Latest Odisha News

ଡଲାର୍ ଡରାଉଛି ଟଙ୍କାକୁ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ “ଶବ୍ଦ ତୂଣୀର” 

ଭାରତବର୍ଷର ଅର୍ଥନୀତିକୁ ଯେଉଁଦିନଠାରୁ କଳାଟଙ୍କାର କ୍ୟାନ୍‌ସର୍ ଗ୍ରାସକଲା, ସେଇଦିନଠାରୁ ଆରମ୍ଭ ହେଲା ଭାରତୀୟମାନଙ୍କର ଭାଗ୍ୟବିପର୍ଯ୍ୟୟର କାଳରାତ୍ରି ! ଆମର ସ୍ୱାଧୀନତା ବା ମୁକ୍ତିର ମଧ୍ୟରାତ୍ରିକୁ ନିହାତି ନିଷ୍ପ୍ରଭ କରିସାରିଛି ଏ କଳଙ୍କିତ କାଳରାତ୍ରି  । ଏହି କ୍ରମରେ ରୁଗ୍‌ଣ ରାଜନୀତି ଓ ଋଣୀ ଅର୍ଥନୀତିର ମିଳିତ ଚକ୍ର ଲୁଟିଚାଲିଛି ଭାରତୀୟ ମହାଜାତିର ଭାଗ୍ୟ ଓ ଭବିଷ୍ୟତ  । ଜାତୀୟସମ୍ପତି ଏବେ ଦ୍ରୁତଗତିରେ ବ୍ୟକ୍ତିସମ୍ପତି ପାଲଟୁଛି ଏ ଭୂଖଣ୍ଡର ଭିନ୍ନ ଭିନ୍ନ ଖଣ୍ଡରେ  ।

ମହାଜନୀ ଶାସନବ୍ୟବସ୍ଥାର ମତଲବୀ ସୂତ୍ରଧରମାନେ ଜନଗଣଙ୍କ ଉପରେ କରବୃଦ୍ଧି ଓ ବାଣିଜ୍ୟବ୍ୟବସାୟ କ୍ଷେତ୍ରରେ ଦରବୃଦ୍ଧି ଦ୍ୱାରା ଅମାପ ଧନ ଅକ୍ତିୟାର କରୁଛନ୍ତି ନାନା କୌଶଳରେ  । ସେ କଳାଧନ ଟଙ୍କାକୁ ଡଲାର୍‌ରେ ପରିଣତ କରିବାର ଏବଂ ଡଲାର୍‌ର ଅକଳ୍ପନୀୟ ଶକ୍ତିବର୍ଦ୍ଧନ କରିବାର ଏକ ବିଷପ୍ରକ୍ରିୟା ମାତ୍ର  । ଡଲାର୍‌ର ଦାଦାଗିରି ସାରାଦୁନିଆକୁ ଦୋହଲାଇ ଦେଇଛି  । ଲଘୁଚାପ ଭଳି ଅର୍ଥନୈତିକ ଅବପାତ ଆରମ୍ଭ ହୋଇଛି  । ଭାରତବର୍ଷରେ ଟଙ୍କାର ଦର କମିବା ସଙ୍ଗେସଙ୍ଗେ ମଣିଷର ମୂଲ୍ୟ ମଧ୍ୟ କମିବାରେ ଲାଗିଛି  । ଡଲାର୍ ମୂଲ୍ୟ ୫୪ଟଙ୍କାରୁ ୭୯ଟଙ୍କାକୁ ଛୁଇଁଥିଲା ଏବଂ ଏବେ ୮୦ ଟଙ୍କା ହେଲାଣି । ଅଳ୍ପଦିନ ପରେ ଏହା ୮୨ ଟଙ୍କାକୁ ଛୁଇଁବ ବୋଲି ଆକଳନ । ତୈଳଠାରୁ ଆରମ୍ଭ କରି ଯନ୍ତ୍ରପାତି, ଔଷଧ ଇତ୍ୟାଦି ଯାହା ଆମଦାନୀ କରୁଛନ୍ତି, ସବୁ ପଦାର୍ଥର ମୂଲ୍ୟବୃଦ୍ଧି ହେବାରେ ଲାଗିଛି  । ଅର୍ଥଗୃଧ୍ର ଆମେରିକାର ଚମତ୍କାର ଚାଲ୍ ଭାରତବର୍ଷ ପରି ବହୁ ରାଷ୍ଟ୍ରର ଅର୍ଥନୀତିକୁ ଚଳୁ କରିବାକୁ ବସିଲାଣି ! ଡଲାର ସଙ୍ଗେ ଡିଜେଲ ପେଟ୍ରୋଲ ଇତ୍ୟାଦି ତୈଳ ତାଳଦେଇ ଦରବୃଦ୍ଧି ହେବାରେ ଲାଗିଛି  । ଅତ୍ୟନ୍ତ ପ୍ରୟୋଜନୀୟ ପଦାର୍ଥ ବିଦେଶରୁ ଆମଦାନୀ କରିବାକୁ ହେଲେ ଡଲାର ମୂଲ୍ୟରେ ଟଙ୍କା ଦେବାକୁ ହେବ  । ୧୯୬୦ ମସିହା ପର୍ଯ୍ୟନ୍ତ ଡଲାର ମୂଲ୍ୟ ଥିଲା ୪ଟଙ୍କା ୭୬ପଇସା, ଏହା ବଢ଼ି ବଢ଼ି ୧୯୭୦ରେ ୭ଟଙ୍କା ୫୦ପଇସା, ୧୯୮୧ରେ ୭ଟଙ୍କା ୯୦ପଇସା, ୧୯୯୦ରେ ୧୭ଟଙ୍କା ୫୦ପଇସା, ୨୦୦୦ରେ ୪୪ଟଙ୍କା ୯୦ପଇସା, ୨୦୧୦ରେ ୫୪ଟଙ୍କା ଏବଂ ଏବେ ୨୦୧୩ରେ ଉଠପଡ଼ ହୋଇ ୬୮ଟଙ୍କା ୮୦ପଇସାରୁ ଏବେ ୮୦ ଟଙ୍କାରେ ପହଁଞ୍ଚିଛି  । କେତେଟଙ୍କାରେ ସ୍ଥିର ରହିବ କହି ହେଉନି  । ଫଳରେ ବିଦେଶରୁ ଆମଦାନୀ ପଦାର୍ଥର ଟଙ୍କା ମୂଲ୍ୟରେ ବଢ଼ିଯାଉଥିବାରୁ ଦେଶ ମଧ୍ୟରେ ଦରଦାମ ଆକାଶଛୁଆଁ  ।

