Latest Odisha News

BREAKING NEWS

କୁକୁର ଚରା

ଚିନ୍ମୟ କୁମାର ହୋତାଙ୍କ ନିୟମିତ ସ୍ତମ୍ଭ ଏଇ କଥାକୁ ……

ପଡୋଶୀଙ୍କ ଘରେ କେବଳ ତାଙ୍କର ସ୍କୁଲ ପଢୁଆ ସାନ ପୁଅ ବ୍ୟତୀତ ବାକି ସମସ୍ତେ ଏକା ସାଙ୍ଗରେ କୋଭିଡ ଆକ୍ରାନ୍ତ ଜଣା ପଡିବା ପରେ ନିଜ ସ୍ୱାସ୍ଥ୍ୟକୁକୁ ନେଇ ଯେତିକି ନୁହେଁ, ସେମାନେ ତା’ଠୁ ଅଧିକ ବିଚଳିତ ହୋଇ ଉଠିଥିଲେ ପୋଷା କୁକୁରକୁ ବାହାରକୁ ବୁଲେଇ ନେବା ବିଷୟରେ। କୁକୁରର ପ୍ରାତଃ ଭ୍ରମଣ ସବୁଦିନିଆ ରୁଟିନ, ତେଣୁ ସେ ପରିବାର ସଦସ୍ୟ ମାନଙ୍କୁ ବ୍ୟସ୍ତ କରି ପକେଇବା ସ୍ୱାଭାବିକ। ଦାୟିତ୍ୱ ପଡିଲା ସୁସ୍ଥ ସାନ ପୁଅ ଉପରେ ଓ ସେ କୁକୁର ନେଇ ବାହାରକୁ ଗଲା ମଧ୍ୟ, ହେଲେ ଅଳ୍ପ ସମୟ ପରେ ଫେରି ଆସି କହିଲା, ଘରେ କୋଭିଡ ହେଇଥିବାରୁ କଲୋନୀ ବାଲା ବାହାରେ ବୁଲିବାକୁ ବାରଣ କଲେ।

ଯିଏ କୁକୁର ପାଳି ନାହିଁ ତା’ ପକ୍ଷରେ ବୁଝିବା କଷ୍ଟକର ଏହି କୁକୁର ଚରାର ଗୁରୁତ୍ତ୍ଵ। କ୍ଷମା କରିବେ ଆଜ୍ଞା, ମୁଁ ‘ଡଗ ୱାକିଂ’ ‘ ଭଳି ଏକ ପରିଚ୍ଛନ୍ନ   ଅଭ୍ୟାସକୁ ‘କୁକୁର ଚରା’ ଭଳି ଏକ ଗାଉଁଲି ଶୈଳୀରେ ବର୍ଣ୍ଣନା କରୁଛି ବୋଲି । ଅବଶ୍ୟ ଏ ବିଷୟରେ ମୁଁ ଅବଗତ ଅଛି ଯେ କୁକୁର ପାଳୁଥିବା ବ୍ୟକ୍ତି ମାନେ ତାଙ୍କ ପ୍ରିୟ ପଶୁଟି ପ୍ରତି ବ୍ୟବହାର ହେଉଥିବା ଭାଷା ଓ ଶବ୍ଦ ବିଷୟରେ କେତେ ସମ୍ବେଦନଶୀଳ। ଥରେ ମୋ ଘର ପାଖର ଜଣେ ବ୍ୟକ୍ତି ତାଙ୍କ କୁକୁର କୁ କସରତ ଶିଖାଉଥିବା ବେଳେ ମୁଁ ଖୁସିରେ କହି ପକାଇଥିଲି, “ବାଃ କୁକୁରଟି ବେଶ କଥା ମାନୁଛି ତ।” ପଡୋଶୀ ବିରକ୍ତ ଭରେ ପ୍ରତିବାଦ କଲେ, “କୁକୁର କଣ କହୁଛନ୍ତି, ଡଗି କି ତା’ର ନାଁ ଜ୍ୟାକି କହିପାରୁ ନାହାନ୍ତି?”  ମୁଁ ଘଟଣାର ତାତ୍ପର୍ଯ୍ୟ ବୁଝିବାକୁ ଚେଷ୍ଟା କରୁଥିବା ବେଳେ କୁକୁରଟି, ନା ନା ଡଗି, ମୋତେ ଏମିତି ତାଚ୍ଛଲ୍ୟପୂର୍ଣ୍ଣ ଆଖିରେ ଦେଖୁଥିଲା ଯେମିତି ସେ ବିଶ୍ୱାସ କରିପାରୁନି ଏଇ ଶିଷ୍ଟାଚାର ରହିତ ବ୍ୟକ୍ତିଟି ଏଇ ଇଲାକାକୁ ଆସିଲା କେମିତି। ଏହି ଘଟଣା ପରେ ମୁଁ ପଡୋଶୀଙ୍କୁ ଡଗି ସହିତ ବୁଲୁଥିବାର ଦେଖିଲେ ବାଟ ଭାଙ୍ଗି ଚାଲିଯାଉଥିଲି, ଅବଶ୍ୟ ଡଗି ଭୁକି ଭୁକି ମୋ ପ୍ରତି ତା’ର ପୁରୁଣା ଅସ୍ୱୀକୃତି ପ୍ରକାଶ କରୁଥିଲା।

