛନ୍ତି ତ କେହି ସର୍ବହରା ହୋଇଛନ୍ତି । ଏପରି ସ୍ଥିତିରେ ରାୟଗଡା ଜିଲ୍ଲାର ଦୁଇଟି ପରିବାର ଗଭୀର ରୂପେ ପ୍ରଭାବିତ ହୋଇଛି । ତେବେ ସେମାନଙ୍କ ଥଇଥାନ ପାଇଁ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।

ଗୁଡାରି ବ୍ଲକ ଅନ୍ତର୍ଗତ ଗୁଂଜିଗୁଡା ଓ ଲକ୍ଷ୍ମୀପୁର ଗାଁର ଦୁଇଟି ପରିବାରର ବୟସ୍କ ସଦସ୍ୟମାନେ କରୋନାରେ ସଂକମ୍ରିତ ହୋଇ ପ୍ରାଣ ହରାଇଥିଲେ । ଫଳରେ ଦୁଇଟି ପରିବାରର ୪ଜଣ ଶିଶୁ ଅନାଥ ହୋଇପଡିଛନ୍ତି । ତେବେ ଏହି ଅସହାୟ ଶିଶୁଙ୍କ ବିଷୟରେ ଖବର ପାଇ ସେମାନଙ୍କୁ ପ୍ରତ୍ୟକ୍ଷ ସହାୟତାର ପ୍ରତିଶ୍ରୁତି ଦେଇଛି ଜିଲ୍ଲା ପ୍ରଶାସନ ।

ଆଜି ଜିଲ୍ଲା ପ୍ରଶାସନ ତରଫରୁ ଶିଶୁ ବିଭାଗର ଅଧିକାରୀ ରମେଶ ନାୟକ ଓ ଗୁଡାରି ବ୍ଲକ ଶିଶୁ ବିଭାଗର ଉନ୍ନୟନ ଅଧିକାରୀ ପୁଷ୍ପାଂଜଳି ପଟ୍ଟନାୟକ ଚାରି ଅନାଥ ଶିଶୁଙ୍କ ନିକଟରେ ପହଂଚିଥିଲେ । ପ୍ରଥମ ପଦକ୍ଷେପ ତଥା ସହାୟତା ରୂପେ ଅନାଥ ଶିଶୁମାନଙ୍କୁ ଶୁଖିଲା ଖାଦ୍ୟ, ମାସ୍କ ଓ ସାନିଟାଇଜର ପ୍ରଦାନ କରିଥିଲେ । ପରେ ଅନାଥ ଶିଶୁଙ୍କର ସମସ୍ତ ଦାୟିତ୍ୱ ଜିଲ୍ଲା ପ୍ରଶାସନ ନେବ ବୋଲି ନିର୍ଭର ପ୍ରତିଶ୍ରୁତି ମଧ୍ୟ ଦେଇଥିବା ସୂଚନା ମିଳିଛି ।

ଅନ୍ୟପଟେ ଜିଲ୍ଲା ପ୍ରଶାସନର ଏପରକି ନିଷ୍ପତ୍ତିକୁ ବୁଦ୍ଧିଜୀବୀ ମହଲରେ ସ୍ୱାଗତ କରାଯାଇଛି । ଅନାଥ ଚାରି ଶିଶୁଙ୍କୁ ସାମାଜିକ ସୁରକ୍ଷା ଓ ଆବଶ୍ୟକ ସହାୟତା ଯୋଗାଇବାକୁ ଜିଲ୍ଲା ପ୍ରଶାସନ ନିକଟରେ ନିବେଦନ କରିଛନ୍ତି କିଛି ବରିଷ୍ଠ ସାମାଜିକ କର୍ମୀ ।

Leave A Reply

Your email address will not be published.