ନୂଆଦିଲ୍ଲୀ: ଆମେରିକା-ଇରାନ ଶାନ୍ତି ଚୁକ୍ତି ଆଜି ସ୍ୱାକ୍ଷରିତ ହୋଇଛି। ଫ୍ରାନ୍ସର G-7 ଶିଖର ସମ୍ମିଳନୀ ସମୟରେ ଭର୍ସେଲ୍ସ ପ୍ୟାଲେସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶାନ୍ତି ଚୁକ୍ତିନାମା ଚୂଡ଼ାନ୍ତ ହୋଇଥିଲା।
ଇରାନର ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଡିଜିଟାଲ ସ୍ୱାକ୍ଷରକୁ ସ୍ପଷ୍ଟ କରିଛି। ଏହି ଐତିହାସିକ ପଦକ୍ଷେପ ତୁରନ୍ତ ଦୁଇ ଦେଶ ମଧ୍ୟରେ ଚାଲିଥିବା ଶତ୍ରୁତାକୁ ଅନ୍ତ କରିବା ସହ ବାଣିଜ୍ୟିକ ଜାହାଜ ପାଇଁ ରଣନୈତିକ ହରମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବ।
ଟ୍ରମ୍ପଙ୍କ MOU ସ୍ୱାକ୍ଷର କରିବାର ଏକ ଭିଡିଓ ସେୟାର କରି ହ୍ୱାଇଟ୍ ହାଉସ୍ ଏହାକୁ ସ୍ପଷ୍ଟ କରିଛି।
ସେହିପରି ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ଭିଡିଓ କ୍ଲିପରେ ଟ୍ରମ୍ପ କହିଛନ୍ତି ଯେ, “ଇରାନ-ଆମେରିକା ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ମୁଁ ଭର୍ସେଲ୍ସରେ ଏହାକୁ ସ୍ୱାକ୍ଷର କରିଛି… ଲଏହା ଏତେ ସହଜ ନଥିଲା।”
ଇରାନର ବୈଦେଶିକ ମନ୍ତ୍ରଣାଳୟ ଡିଜିଟାଲ (ଇଲେକ୍ଟ୍ରୋନିକ୍) ସ୍ୱାକ୍ଷରକୁ ନିଶ୍ଚିତ କରି ଘୋଷଣା କରିଛି ଯେ ଏହି ଐତିହାସିକ ଶାନ୍ତି ଚୁକ୍ତିନାମା ଏବେ ଆନୁଷ୍ଠାନିକ ଭାବରେ କାର୍ଯ୍ୟକାରୀ ହୋଇଛି। ଆନୁଷ୍ଠାନିକ ଭାବରେ ପ୍ରକାଶିତ ଏହି ଚୁକ୍ତିନାମା ରବିବାର ଦୁଇ ଦେଶ ମଧ୍ୟରେ ରାଜି ହୋଇଥିବା ମୌଳିକ ଢାଞ୍ଚା ସହିତ ସମାନ। ଯାହା ତୁରନ୍ତ ଶତ୍ରୁତା ବନ୍ଦ କରିବା ଏବଂ ବାଣିଜ୍ୟିକ ଜାହାଜ ପାଇଁ ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ହରମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ଏକ ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି।
ଏପଟେ ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ହ୍ରାସ ଘଟିଛି। ଜୁନ୍ ୧୮ ତାରିଖରେ WTI ଅଶୋଧିତ ତୈଳ ଏବଂ ବ୍ରେଣ୍ଟ ଅଶୋଧିତ ତୈଳ ମୂଲ୍ୟରେ ୧% ରୁ ଅଧିକ ହ୍ରାସ ରେକର୍ଡ କରାଯାଇଥିଲା। ଯାହାପରେ ଖୁବ୍ ଶୀଘ୍ର ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ ପାଇବ ବୋଲି କୁହାଯାଉଛି।
ବ୍ରେଣ୍ଟ ଅଶୋଧିତ ତୈଳ ମୂଲ୍ୟ ପ୍ରତି ବ୍ୟାରେଲ $୭୯ ତଳେ ହ୍ରାସ ପାଇଛି। ସେହିପରି ପଶ୍ଚିମ ଟେକ୍ସାସ ଇଣ୍ଟରମିଡିଏଟ୍ (WTI) ପ୍ରତି ବ୍ୟାରେଲ $୭୬ ପାଖାପାଖି କାରବାର କରୁଛି। ଏହାର ମୁଖ୍ୟ କାରଣ ଆମେରିକା ଏବଂ ଇରାନ ମଧ୍ୟରେ ନୂଆ ଶାନ୍ତି ଚୁକ୍ତି ବୋଲି କୁହାଯାଉଛି।
ଉଲ୍ଲେଖଯୋଗ୍ୟ, ଫେବୃଆରୀରେ ଆମେରିକା ଏବଂ ଇସ୍ରାଏଲ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ରୋକିବା ପାଇଁ ଆକ୍ରମଣ କରିଥିଲେ। ଏହାର ଜବାବରେ ଇରାନ ଏକ ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥ ବନ୍ଦ କରିଦେଇଥିଲା। ଏହି ଜଳପଥ ସାଧାରଣ ସମୟରେ ବିଶ୍ୱର ପ୍ରାୟ ୨୦ ପ୍ରତିଶତ ତୈଳ ଯୋଗାଣ ପରିଚାଳନା କରେ। ପରେ ଆମେରିକା ମଧ୍ୟ ଏହି ରୁଟ୍ ଉପରେ ଚାପ ବୃଦ୍ଧି କରିବା ପାଇଁ ପଦକ୍ଷେପ ନେଇଥିଲା।