ଏବେ ପୁଣି ମୁଖ୍ୟ ପ୍ରସଙ୍ଗକୁ ଫେରିବା: କୁକୁର ଚରା ହେଉ କି ଚଲା ହେଉ ଅଥବା ଡଗ ୱାକିଂ, ସବୁ କ୍ଷେତ୍ରରେ ସେହି ଗୋଟିଏ କଥା, ସକାଳ ହେଲେ ପୋଷା କୁକୁରକୁ ବାହାରେ ବିଚରଣ କରେଇବା। ପ୍ରାତଃ ଭ୍ରମଣକାରୀ ମାନଙ୍କର ସବୁଦିନ ଭେଟ ହୁଏ ଏହି କୁକୁର ବିଚାରଣକାରୀ ଖାଉନ୍ଦ ମାନଙ୍କ ସାଙ୍ଗରେ। କିନ୍ତୁ ଆମର ସହରାଞ୍ଚଳ ମାନଙ୍କରେ ଏହି ପ୍ରକ୍ରିୟା ପଛରେ ଏକ ଜରୁରୀ  ଉଦ୍ଦେଶ୍ୟ ଜଡିତ ଥାଏ ବୋଲି ମନେ ହୁଏ, ଯାହା ହେଲା ପଶୁଟିର ନିତ୍ୟକର୍ମଟି ଘରୁ ବାହାରି ଯାଇ ଖୋଲା ଆକାଶ ତଳେ ସାରିଦେବା। ଅର୍ଥାତ ସରକାରୀ ଭାଷା ଅନୁସାରେ ‘ମୁକ୍ତ ଆକାଶ ଶୌଚ’। ଘରେ ଆମେ ସିନା ନିଜେ ସଫା ସୁତୁରା ରହିବୁ, ପାଳିତ ପଶୁଟି ପାଇଁ ବାହାରେ ଏତେ ପ୍ରଶସ୍ତ ସ୍ଥାନ ପଡିଛି, ସେଠି ଶୌଚ କାର୍ଯ୍ୟ ସାରିଦେଲେ ଅସୁବିଧା କ’ଣ ବା ରହିଲା ?

ଅସୁବିଧା କଥା ଅଙ୍ଗେ ନିଭାନ୍ତି ମୋ ଭଳି ପ୍ରାତଃ ଭ୍ରମଣରେ ବାହାରୁଥିବା ମଣିଷ ମାନେ। ଫୁଟପାଥରେ ସାମାନ୍ୟ ଅସାଵଧାନ ହୋଇ ଚାଲିଲେ ଆପଣ କ’ଣ ସବୁ ମାଡ଼ିବେ ତା’ର ଗେରେଣ୍ଟି କେହି ଦେଇପାରିବେନି । ଆଉ ଯଦି ପକ୍ଷୀର ରାବକୁ ଶୁଣି ଓ ବୃକ୍ଷଲତାର ସବୁଜିମାକୁ ଦେଖି ଚାଲିବାର ଅଭ୍ୟାସ କରିଥିବେ ତେବେ ତ କଥା ସରିଲା। ବିପଦ କେବଳ ଭୂଇଁରେ ସୀମିତ ନୁହେଁ, ଏହା କେଉଁ ଦିଗରୁ ମଧ୍ୟ ଆସିପାରେ। ଏଇ ଯେମିତି ଆପଣଙ୍କ ଚାଲିବାର ଗତି ଟିକିଏ ଅଧିକ ହେଇ ଯିବାପରେ ଆପଣ ସଦ୍ୟ ଅତିକ୍ରମ କରିଆସିଥିବା ଆଲସେସିଆନଟି ହଠାତ ଅତର୍କିତ ଭାବରେ ଆପଣଙ୍କ ଉପରେ ଲମ୍ଫ ଦେବାର ଉପକ୍ରମ କରି ପାରେ, ମୁନିବର ‘ନୋ ଟମି, ନୋ’ ଆଦେଶକୁ ଭୃକ୍ଷେପ ନ କରି।