ସମ୍ପ୍ରତି ବିଶ୍ୱ ଅର୍ଥନୈତିକ ସଂକଟ ଭୟଙ୍କର ରୂପ ପ୍ରଦର୍ଶନ କରିସାରିଲାଣି। ବିଶ୍ୱର ଏକନମ୍ବର ଧନୀ ରାଷ୍ଟ୍ର ଆମେରିକା, ଦୁଇନମ୍ବର ଚୀନ, ତିନିନମ୍ବର ଜାପାନର
ଆର୍ଥିକ ସ୍ଥିତି ସୁଦ୍ଧା ଶୋଚନୀୟ ସ୍ତରକୁ ଗତି କରୁଛି ା ଏସିଆ ମହାଦେଶର ୩ୟ ବୃହତମ ଧନୀ ରାଷ୍ଟ୍ର ଭାରତର ଅର୍ଥନୀତି ମଧ୍ୟ ଉଦ୍‌ବେଗଜନକ ଅବସ୍ଥାରେ
ପହଞ୍ଚିଛି  ା ୨୦୦୮ରୁ ଆରମ୍ଭ ହୋଇଥିବା ବିଶ୍ୱବ୍ୟାପୀ ଅର୍ଥନୈତିକ ମାନ୍ଦାବସ୍ଥା ୨୦୨୨ରେ ମଧ୍ୟ ସୁଧୁରିବାରେ କୌଣସି ଲକ୍ଷଣ ଦେଖାଯାଉନି ା ଏବେ କିନ୍ତୁ
ରାଜନୀତିକୁ ପୋଷା ମନାଇ ଆହୁରି ପାଶବୀୟ ପରିବେଶ ସୃଷ୍ଟି କରିଛି ଏକ ଧୂର୍ତ, ଧୂସର ଅର୍ଥନୀତି ା

