Latest Odisha News

BREAKING NEWS

ସରକାର ଯୋଜନା ପାଲଟିଛି ସାତ ସପନ, ଓଳିଏ ଖାଇଲେ ଓଳିଏ ଉପାସ ରହୁଛନ୍ତି ଦିବ୍ୟାଙ୍ଗ ଯୁଧିଷ୍ଠିର

ସରକାରଙ୍କ ବିଭିନ୍ନ ମହତ୍ ଯୋଜନାରୁ ବଞ୍ଚିତ ହୋଇ ଜଣେ ଗରିବ ଦିବ୍ୟାଙ୍ଗ ଯୁଧିଷ୍ଠିର ଟାହାଣୀଙ୍କ ପରିବାର ପିଲାଛୁଆ ଧରି ଝାଟିମାଟି କୁଡ଼ିଆରେ ଜୀବନ ବିତାଉଥିବା ଭଳି ଏକ ଅଭାବନୀୟ ଚିତ୍ର ଖଡ଼ିଆଳ ବ୍ଲକ ଖାସବାହାଲ ପଞ୍ଚାୟତ ଚଚରାଭଟା ଗ୍ରାମରେ ଦେଖିବାକୁ ମିଳିଛି ।

ନୂଆପଡା: ସରକାର ଗରିବ ଶ୍ରେଣୀର ଲୋକଙ୍କୁ ଗ୍ରାମୀଣ ଆବାସରେ ଘର ଖଣ୍ଡିଏ ଯୋଗାଇବାର ବ୍ୟବସ୍ଥା କରିଛନ୍ତି । ଏମିତିକି ଭିନ୍ନକ୍ଷମ ମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରାଥମିକତା ଦେବାର ନିୟମ ରହିଛି । ଏ ହେଉଛନ୍ତି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଖାସବାହାଲ ପଞ୍ଚାୟତ ଚଚରାଭଟା ଗ୍ରାମର ଦିବ୍ୟାଙ୍ଗ ଯୁଧିଷ୍ଠିର ଟାହାଣୀ । ପତ୍ନୀ, ପାଞ୍ଚ ପୁଅଝିଅଙ୍କୁ ନେଇ ଯୁଧିଷ୍ଠିରଙ୍କ ସଂସାର । ଦୁଇ ପୁଅ ଦାଦନ ଖଟି ଯାଇଥିବା ବେଳେ ପରଘରେ ସ୍ୱାମି,ସ୍ତ୍ରୀ ମୁଲଲାଗିଲେ ଦୁଇ ଓଳି ଖାଇବାକୁ ମିଳେ । ସରକାରୀ ଯୋଜନା କହିଲେ ଦିବ୍ୟାଙ୍ଗ ଭତ୍ତା ଓ ରାସନ କାର୍ଡରେ ମିଳୁ ଥିବା କିଛି ଚାଉଳ ହିଁ ଭରସା  । ଖଡ଼ିଆଳ ବ୍ଲକ ଚଚରାଭଟା ଗାଁର ଦିବ୍ୟାଙ୍ଗ ଯୁଧିଷ୍ଠିରଙ୍କ ପରିସ୍ଥିତି ଯେ ସ୍ଵଚକ୍ଷୁରେ ନଦେଖିଛି ସେ କେବେ ବିଶ୍ୱାସ କରିବ ନାହିଁ । ଆଜିର ଦିନରେ ମଧ୍ୟ ଦୀର୍ଘ ବର୍ଷ ହେବ ଏକ କେନାଲ ହୁଡାରେ ଝାଟିମାଟି କୁଡ଼ିଆ କରି ରହିଥିବା ବେଳେ ସରକାରଙ୍କ ଯୋଜନା ତାଙ୍କ ପ୍ରତି ସାତ ସପନ ଭଳି ମନେ ହେଉଛି ।

ପାଞ୍ଚ କୁଟୁମ୍ଭ ମଧ୍ୟରୁ ଦୁଇ ଜଣ ପେଟପାଟଣା ପାଇଁ ଦାଦନ ଯାଇଥିବା ବେଳେ ଦୁର୍ବିସହ ଜୀବନ ଜିଉଁଛନ୍ତି ଘରେ ଥିବା ସଦସ୍ୟ । ଯୁଧିଷ୍ଠିର ଦିବ୍ୟାଙ୍ଗ ହୋଇଥିବା ହେତୁ କୌଣସି କାମଧନ୍ଦା କରି ପାରନ୍ତି ନାହିଁ । ସରକାରଙ୍କ  କିଛି ଚାଉଳ ସହ ଭିନ୍ନକ୍ଷମ ଭତ୍ତା ହିଁ ତାଙ୍କର ଭରସା । ସରକାର ଥିଲା ବାଲା ଲୋକଙ୍କୁ ଘର ଯୋଗାଇ ଦେଉଥିବା ବେଳେ ଯୁଧିଷ୍ଠିରଙ୍କ ପାଇଁ ସତେ ଯେମିତି ଅନ୍ଧ ସାଜି ଯାଇଛନ୍ତି । ସ୍ଥାନୀୟ ଜନ ପ୍ରତିନିଧି ମାନେ କେବଳ ନିର୍ବାଚନ ସମୟରେ ଆସୁଥିବା ବେଳେ ପ୍ରକୃତ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଦେଖିବାକୁ ତାଙ୍କ ପାଖରେ ସମୟ ନାହିଁ । ଏହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ଯୁଧିଷ୍ଠିରଙ୍କୁ ଘର ଖଣ୍ଡିକ ସହ ତାଙ୍କ ନାମରେ ଏକ ଅନ୍ତଦୟ କାର୍ଡ ପ୍ରଦାନ ପାଇଁ ଦାବି କରିଛନ୍ତି ।

ସେପଟେ ବାରମ୍ବାର ସ୍ଥାନୀୟ ସରପଞ୍ଚଙ୍କ ଠାରୁ ନେଇ ଖଡ଼ିଆଳ ବିଡିଓଙ୍କ ପର୍ଯ୍ୟନ୍ତ ଗୁହାରି କରିଥିଲେ ହେଁ କୌଣସି ସୁଫଳ ମିଳିନଥିବା କହିଛନ୍ତି ଉଭୟ ଯୁଧିଷ୍ଠିର ଟାହାଣୀ ଓ ତାଙ୍କ ପତ୍ନୀ । ଏ ବାବଦରେ ପଚାରିବାରୁ ‘ଆପଣଙ୍କଠୁ ଏ ଖବଏ ଶୁଣିଛି ବର୍ତ୍ତମାନ ସେହି ନିର୍ଦ୍ଧିଷ୍ଟ ପୋର୍ଟାଲ ବନ୍ଦ ଅଛି । ତଦନ୍ତ କରି ତାଙ୍କ ନାମ ସାମିଲ କରି ଘର ପ୍ରଦାନ ପାଇଁ ଚେଷ୍ଟା କରାଯିବ ଓ ଯୋଗାଣ ନିରକ୍ଷକଙ୍କ ସହ ଯୋଗାଯୋଗ କରି ଅନ୍ତଦୟ କାର୍ଡର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଖଡ଼ିଆଳ ବିଡ଼ିଓ ।

Leave A Reply

Your email address will not be published.