କୁକୁର ଚରାକୁ ବିରୋଧ କରିବା ମଧ୍ୟ ସହଜସାଧ୍ୟ ନୁହେଁ, ଅନେକ ନାମୀ ଦାମୀ କୁକୁରର ମାଲିକ ସମାଜର ପ୍ରତିପତ୍ତିଶାଳୀ ବ୍ୟକ୍ତି, ଏଣୁ ଆପଣ ସେମାନଙ୍କ ଦ୍ୱାରା ‘ପଶୁ ମାନଙ୍କ ପ୍ରତି ନିଷ୍ଠୁର’ ବୋଲି ଘୋଷିତ ହୋଇ ପାରନ୍ତି। ମଣିଷର ମୁକ୍ତ ଶୌଚ ବିଷୟରେ ସିନା ସରକାର ତତ୍ପର, ହେଲେ ପଶୁର ମୁକ୍ତ ଶୌଚ ପାଇଁ ଆମ ଏଠିକା କର୍ତ୍ତୃପକ୍ଷ ସେତେଟା ସଜାଗ ନୁହନ୍ତି। ଅବଶ୍ୟ ମୁମ୍ବାଇ ମହାନଗରୀର କେତେ ଇଲାକାରେ ପଶୁ ମୁକ୍ତ ଶୌଚ ରୋକିବା ପାଇଁ କଡା ପଦକ୍ଷେପ ନିଆ ଯାଇଛି। ବିଦେଶରେ ତ ଠାଏଁ ଠାଏଁ କୁକୁର ମାନଙ୍କ ପାଇଁ ଶୌଚାଳୟର ବ୍ୟବସ୍ଥା ମଧ୍ୟ କରା ଯାଇଛି। ଆଉ ଯେଉଁଠି ସେ ବ୍ୟବସ୍ଥା ନାହିଁ  ସେଇଠି ଆପଣଙ୍କ ପ୍ରିୟ ପଶୁଟିର ବର୍ଜ୍ୟ ବସ୍ତୁ କୁ ଗୋଟେଇ ନେବାର ଦାୟିତ୍ୱ ଆପଣଙ୍କର। ଏମିତି କଟକଣା ସତ୍ତ୍ୱେ ସେଠି ଅନେକ କୁକୁରପ୍ରେମୀ ତାଙ୍କ ପ୍ରିୟ ସାଥୀଟି ସହ ହାତରେ ମଳ ପାରିଷ୍କାର କରିବାର ଉପକରଣ ଧରି ଚାଲୁଥିବାର ଦେଖାଯାଏ।

ଗୃହ ପାଳିତ ପଶୁଟିକୁ ବାହାରକୁ ବୁଲାଇ ନେବାର ଅର୍ଥ ନୁହେଁ ଯେ ଖାଲି ତା’ର ନିତ୍ୟକର୍ମ କଥାଟି ତୁଲେଇବା। କୁକୁର ଚରା ମାଧ୍ୟମରେ ଉଭୟ ପଶୁ ଓ ମଣିଷ ଉପକୃତ ହୋଇ ଥା’ନ୍ତି ମାନସିକ ଓ ଶାରୀରିକ ସ୍ଥରରେ । ଜୀବଟି ବାହାର ଦୁନିଆକୁ ଆସି ତା’ର କୌତୁହଳ ମେଣ୍ଟାଏ ଓ ଶୃଙ୍ଖଳା ଶିଖେ ଏବଂ ତା’ର ମୁନିବ ତାଜା ଅବହାୱାରେ ଚାଲିବାର ଲାଭ ଉଠାନ୍ତି। ଏହି ପ୍ରସଙ୍ଗରେ  କିଏ ଜଣେ ଚିନ୍ତାଶୀଳ ବ୍ୟକ୍ତି କହିଥିଲେ, “ମଣିଷ ଚାଲିବା ଉଦ୍ଦେଶ୍ୟରେ ବାହାରକୁ ବାହାରିବା ପାଇଁ କୁକୁରଟିଏ ବୋଧେ ଆଧୁନିକ ଯୁଗରେ ବଞ୍ଚି ରହିଥିବା ଏକମାତ୍ର ବାହାନା।”

 

Leave A Reply

Your email address will not be published.