ବିଶ୍ୱର ସର୍ବବୃହତ୍ ଧନୀରାଷ୍ଟ୍ର ଆମେରିକାର ଅତିକାୟ ଅହଂକାର ଅଦୂର ଭବିଷ୍ୟତରେ କିନ୍ତୁ ଧୂଳିସାତ ହେବାକୁ ଯାଉଛି ା ବିଶ୍ୱର କୋଟି କୋଟି ସାଧାରଣ ନିରୀହ ଲୋକଙ୍କ ତାଜା ରକ୍ତରେ ଆମେରିକାର ଅର୍ଥନୀତି ସମୃଦ୍ଧ ହୋଇଥିଲା । ବିଦେଶୀ ରାଷ୍ଟ୍ର ଦଖଲ ଓ ଧନ ସମ୍ପତ୍ତି ବିଶେଷକରି ତୈଳଚୋରୀ ପାଇଁ ଲକ୍ଷଲକ୍ଷ
ସୈନ୍ୟଙ୍କୁ ପାଳିପୋଷି ସଦାସକ୍ରିୟ କରିରଖିଛି ଆମେରିକା – ସେ ବିରାଟକାୟ ଖର୍ଚ୍ଚ ପୁଣି ଦେଶ ଭିତରେ ଧ୍ୱଂସମୁଖୀ ଅର୍ଥନୈତିକ ବ୍ୟବସ୍ଥାରୁ ମହାଦ୍ରୁମଭଳି
ଚେର ବିସ୍ତାର କରି ବିଷବୃକ୍ଷ ପାଲଟିବାକୁ ଯାଉଛି– ଆମେରିକାରେ ଶିକ୍ଷିତ ପ୍ରଶିକ୍ଷିତ ଯୁବପିଢ଼ି ମଧ୍ୟ ବେକାର ବାହିନୀରୁ ମୁକୁଳିବାପାଇଁ ଜୀବନମୂର୍ଚ୍ଛା
ସଂଗ୍ରାମ ଚଳାଇଛି ା

ଜାପାନ୍‌, ରୁଷିଆ, ଚୀନ୍‌ ଏବେ ଭାରତର ପାଳି – ଆମେରିକାର ପରୀକ୍ଷାଗାରରେ ବଳି ପଡ଼ିବା ପାଇଁ  ସରକାରୀ ଜର୍ସି ପିନ୍ଧି ବସିଥିବା ଆମ ଶାସକ ଓ ଜର୍ଜରିତ ଜନଗଣଙ୍କ ଶୋଣିତ-ଶୋଷକ ଶ୍ରେଣୀଶତ୍ରୁ ପ୍ରଶାସକବର୍ଗ ଆମେରିକାର ଆଭିମୁଖ୍ୟକୁ କାଏମ୍ ରଖି ବର୍ଷ ବର୍ଷ ବିଶ୍ୱାସଘାତକତାର ବର୍ବର ପର୍ବ ପାଳିଚାଲିଛନ୍ତି ଆମ ବିଶ୍ୱାସ ଓ ନିଜ ବିବେକକୁ ତୀବ୍ର କୁଠାରାଘାତ କରି କର। ଦେଶରେ ବିଚାରହୀନ ବୁଦ୍ଧିଜୀବୀ, ବିବେକହୀନ ବିତଶାଳୀ ଏବଂ ମସ୍ତିଷ୍କହୀନ ମାଫିଆ ମାଂସପେଶୀର ଭୟଙ୍କର ଭିଡ଼ ବଢ଼ିଚାଲୁଚି – ସାବଧାନ ! କୁର୍ସିରେ କୁବେରତନ୍ତ୍ରପାଳିତ କୁତାମାନେ ବସି ଭତାଭୋଗୀ ବନ୍ଦୋବସ୍ତ ଚଳାଉଛନ୍ତି – ଆର୍ସିରେ ମୁହଁ ଦେଖୁଛନ୍ତି ମାଖୁନା ମାଈଚିଆ ପାର୍ଟିର ଲୁଙ୍ଗୁରା ଲିଡର୍‌ ।  ବେକାର ଯୁବପିଢ଼ିକୁ ଭଡାଟିଆ ଗୁଣ୍ଡା ଓ ଫ୍ରଷ୍ଟ୍ରେଟେଡ୍ ଫ୍ରଏଡ୍‌ପ୍ରେମୀ ପ୍ରଫେସର୍‌ମାନଙ୍କୁ ଫୁଙ୍ଗୁଳା ଫିଲୋସଫିର ପ୍ରଫେଟ୍ କରିରଖିବାର ମସୁଧା ମଧ୍ୟ ସୁରୁ ହୋଇସାରିଛି ମାର୍କିନ୍ ମନ୍ତ୍ରଣାଦାତା ଇଣ୍ଡିଆନ୍ ଏଜେନ୍‌ସୀ ଜରିଆରେ ।

