Latest Odisha News

BREAKING NEWS

ମାସ ଶେଷ ଆଡକୁ ଲଘୁଚାପ ସମ୍ଭାବନା, ଗରମରୁ ମିଳିବ ମୁକ୍ତି

ଭୁବନେଶ୍ୱର: ରାଜ୍ୟରେ ଏବେ ବି ଜାରି ରହିଛି ଗରମ ସାଙ୍ଗକୁ ଗୁଳୁଗୁଳି। କଲବର କରୁଛି ଭୀଷଣ ତାତି। ରାଜ୍ୟରେ ମୌସୁମୀ ପ୍ରବେଶ ସତ୍ତେ୍ୱ ଗରମ ପ୍ରକୋପ ଜାରି ରହିଛି। ପୂର୍ବାନୁମାନ ଯାହା, ଏବେ ରାଜ୍ୟରେ ବଡ଼ ଧରଣର ବର୍ଷା ସମ୍ଭାବନା ନାହିଁ। ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଏଭଳି ଅସହ୍ୟ ଗରମ, ଗୁଳୁଗୁଳିରୁ ନିସ୍ତାର ସମ୍ଭାବନା କମ୍‌। ତଥାପି ଆସନ୍ତା ୨୪-୨୫ ତାରିଖ ଆଡ଼କୁ ଲଘୁଚାପ ସମ୍ଭାବନା ରହିଛି।

ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବା ବେଳେ ଆଗାମୀ ୪ରୁ ୫ ଦିନ ମଧ୍ୟରେ ସାରା ଓଡ଼ିଶାକୁ ଛୁଇଁବ। ତେବେ ମୌସୁମୀ ଓ କାଳବୈଶାଖୀ ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ୨୪ ଘଣ୍ଟାରେ ସବୁ ଜିଲ୍ଲା ଭିଜିବ। ତେବେ ଉପକୂଳର ୧୪ ଜିଲ୍ଲାରେ ଉଷ୍ମ ଓ ଆର୍ଦ୍ର ସ୍ଥିତି ପାଇଁ ଗୁଳୁଗୁଳି ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।

ଜୁନ୍ ଶେଷ ଆଡ଼କୁ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଭାବେ ସକ୍ରିୟ ହେବ। କାରଣ ୨୮ରୁ ୩୦ ତାରିଖ ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ବାୟୁମଣ୍ଡଳୀୟ ଚାପରେ ପରିବର୍ତ୍ତନ ଘଟି ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସଙ୍କେତ ମିଳୁଛି। ଯଦିଓ ଏହା କେତେ ଘନୀଭୂତ ହେବ ସେ ନେଇ ସମ୍ପୂର୍ଣ୍ଣ ସ୍ପଷ୍ଟତା ଆସିନାହିଁ, ତଥାପି ଜୁନ୍ ଶେଷ ସପ୍ତାହ ଆଡ଼କୁ ଓଡ଼ିଶାରେ ଚାଲିଥିବା ଦୁର୍ବଳ ମୌସୁମୀ ପାଗ ବଦଳି ଏକ ସକ୍ରିୟ ବର୍ଷା ପର୍ଯ୍ୟାୟ ଆରମ୍ଭ ହେବା ନେଇ ମଧ୍ୟମ ଆଶା ରହିଛି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ। ୨୦୨୬ ମୌସୁମୀ ଋତୁର ଏହା ପ୍ରଥମ ଲଘୁଚାପ। ଆଉ ଏହି ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ହେବ ବୋଲି ଆକଳନ କରାଯାଇଛି।

ଏହି ପାଣିପାଗ ନିୟାମକର ଗତିପଥ, ସ୍ଥାନ ଓ ତୀବ୍ରତା ସମ୍ପର୍କରେ ୨୩ ଜୁନ୍ ସୁଦ୍ଧା ସ୍ପଷ୍ଟ ସୂଚନା ମିଳିଯିବ। ଯଦି ବର୍ତ୍ତମାନର ସଙ୍କେତ ସ୍ଥିର ରୁହେ, ତେବେ ମୌସୁମୀ ସକ୍ରିୟ ହେବା ଫଳରେ ଚାଲିଥିବା ଶୁଖିଲା ପାଗ ଓ ଗରମରୁ ଆଶ୍ୱସ୍ତି ମିଳିବ। ଏହି ବର୍ଷା ଓଡ଼ିଶା ସମେତ ପୂର୍ବ ଓ ପୂର୍ବ-କେନ୍ଦ୍ରୀୟ ଭାରତର ପଡ଼ୋଶୀ ରାଜ୍ୟକୁ ମଧ୍ୟ ବ୍ୟାପିବ ବୋଲି ସେ କହିଛନ୍ତି। ଏବେର ପାଣିପାଗ ସ୍ଥିତିକୁ ଦେଖିଲେ ଜଣାପଡ଼ୁଛି, ୧୭ରୁ ୨୧ ଜୁନ୍‌ ମଧ୍ୟରେ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ସହ ଅସହ୍ୟ ଗରମ ହେବ। ରାତିରେ ମଧ୍ୟ ଗରମ ଅନୁଭୂତ ହେବ, ଯାହା ଲୋକଙ୍କ କଷ୍ଟ ବଢ଼ାଇବ। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳ ଗରମ ଜାରି ରହିବ। ଏହି ସମୟରେ ସାରା ରାଜ୍ୟରେ ବ୍ୟାପକ ବର୍ଷା ହେବ ନାହିଁ; କେବଳ କେତେକ ଜାଗାରେ ବିଜୁଳି, ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

Leave A Reply

Your email address will not be published.