Latest Odisha News

BREAKING NEWS

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା; ଝିମିରି ଫଗୁରେ ଭକ୍ତଙ୍କ ସହ ହୋଲି ଖେଳିବେ ମହାପ୍ରଭୁ

ପୁରୀ: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଗାଁ ଗାଁରେ ଜମୁଛି ଦୋଳ ମେଲଣ। ଗାଁକୁ ଗାଁ, ସାହିକୁ ସାହି ବୁଲି ବୁଲି ଭୋଗ ଖାଇବା ସହ ରଙ୍ଗବେରଙ୍ଗ ଅବିରରେ ହୋଲି ଖେଳିବେ ଦୋଳ ଗୋବିନ୍ଦ। ଏହି ଅବସରରେ ଅନେକ ସ୍ଥାନରେ ବାଡ଼ିଖେଳ ମଧ୍ୟ ହେବ। ସେପଟେ ଏଥିପାଇଁ ଆଜି ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତକାନ୍ତି କରାଯାଉଛି। ଚତୁର୍ଦ୍ଧାମୂର୍ତ୍ତି ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେବା ସହ ଝିମିରି ଫଗୁରେ ହୋଲି ଖେଳିବେ।

ଭୋରରୁ ଶ୍ରୀମନ୍ଦିର ଦ୍ବାର ଫିଟା ପରେ ମଙ୍ଗଳ ଆଳତି, ସୂର୍ଯ୍ୟପୂଜା ଓ ଦ୍ବାରପାଳ ପୂଜା କରାଯିବ । ମହାପ୍ରଭୁଙ୍କୁ ନୂଆ ଲୁଗା ପରିଧାନ କରାଯିବା ସହ ବେଶ କରାଯିବ । ପରେ ଅନ୍ୟାନ୍ୟ ନୀତି ବଢ଼ି ଦୋଳବେଦୀକୁ ମହାପ୍ରଭୁ ବିଜେ କରିବେ । ଶ୍ରୀମନ୍ଦିରରୁ ଖଇକୋରା ପ୍ରସାଦ ପାଇ ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ, ଭୁଦେବୀ, ଶ୍ରୀଦେବୀ ମଣି ବିମାନରେ ବିଜେ କରି ଦୋଳ ବେଦୀକୁ ଯିବେ । ସେଠାରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହେବା ସହ ଭକ୍ତଙ୍କ ସହ ମହାପ୍ରଭୁ ଅବିର ଖେଳିବେ ।

ବିଶ୍ୱାସ ରହିଛି, ଫାଲଗୁନ ଶୁକ୍ଳ ଦଶମୀରୁ ଚୈତ୍ର କୃଷ୍ଣ ପ୍ରତିପଦା ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ । ସେପଟେ  ମଧ୍ୟାହ୍ନଧୂପ ସରିବା ପରେ ମହାପ୍ରଭୁଙ୍କୁ ରାଜରାଜେଶ୍ୱର ବେଶରେ ସଜ୍ଜିତ ହେବାପରେ ଠାକୁର ଠାକୁରାଣୀଙ୍କୁ ଝିମିରି ଫଗୁ ଲାଗି କରାଯିବ। ସେପଟେ ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ପୂର୍ବଦିନ ଅର୍ଥାତ ଗତକାଲି ସଂଧ୍ୟାରେ ମହାପ୍ରଭୁଙ୍କ ମେଣ୍ଡାପୋଡି ନୀତି ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ସରିବା ପରେ ଆଜ୍ଞାମାଳ ପାଇ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଶ୍ରୀଦେବୀ, ଭୂଦେବୀ ଦୋଳବେଦୀକୁ ବିଜେ କରିଥିଲେ। ସେଠାରେ ଗଜପତିଙ୍କ ପ୍ରତିନିଧି ମୁଦିରସ୍ତଙ୍କ ଉପସ୍ଥିତିରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ହୋମ, ଦେବନୀତି, ବନ୍ଦାପନା ପରେ ଭୋଗ ହୋଇଥିଲା । ମାରୱାଡି ସଂପ୍ରଦାୟର ମହିଳାଙ୍କ ଦ୍ୱାରା ପୂର୍ବରୁ ସଂଗୃହିତ ଘଷିରେ ଅଗ୍ନି ସଂଯୋଗ କରାଯାଇଥିଲା । ବିଶ୍ୱାସ ଅନୁଯାୟୀ ହୋଲିକା ରାକ୍ଷାସୀକୁ ଦହନର ପ୍ରତିଫଳନ ସ୍ୱରୁପ ଏହି ମେଣ୍ଡାପୋଡି ନୀତି ଅନୁଷ୍ଠିତ ହୁଏ

 

 

Leave A Reply

Your email address will not be published.