Latest Odisha News

କେବେ ଓ କିପରି ରିଚାର୍ଜ କରିବେ ଆପଣଙ୍କ ମୋବାଇଲ୍ ଫୋନ; ବିଷେଶଜ୍ଞଙ୍କ ଠାରୁ ଜାଣନ୍ତୁ…

ଭୁବନେଶ୍ୱର: ଯଦି ମୋବାଇଲ୍ ଫୋନ୍ର ବ୍ୟାଟେରୀ ୨୦ ପ୍ରତିଶତ ତଳକୁ ଯାଇ ନାହିଁ ତେବେ ତାକୁ ରିଚାର୍ଜ କରନ୍ତୁ ନାହିଁ ବୋଲି କହିଛନ୍ତି ଜଣେ ବିଶିଷ୍ଟ ଗବେଷକ ।

ସାଧାରଣତଃ ମୋବାଇଲ୍ର ବ୍ୟାଟେରୀ ୬୦ କିମ୍ବା ୭୦ ପ୍ରତିଶତ ଚାର୍ଜ ଥିଲେ ମଧ୍ୟ ତାକୁ ରିଚାର୍ଜ କରିବାର ଅଭ୍ୟାସ ଲୋକମାନଙ୍କ ଠାରେ ଥାଏ । ତେବେ ଏହା ଦ୍ୱାରା ମୋବାଇଲ୍ର ଡିଭାଇସ୍ ଉପରେ ପ୍ରଭାବ ପଡ଼ିଥାଏ ଏବଂ ଏହାର ଜୀବନ କାଳ ଉପରେ ପ୍ରଭାବ ପକାଇଥାଏ ବୋଲି କହିଛନ୍ତି ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି), ଖଡଗପୁରର ମେଟାଲର୍ଜିକାଲ୍ ଆଣ୍ଡ ମ୍ୟାଟେରିଆଲ୍ସ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ସିଦ୍ଧାର୍ଥ ଦାସ ।

ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନଭର୍ସିଟି) ପକ୍ଷରୁ ଆୟୋଜିତ ‘ଟ୍ରେଣ୍ଡ୍ସ୍ ଇନ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନୋଲୋଜି” ଶୀର୍ଷକ ଜାତୀୟ କର୍ମଶାଳାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ନିଜ ବକ୍ତବ୍ୟରେ ପ୍ରଫେସର ଦାସ କହିଛନ୍ତି ଯେ ଯେତେବେଳେ ସେତେବେଳେ ମୋବାଇଲ୍ ରିଚାର୍ଜ କରିବା କିମ୍ବା ୨୦ ପ୍ରତିଶତ ଉପରକୁ ଚାର୍ଜ ଥିଲେ ଏହାକୁ ପୁଣି ଥରେ ଚାର୍ଜରେ ବସାଇବା ଦ୍ୱାରା ବ୍ୟାଟେରୀ ଖରାପ ହୋଇଯାଇଥାଏ ।
ମୋବାଇଲ୍ ଫୋନ୍ର ବ୍ୟାଟେରୀ ମ୍ୟାନେଜ୍ମେଂଟ ସଫ୍ଟୱେୟାର ଦ୍ୱାରା ବ୍ୟାଟେରୀ ପରିଚାଳିତ ହୋଇଥାଏ । ସେହିପରି ମୋବାଇଲ୍କୁ ଚାର୍ଜରେ ବସାଇବା ସମୟରେ ଫୋନ୍ରେ କଥା ହେବା ବିପଜ୍ଜନକ । ମୋବାଇଲ୍ ଫୋନ୍ ବିସ୍ଫୋରଣରେ କିଛି କିଛି ଦୁର୍ଘଟଣା ଘଟୁଥିବା ସାମ୍ନାକୁ ଆସୁଥିବା ସେ କହିଛନ୍ତି । ତେବେ ଏସବୁ ଅପେକ୍ଷା ବଜ୍ରପାତ ଜନିତ ଘଟଣା ଅଧିକ ଘଟୁଥିବା ସେ କହିଛନ୍ତି ।

ସୋଆ କୁଳପତି ପ୍ରଫେସର ଅମିତ ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ବିଶେଷ ଶିକ୍ଷାବିତ୍ ତଥା ସୋଆ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ଏବଂ ରିସର୍ଚ୍ଚ ଆଣ୍ଡ ଡେଭଲପ୍ମେଂଟ ଡିନ୍ ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ନିଜର ବକ୍ତବ୍ୟ ରଖିଥିଲେ । ସୋଆର ବାୟୋଫୁଏଲ୍ସ ଆଣ୍ଡ ବାୟୋପ୍ରୋସେସିଙ୍ଗ୍ ରିସର୍ଚ୍ଚ ସେଂଟର (ବିବିଆର୍ସି) ପକ୍ଷରୁ ଏହି କର୍ମଶାଳାର ଆୟୋଜନ କରାଯାଇଥିବା ବେଳେ ଅନେକ ବୈଜ୍ଞାନିକ, ଶିଳ୍ପୋଦ୍ୟୋଗି, ଶିକ୍ଷାବିତ୍ ଏବଂ ଗବେଷଣାରତ ସ୍କଲାର ଯୋଗ ଦେଇଥିଲେ ।