ଆମ ମିଲିଟାରୀ, ଆମ ସ୍ପାଇ, ଆମ କ୍ରାଇମ୍‌ବ୍ରାଂଚ୍‌, ଆମ ପୁଲିସ୍‌, ଆମ ଦପ୍ତରୀ, ଆମ ଦରବାରୀ – ସମସ୍ତଙ୍କୁ ଅଜ୍ଞାତସାରରେ ଅଫିମଗ୍ରସ୍ତ କରିରଖିବାର ଅପୋଦ୍ୟମ ଆରମ୍ଭ କରିଛି ଆମେରିକା । ଆମେରିକାର ସାମରିକ ଓ ରାଜନୈତିକ ଯୁଦ୍ଧ ସରିଆସୁଛି – ଆରମ୍ଭ ହୋଇସାରିଛି ଏକ ଅଭୂତପୂର୍ବ ଅର୍ଥନୈତିକ ଯୁଦ୍ଧ । ଏ ଅର୍ଥନୈତିକ ଯୁଦ୍ଧ ହେଉଛି ଏକ ଅଦୃଶ୍ୟ ତୃତୀୟ ବିଶ୍ୱଯୁଦ୍ଧର ଆଦ୍ୟ ଆଭାସ ମାତ୍ର। ମାଲୁମ୍ ପଡୁନି – ମାତ୍ର ତୃତୀୟ ବିଶ୍ୱଯୁଦ୍ଧର ଗୁପ୍ତଘାତୀ ଚରିତ୍ର ନିର୍ଦ୍ଧାରିତ ହୋଇସାରିଛି ଏଇ ବାଟେ – ଏଇ ଅର୍ଥନୈତିକ ଆତଙ୍କବାଦର ଫାସିବାଦୀ ଫାଙ୍କରେ ! ଟଙ୍କା ! କେବଳ ହିଁ କଳାଟଙ୍କା ! ଏଇ ପ୍ରଚଣ୍ଡ ପ୍ରଲୋଭନରେ ଧଳା ମହାଜନ ଆମେରିକାର ଖାତକ ହେବାର ପାତକ ମୁଣ୍ଡାଇବାକୁ ଅଧିକାଂଶ ଏସୀୟ ରାଷ୍ଟ୍ର ଏବେ ପଛଉନାହାନ୍ତି ମୋଟେ ା କାରଣ ଏସୀୟ ରାଜନୈତିକ ଚରିତ୍ର ଏବେ ବହୁଳାଂଶରେ ବିତୀୟ ବ୍ୟବସ୍ଥା ଦ୍ୱାରା ବିକ୍ରୀତ – ଯେଉଁ ବିତୀୟ ବ୍ୟବସ୍ଥାର ବ୍ୟୂହ ରଚନା କରିଛି ମାର୍କିନ୍ କୂଟନୀତି। ଏସିଆର ପ୍ରାଚୀନ ଧର୍ମ ଓ ସଂସ୍କୃତିନିଷ୍ଠ ସଭ୍ୟତାକୁ ମୂଳପୋଛ କରିବା ଅଭିସନ୍ଧିରେ କେବେଠୁ ସୃଷ୍ଟି ହୋଇସାରିଛି ଆଧୁନିକ ଅର୍ଥନୀତିର ଆତସବାଜି ସ୍ୱରୂପ କର୍ପୋରେଟ କଲ୍‌ଚର– ଯାହା ପ୍ରକାରାନ୍ତରେ ଏକ କିଲର୍ କଲ୍‌ଚର – ମାର୍କିନ୍ ମିକ୍‌ଶ୍ଚର ! ମୁନାଫାମୁଖୀ ମାନସିକତା ମାରିଦେଉଛି ମଣିଷପଣ – ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ରଚନା କରୁଛି ରକ୍ତପାତ, ଯୁଦ୍ଧିବିଗ୍ରହ, ଭୟାବହ ଭଗାରି ଭୂମିକା – ଜାତିଜାତି ମଧ୍ୟରେ ଜାତ ହେଉଛି ଜଘନ୍ୟ ଜାନ୍ତବ ଦ୍ୱନ୍ଦ୍ୱ – ଧର୍ମ ଧର୍ମ ମଧ୍ୟରେ ଚାଲିଛି ଦୁଃସହ ଦଙ୍ଗାର ବିଷାକ୍ତ ବିଭୀଷିକା ! ଏସିଆର ଦେଶ, ସମାଜ, ସଂସ୍କୃତି,ଧର୍ମ, ସଂଗଠନ, ପରମ୍ପରା, ପରିବାରକୁ ଆଜି ପାଉଁଶରେ ପରିଣତ କରିବାକୁ ଯାଉଛି ଆମେରିକାର ଅଧର୍ମବିତ୍ତ ! ଏଇଥିଲାଗି ହିଁ ଆତଙ୍କବାଦ – ଅର୍ଥନୈତିକ ଆତଙ୍କବାଦ – ଏକ ଆଭ୍ୟନ୍ତରୀଣ ଆପଦର ଆବର୍ତରେ ସମଗ୍ର ଏସିଆ ଏବେ ଉତ୍ପୀଡ଼ିତ  ା ଉତ୍ପାତକାରୀମାନଙ୍କୁ ଉଚ୍ଛେଦ କରିବା ପାଇଁ ମିଲିଟାରୀ ଓ ପୁଲିସ୍ ଫୋସ୍‌ର୍ର ବାରବର୍ଷର ତପସ୍ୟା ପଣ୍ଡ ହେଉଛି ଶୁଖୁଆ ପୋଡାରେ ! କାରଣ ଅଧିକାଂଶ ରାଷ୍ଟ୍ରର ଶାସନ ଓ ପ୍ରଶାସନର ସୂତ୍ରଧରମାନଙ୍କୁ କଳାଟଙ୍କାର କାରବାରରେ ହରଦମ୍‌ ହିସାବଦୋରସ୍ତ କରାଇବାରେ କୃତକାର୍ଯ୍ୟ ହୋଇସାରିଛି ସଫେଦ୍ ସୌଦାଗର !

