Latest Odisha News

BREAKING NEWS

ଶିଶୁଙ୍କ ଅତ୍ୟଧିକ କାନ୍ଦକୁ ଅଣଦେଖା କରିବା ଉଚିତ୍‌ ନୁହେଁ: ଆରିଥ୍‌ମିଆ ନେଇ ସତର୍କ ପରାମର୍ଶ

ଭୁବନେଶ୍ବର: ଯଦି ଆପଣଙ୍କର ଶିଶୁ ଘଣ୍ଟା ଘଣ୍ଟା ଧରି ଲଗାତର କାନ୍ଦୁଛି ତେବେ ଏହାକୁ ଅଣଦେଖା କରାଯିବା ଉଚିତ୍ ନୁହେଁ। ଆମ୍ଭମାନଙ୍କ ମଧ୍ୟରୁ ଅଧିକାଂଶ ଏହାକୁ ହାଲୁକା ଭାବରେ ଗ୍ରହଣ କରନ୍ତି। ପେଟ କାଟୁଥିବା, କାନ ଟାଣୁଥିବା ଭଳି ଭାବନା ସହିତ କୋଲିକ୍ କିମ୍ବା ଅନ୍ୟ କିଛି ମଧ୍ୟ ଭାବନ୍ତି। କିନ୍ତୁ ଏହା ବିପଦଜନକ ଆରିଥମିଆ ହୋଇପାରେ, ଯାହା ଶିଶୁମାନଙ୍କ ପାଇଁ ପ୍ରାଣଘାତୀ ସାବ୍ୟସ୍ତ ହୋଇପାରେ।

ତେଣୁ ଏଭଳି କ୍ଷେତ୍ରରେ ଶିଶୁକୁ ଷ୍ଟେଥୋସ୍କୋପ ସହାୟତାରେ ପରୀକ୍ଷା କରାଯିବା ସହିତ ହୃଦ୍‌ସ୍ପନ୍ଦନକୁ ମଧ୍ୟ ପରୀକ୍ଷା କରାଯିବା ଉଚିତ ବୋଲି ଏମ୍‌ସ ଭୁବନେଶ୍ୱର ନବଜାତ ଶିଶୁ (ନିଓନାଟୋଲୋଜି)ବିଭାଗର ଆସୋସିଏଟ୍ ପ୍ରଫେସର ଡ. ପଙ୍କଜ ମହାନ୍ତି ପ୍ରକାଶ କରିଛନ୍ତି । ଏମ୍‌ସ ଭୁବନେଶ୍ୱରରେ ଜରୁରୀକାଳୀନ ପରିସ୍ଥିତିରେ ଆରଥ୍‌ମିଆରେ ଆକ୍ରାନ୍ତ ୨୫ ଦିନର ଶିଶୁ କନ୍ୟାର ଚିକିତ୍ସା ଅବସରରେ ଏପରି ମତବ୍ୟକ୍ତ କରିଛନ୍ତି ଡ. ମହାନ୍ତି।

ପ୍ରାୟ ୩ ଦିନ ହେବ ଲଗାତର କାନ୍ଦିବା ସହିତ କିଛି ଖାଉନଥିବା ଜଣେ ୨୫ ଦିନର ଶିଶୁ କନ୍ୟାଙ୍କୁ ନେଇ ତାଙ୍କ ପିତାମାତା ମଙ୍ଗଳବାର ରାତିରେ ଏମ୍‌ସ ଭୁବନେଶ୍ୱରକୁ ଆଣିଥିଲେ। ହସ୍‌ପିଟାଲ ଆଣିବା ସମୟ‌ରେ ଶିଶୁକନ୍ୟାଜଣଙ୍କ ଗୁରୁତର ଅବସ୍ଥାରେ ଥିଲେ । ଏମ୍‌ସ ଭୁବନେଶ୍ୱରକୁ ଆସିବା ପୂର୍ବରୁ ଶିଶୁର କୋଲିକ୍, ଓଟିଟିସ୍ କିମ୍ବା ସେପସିସ୍ ଭଳି ଚିକିତ୍ସା କରାଯାଇଥିଲା । ତେବେ ଏଠାକୁ ଆସିବାରେ ପରେ ନବଜାତ ଶିଶୁ ବିଭାଗର ଡ. ମହାନ୍ତିଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ଶିଶୁର ବିଭିନ୍ନ ପରୀକ୍ଷା ନିରୀକ୍ଷା କରିଥିଲେ।

ଶିଶୁକୁ ଆହୁରି ଅଧିକ ଉନ୍ନତ ଚିକିତ୍ସା ପ୍ରଦାନ କରାଯାଇଥିଲା। ୨୪ ଘଣ୍ଟା ପରେ ଶିଶୁ ସ୍ବାଭାବିକ ହେବା ସହିତ ଉତ୍ତମ ଅବସ୍ଥାକୁ ଫେରିଥିଲା। ଉନ୍ନତ ଚିକିତ୍ସା ଫଳରେ ଶିଶୁଟି ସ୍ତନ୍ୟପାନ ମଧ୍ୟ କରିଥିଲା। ପ୍ରାୟ ୩ ଦିନ ହେବ କିଛି ଖାଉନଥିବା ଶିଶୁକନ୍ୟା ଏନ୍‌ଆଇସିୟୁରୁ ବାହାରି ଖାଇବା ସହିତ ସାଧାରଣ ବ୍ୟବହାର କରିଥିଲା।

ପ୍ରତ୍ୟେକ ଶିଶୁ ଅତ୍ୟଧିକ କାନ୍ଦିବା କୋଲିକ୍, ଓଟିଟିସ୍ କିମ୍ବା ସେପସିସ୍ ରୋଗ ନୁହେଁ | ଏହା ଆରିଥମିଆ ହୋଇପାରେ, ଯଦି ଠିକ୍ ସମୟରେ ନିରାକରଣ ନହୁଏ ତେବେ ଏହା ସାଂଘାତିକ ହୋଇପାରେ ବୋଲି ଡ. ମହାନ୍ତି ପ୍ରକାଶ କରିଛନ୍ତି। ଏମ୍‌ସ ଭୁବନେଶ୍ୱରରେ ଚିକିତ୍ସା ପରେ ଶିଶୁ କନ୍ୟାଜଣଙ୍କ ବର୍ତ୍ତମାନ ସୁସ୍ଥ ଥିବା ସହିତ ମା’ କ୍ଷୀର ଖାଉଥିବା ଶିଶୁକନ୍ୟାଙ୍କ ପିତାମାତା ପ୍ରକାଶ କରିଛନ୍ତି। ଏହି ବିଷୟକୁ ନେଇ ଇଲେକ୍ଟ୍ରୋଫାଇଜୋଲୋଜି ଅଧ୍ୟୟନ କରାଯିବାକୁ ଯୋଜନା କରାଯାଇଛି।

Comments are closed, but trackbacks and pingbacks are open.