Latest Odisha News

BREAKING NEWS

ଲୁଗା ସଫା କରିବାକୁ ଘରେ ନାହିଁ କି ଡିଟରଜେଣ୍ଟ ପାଉଡର? ତେବେ କରନ୍ତୁ ଏହି ଉପାୟ, ଚକ୍ ଚକ୍ ଦିଶିବ ପୋଷାକ

ଭୁବନେଶ୍ଵର: କୌଣସି ପୋଷାକ ପିନ୍ଧିସାରିବା ପରେ ତାହାକୁ ଧୋଇବା ଏକ ନିୟମିତ ପ୍ରକ୍ରିୟା । ଏଥିପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରାଯାଇଥାଏ । ଅନେକ ଲୋକ ପୋଷାକ ହାତରେ ସଫା କରୁଥିବା ବେଳେ କେହିକେହି ୱାଶିଂ ମେସିନ ବ୍ୟବହାର କରନ୍ତି । କିନ୍ତୁ ପୋଷାକ ସଫା କରିବା ପାଇଁ ସର୍ଫ ପାଉଡର୍ କିମ୍ବା ଲୁଗା ସଫା ସାବୁନ ନିହାତି ଆବଶ୍ୟକ ।

ହାତରେ ହେଉ କି ମେସିନ, ଲୁଗା ସଫା କରିବା ପାଇଁ ସର୍ଫ ବ୍ୟବହାର କରାଯାଇଥାଏ । ବିଶେଷ କରି ବର୍ଷା ଋତୁରେ ଅଧିକ ପରିମାଣର ସର୍ଫ ବା ଡିଟରଜେଣ୍ଟ ପାଉଡର୍ ଆବଶ୍ୟକତା ପଡିଥାଏ । ଅନେକ ସମୟରେ ଡ୍ରେସ୍ ସଫା କରିବା ବେଳେ ଡିଟରଜେଣ୍ଟ ପାଉଡର୍ ଶେଷ ହୋଇଯାଇଥାଏ । ତେଣୁ ଲୁଗା ସଫା କରିବା ସମ୍ଭବପର ହୋଇନଥାଏ । କିନ୍ତୁ ଏଥିପାଇଁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବିନା ସର୍ଫ ପାଉଡର୍‌ କିମ୍ବା ସାବୁନ୍‌ରେ ବି ଲୁଗା ସଫା କରାଯାଇପାରିବ । ବଜାରରେ ମିଳୁଥିବା କୌଣସି କମ୍ପାନୀର ଲୁଗାସଫା ପାଉଡର୍ ବ୍ୟବହାର ନକରି ଘରୋଇ ଉପାୟରେ ଆପଣ ଡ୍ରେସ୍ ସଫା କରିପାରିବେ । କେବଳ ସେତିକି ନୁହେଁ କମ୍‌ ଖର୍ଚ୍ଚରେ ଆପଣଙ୍କ ଡ୍ରେସ୍‌ଗୁଡିକ ଦାଗ ମୁକ୍ତ ହେବା ସହିତ ଏକଦମ୍ ନୂଆ ଭଳି ଦେଖାଯିବ । ଏଥିପାଇଁ ୩ଟି ଉପାୟ ରହିଛି । ଯାହାକୁ ବ୍ୟବହାର କରି ଆପଣ ଖୁବ ସହଜରେ ଲୁଗାପଟା ସଫା କରିପାରିବେ ।

ପୋଷାକ ଧୋଇବା ପାଇଁ ଧଳା ଭିନେଗାର ଏବଂ ବେକିଂ ସୋଡା ବ୍ୟବହାର କରିପାରିବେ । ଏହି ଦୁଇଟିକୁ ମିଶାଇ ବ୍ୟବହାର କରିବା ଦ୍ଵାରା ପୋଷାକର ମଇଳା ସଂପୂର୍ଣ୍ଣ ସଫା ହୋଇଯିବ ଏବଂ ପୋଷାକର ଗନ୍ଧ ମଧ୍ୟ ଦୂର ହୋଇଯିବ । ସର୍ବପ୍ରଥମେ, ଅଧା କପ୍ ବେକିଂ ସୋଡା ନେଇ ସେଥିରେ ଅଧା କପ୍ ଭିନେଗାର ମିଶାନ୍ତୁ । ଏହାକୁ ୱାଶିଂ ମେସିନରେ ସର୍ଫ ରଖୁଥିବା ସ୍ଥାନରେ ରଖି ଡ୍ରେସ୍ ସଫା କରିପାରିବେ । ଯଦି ହାତରେ ଡ୍ରେସ୍ ସଫା କରୁଛନ୍ତି ତେବେ ବାଲ୍ଟିରେ ପକାଇ ପାରିବେ । ବେକିଂ ସୋଡା ଏବଂ ଲେମ୍ବୁ ରସ ମିଶାଇ ଡ୍ରେସ୍ ସଫା କଲେ ମଧ୍ୟ ଉତ୍ତମ ଫାଇଦା ମିଳିବ । ଯଦି ଘରେ ଭିନେଗାର ନାହିଁ ତେବେ ଲେମ୍ବୁ ରସକୁ ବେକିଂ ସୋଡା ସହିତ ମିଶାଇ ଘରୋଇ ଡିଟରଜେଣ୍ଟ ପ୍ରସ୍ତୁତ କରିପାରିବେ ।

ଧଳା ଏବଂ ରଙ୍ଗୀନ ପୋଷାକ ସଫା କରିବା ପାଇଁ ଆପଣ ଏହି ମିଶ୍ରଣକୁ ବ୍ୟବହାର କରିପାରିବେ । ଏଥିପାଇଁ ସର୍ବପ୍ରଥମେ ଅଧା କପ୍ ବେକିଂ ସୋଡା ନିଅନ୍ତୁ ଏବଂ ପ୍ରାୟ ଅଧା କପ୍ ଲେମ୍ବୁ ରସ ମିଶାନ୍ତୁ । ତା’ପରେ ଏହାକୁ ଡିଟରଜେଣ୍ଟ ଭାବରେ ବ୍ୟବହାର କରନ୍ତୁ । ଏହାକଲେ ଆପଣଙ୍କ ପୁରୁଣାରୁ ଅତି ପୁରୁଣା ଦାଗ ଏବଂ ମଇଳା ସଫା ହୋଇଯିବ । ସାମ୍ପୁ କିମ୍ବା ବଡି ୱାସ୍ ମଧ୍ୟ ଡ୍ରେସ୍‌ ସଫା କରିବା ପାଇଁ ବ୍ୟବହାର କରିପାରିବେ । ଡିଟରଜେଣ୍ଟ ଶେଷ ହୋଇଯାଇଥିଲେ କିମ୍ବା ଭିନେଗାର୍ କି ବେକିଂ ସୋଡା ନଥିଲେ ସାମ୍ପୋ କିମ୍ବା ବଡି ୱାସ୍ ଦ୍ବାରା ଆପଣ ପୋଷାକ ସଫା କରିପାରିବେ । କିନ୍ତୁ ଏହାକୁ ବ୍ୟବହାର କରିବା ପୂର୍ବରୁ ମିଶ୍ରଣ ପରିମାଣ ଉପରେ ଧ୍ୟାନ ଦେବା ଉଚିତ । କାରଣ ଅଧିକ ପରିମାଣର ବ୍ୟବହାର କରିବା ଦ୍ଵାରା ଓ୍ୱାଶିଂ ମେସିନ୍ ମଧ୍ୟରେ ଅଧିକ ପରିମାଣର ଫେଣ ହେବ ।

Leave A Reply

Your email address will not be published.