ଆମ ଭାରତବାସୀଙ୍କୁ ଡଲାର ଯେତେ ଡରାଉଛି, ତା’ଠାରୁ ବେଶି ଡରାଉଛି ଆମ ଦେଶର ରାଜକୋଷ ଲୁଟେରାମାନଙ୍କ ସୁଇଜ୍ ବ୍ୟାଙ୍କରେ ଥିବା କଳାଟଙ୍କା  । ଆମ ଦେଶର ବିଦେଶୀ ଋଣର ୧୩ଗୁଣ ଟଙ୍କା ସୁଇଜ ବ୍ୟାଙ୍କରେ ଥିବାର ଖବର ଏବେ ପଦାରେ ପଡ଼ିଲାଣି  । ଏ ସବୁ ଟଙ୍କା ଜନଗଣଙ୍କ ପ୍ରାପ୍ୟରୁ ଦିନଦିପହରେ ଅସାଧୁ ବଣିକତନ୍ତ୍ର ଦ୍ୱାରା ହଡ଼ପ କରାଯାଇଥିବା ଅଧର୍ମବିତ  । ଏହି କଳାଟଙ୍କାବାଲା ଦେଶକୁ କଟ୍ରାଲ କଲେ  । ଆମେ ସବୁ ଭକୁଆ ହୋଇ ସେମାନଙ୍କ କଥା ଶୁଣୁଛୁ  । ଯେହେତୁ ଡଲାର ବିଶ୍ୱବ୍ୟାପୀ ପ୍ରଚଳିତ- ସେଥିପାଇଁ ସାରା ପୃଥିବୀ ଉପରେ ମାର୍କିନ ଅର୍ଥନୈତିକ ମାଲିକାନା ଜାରି ରହିଛି  । ଏମାନେ ଯିଶୁଖ୍ରୀଷ୍ଟଙ୍କର କଳଙ୍କିତ ପୁତ୍ର  । ଏମାନଙ୍କୁ ଅନାଗତର ଇତିହାସ କେବେ ମାଫ୍ କରିପାରିବନାହିଁ  । ସବୁବେଳେ ଆମ ସରକାରମାନେ ଆମେରିକାର ବୋଲକରା ହୋଇ ରହୁଥିବାରୁ ଆଜି ଦେଶର ଏ ଦାରୁଣ ଦୁର୍ଦ୍ଦଶା । ଭାରତବାସୀଙ୍କ ସ୍ୱାର୍ଥ ଅପେକ୍ଷା ଆମେରିକାର ବ୍ୟାଙ୍କ୍ ସୁଧର ସୁରକ୍ଷା ଉପରେ ଆମ ସରକାର ବେଶି ଆଗ୍ରହୀ ହୋଇପଡ଼ିଥିବା ପରି ମନେହେଲାଣି  ।