ପ୍ରଫେସର ଆଚର୍ଯ୍ୟ କହିଥିଲେ ମୋବାଇଲ୍ ଫୋନ୍ରେ ୨୦ଟି ବିଭିନ୍ନ ପ୍ରକାରର ଖଣିଜ ଦ୍ରବ୍ୟ ବ୍ୟବହାର କରାଯାଇଥାଏ । ତେବେ ଏସବୁ ଖୁବ୍ କମ୍ ଉପଲବ୍ଧ ହୋଇଥାଏ । ଉଦାହରଣ ସ୍ୱରୂପ ମୋବାଇଲ ଫୋନ୍ରେ ଲିଥିୟମ୍ ଆୟନ୍ ବ୍ୟାଟେରୀ ବ୍ୟବହାର କରାଯାଇଥାଏ । ଲିଥିୟମ୍ର ବ୍ୟବହାର ଖୁବ୍ ଅଧିକ ହୋଇଥିବା ବେଳେ ଏହା ଖୁବ୍ କମ୍ ପରିମାଣର ଉପଲବ୍ଧ ହେଉଛି ।

ମୋବାଇଲ୍ ଫୋନ୍ ରିଚାର୍ଜ କରିବା ପାଇଁ ପାୱାର ବ୍ୟାକଅପ୍ ସିଷ୍ଟମ୍ର ବ୍ୟବହାର ବହୁଳ ଭାବରେ କରାଯାଉଥିବା ବେଳେ ଏହା କିନ୍ତୁ ଏକ ବିପଜ୍ଜନକ ଡିଭାଇସ୍ ଏବଂ ୟୁରୋପୀୟ ଦେଶଗୁଡ଼ିକରେ ଏହାର ବ୍ୟବହାର ଉପରେ ରୋକ ଲଗାଇବା ପାଇଁ ଚିନ୍ତା କରାଯାଉଛି ବୋଲି ପ୍ରଫେସର ଆଚାର୍ଯ୍ୟ କହିଥିଲେ ।

ଫେସର ଦାସ କହିଥିଲେ ଯେ ଶକ୍ତିସମ୍ପନ୍ନ ଖଣିଜ ପଦାର୍ଥ ସ୍ଥାନରେ ଅଣଶକ୍ତିସମ୍ପନ୍ନ ଖଣିଜ ପଦାର୍ଥର ବ୍ୟବହାର ନେଇ ଗବେଷଣା କରାଯାଉଛି । ସେହିପରି ମେଟାଲ୍ ଏୟାର ବ୍ୟାଟେରୀ, ରେଡକ୍ସ ଫ୍ଲୋ ବ୍ୟାଟେରୀ ଏବଂ ଲିଥିୟମ୍ ସଲ୍ଫର ବ୍ୟାଟେରୀର ଊଦଭାବନ ଦିଗରେ ଅଧିକ କାର୍ଯ୍ୟ କରାଯାଉଛି ।

ପ୍ରଫେସର ବାନାର୍ଜୀ କହିଥିଲେ ଯେ ପ୍ରାକୃତିକ ସମ୍ପଦର ବ୍ୟବହାର ଦିଗରେ ଅଧିକ ଚିନ୍ତାଶୀଳ ହେବା ଉଚିତ୍ । ଖଣିଜ ପଦାର୍ଥର ଅପବ୍ୟବହାର ବିପଜ୍ଜନକ । ବ୍ଲକ୍ ଚେନ୍ ଟେକ୍ନୋଲୋଜି ଦ୍ୱାରା ଖଣିଜ ସମ୍ପଦ କ୍ଷେତ୍ରରେ ଉତମ ପରିଚାଳନା କରାଯାଇପାରିବ ବୋଲି ସେ କହିଥିଲେ ।
ଖଣିଜ ସମ୍ପଦର ସଂରକ୍ଷଣ ପାଇଁ ଅଧିକ ନିବେଶ କରାଯିବା ସହ ଅତ୍ୟାଧୁନିକ ଟେକ୍ନୋଲୋଜିର ବ୍ୟବହାର ମଧ୍ୟ ଜରୁରୀ ବୋଲି ବିବିଆର୍ସିର ନିର୍ଦ୍ଦେଶକ ତଥା କର୍ମଶାଳାର ସଂଯୋଜକ ପ୍ରଫେସର ଲାଲା ବିହାରୀ ଶୁକ୍ଳା କହିଥିଲେ ।

କର୍ମଶାଳାର ଆୟୋଜକ ସମ୍ପାଦକ ଡଃ ଦେବବ୍ରତ ପ୍ରଧାନ ଏବଂ ସହସଂଯୋଜିକା ଡଃ ନିହାରବାଳା ଦେବୀ ମଧ୍ୟ ବକ୍ତବ୍ୟ ରଖିଥିଲେ ।

Leave A Reply

Your email address will not be published.