ଆମଦେଶକୁ ଚଳାଇବା ପାଇଁ ଆମେ ବିଦେଶୀ ଋଣ ଉପରେ ନିର୍ଭରଶୀଳ  । ଏଇ ୭୫ବର୍ଷ ଭିତରେ ଆମେ ବୈଦେଶିକ ଋଣ ବହୁ ବିଲିୟନ ଆମେରିକୀୟ ଡଲାର
ପହଞ୍ଚିଛି  । ଏହାର ସୁଧମୂଳ ପରିଶୋଧ କରିବାକୁ ହେବ  । ସୁଧ ଦେବା ପାଇଁ ଆମେ ମଧ୍ୟ ଋଣ କରୁଛୁ  । ଋଣଦାତାମାନଙ୍କ ମନମୁଖୀ ସର୍ତରେ ଆମେ ବାଧ୍ୟ ହୋଇ ରାଜି ହେଉଛେ  । ଯାହା ଫଳରେ ଆମ ଦେଶର ଖଣିଜ ସମ୍ପଦ ଅନ୍ୟାନ୍ୟ ପଦାର୍ଥ ଆମେ କମ୍‌ ଦାମରେ ବିଦେଶକୁ ରତ୍ପାନୀ କରିଛେ  । ମନେ ରଖିବେ- ଯେଉଁ ଦେଶରେ ଖଣିଜ ସଂପଦ ବିଦେଶକୁ ରପ୍ତାନୀ ହୁଏ, ସେ ଦେଶ ଦୁର୍ଭାଗା, ସେ ଦେଶର ସରକାର ନିକମା  । ପ୍ରାଚୁର୍ଯ୍ୟର ପାହାଡ଼ ଉପରେ ଠିଆ ହୋଇ ସେ ସଂପତିକୁ ଆମେ ଭୋଗ କରିପାରୁନୁ  । ଏଥିପାଇଁ ଆମେ ସମସ୍ତେ ଦାୟୀ  ।

ଏବେ ବେଳ ଆସିଛି- ବିଦେଶୀ ପଦାର୍ଥ ଯେତେ ସମ୍ଭବ ସେତେ ବେଶି ପରିତ୍ୟାଗ କରନ୍ତୁ  । ସରକାରୀ ସ୍ତରରେ ଖର୍ଚ୍ଚକାଟ ତୁରନ୍ତ ଆରମ୍ଭ ହେଉ  । ନେତା ମନ୍ତ୍ରୀମାନେ ବସ୍‌ରେ ଯାଆନ୍ତୁ  । ଲୋକମାନେ ଡିଜେଲ, ପେଟ୍ରୋଲ ବ୍ୟବହାର କମାନ୍ତୁ  । ବିଦେଶୀଖାନା- ଫାଷ୍ଟଫୁଡ୍ ପରିତ୍ୟାଗ କରନ୍ତୁ  । ବିଦେଶୀ ଚକ୍ରାନ୍ତରେ ପ୍ରଥମେ ଆମ ଖାଦ୍ୟକୁ ବିଷାକ୍ତ କଲେ, ତା’ପରେ ମେଡ଼ିସିନ ଦେବାକୁ ଯାଇ ନିଜ ମାର୍କେଟ ବଢ଼ାଇଚାଲିଲେ  । ଜନସଂଖ୍ୟାକୁ ଜନଶକ୍ତିରେ ପରିଣତ କରିବାର ସଦୁଦ୍ୟମ ଏବଠୁ ଆରମ୍ଭ ନକଲେ ଆମେ ଏମିତି ଦୁର୍ଯୋଗ ଭୋଗୁଥିବା ଆଉ ଆମ ଆଖିରେ ଆଙ୍ଗୁଠି ଗେଞ୍ଜି ଡଲାର୍ ଡରାଇଚାଲିଥିବ ଟଙ୍କାକୁ  ।

ଯାଜପୁର ରୋଡ, ଯାଜପୁର
ମୋ :୯୮୬୧୦୩୪୧୬୩

Leave A Reply

Your email address will not be published.