ବିରଞ୍ଚି ଫସିଲେ, ଅନେକ ଖସିଲେ !

ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ : ପଲିଟିକସ ଫଲିଟିକସ…

ରାଜ୍ୟ ଷ୍ଟାଫ୍‍ ସିଲେକ୍ସନ୍‍ କମିଶନର କିରାଣୀ ବିରଞ୍ଚି ବାବୁଙ୍କୁ ଭିଜିଲାନ୍ସ ବିଭାଗ ଧରିବା ପରେ ରାଜ୍ୟ ଉଠିଲା, ପଡ଼ିଲା । ବିରଞ୍ଚିଙ୍କ ଘରୁ ପୁଣି ପ୍ରାର୍ଥୀମାନଙ୍କ ଆଡ଼ମିଟ୍‍ କାର୍ଡ଼ ମିଳିବା ଏହି ଘଟଣାକୁ ଆଉରି ଭୟଙ୍କର ମୋଡ଼ ଦେଲା । ରାଜ୍ୟରେ ସରକରୀ ନିଯୁକ୍ତି ସଂସ୍ଥାଗୁଡ଼ିକ ଯେ, ଦୁର୍ନୀତିରେ ସ୍ପଷ୍ଟ ସମ୍ପୃକ୍ତ ତାହାର ଉଦାହରଣ ଜଳଜଳ ହୋଇ ସାମ୍ନାକୁ ଆସିଲା । ଅନେକ ଆଶ୍ଚର୍ଯ୍ୟ ବି ହେଲେ । ଏଡ଼େ ବଡ଼ ସଂସ୍ଥାରେ ଏମିତି ହେଉଥିବ, ବୋଲି ଅନେକ ସହଜରେ ବିଶ୍ୱାସ କଲେନି । ତା’ପରେ ପୁଣି ଭାବିଲେ- ଏଥର ସବୁକିଛି ସାମ୍ନାକୁ ଆସିବ । ସତ ଜଣା ପଡ଼ିବ ।

ଏ ତ କିରାଣୀ ଜଣେ ଧରା ପଡ଼ିଲେ । ଏହା ମାର୍ଫତରେ କାମ କରାଉ ଥିବା ବଡ଼ବଡ଼ିଆମାନଙ୍କୁ ଭିଜିଲାନ୍ସ ଧରିବ ନିଶ୍ଚିତ । ସମସ୍ତେ ଅପେକ୍ଷା କରି ବସିଲେ । ଭିଜିଲାନ୍ସ ଆହୁରି ଶକ୍ତ କାର୍ଯ୍ୟାନୁଷ୍ଠାନ ନେବ । କିନ୍ତୁ କିଛି ହେଲାନାହିଁ । ସେହି ବିରଞ୍ଚି ପରି କିରାଣୀ ଜଣଙ୍କ ପାଖରେ ଆଜିଯାକେ ଭିଜିଲାନ୍ସ ଆଗକୁ ଯଇ ପାରିଲା ନାହିଁ ।

ଭିଜିଲାନ୍ସ ଗୋଟାଏ କାମ ତ ସହଜରେ କରିପାରି ଥାଆନ୍ତା । ଯୋଉଦିନ ବିରଞ୍ଚିଙ୍କ ଘରେ ଚଢାଉ ହୋଇ ଏତେ କଥା ସାମ୍ନାକୁ ଆସିଲା, ସେଇ ଦିନ ଏ ଖବର ଗଣମାଧ୍ୟମକୁ ଦେବା ଅପେକ୍ଷା ଖବରକୁ ଲୁଚେଇ ଦେଇ ସାଙ୍ଗେ ସଙ୍ଗେ ଷ୍ଟାଫ୍‍ ସିଲେକ୍ସନ୍‍ କମିଶନ ଅଫିସ ଉପରେ ଚଢାଉ କରିଦେଲେ, ଅନେକ କିଛି ସାମ୍ନାକୁ ଆସି ଥାଆନ୍ତା । ଭିଜିଲାନ୍ସ ତାହା କଲାନାହିଁ । କାହିଁକି- ଏକଥା ଆଜି ଦିନରେ ଆଉ ଅଛପା ନୁହେଁ ।

ବଡ଼ବଡ଼ିଆଙ୍କୁ ଖସିବା ପାଇଁ ମଉକା ଓ ଭରପୁର ସୁଯୋଗ ବି ଦେଇ ଦିଆଗଲା ବୋଧେ! ନିଯୁକ୍ତିରେ ପ୍ରିୟାପ୍ରୀତି ଏସବୁ ଚାଲେ, ଏକଥା କାହାକୁ ଅଛପା ନଥିଲା । ପଇସାପତ୍ର କାରବାର ହୁଏ, ଏହା ବି ସମସ୍ତେ ଜାଣିଥିଲେ । ଅନେକ ପଇସାପତ୍ର ଦେଇ ଚାକିରି କରେଇ ଦେଇଥିବା କଥା ଗର୍ବରେ କହନ୍ତି ମଧ୍ୟ । କିନ୍ତୁ କିଏ ଏ ବାବଦ ଅର୍ଥ ନେଉଥିଲା ? କେମିତି ଚାଲିଥିଲା ସେ ରାକେଟ୍‍ ? ତାହା ଉପରେ ବେଶି ଧାରଣା ଲୋକଙ୍କର ନଥିଲା । ବିରଞ୍ଚି ବାବୁ ଧରା ପଡ଼ିବା ପରେ ଓ କିରାଣୀ ଘରୁ କୋଟି କୋଟି ଟଙ୍କା (ଆଜିକାଲି କାହା ଘରୁ ଆଉ କୋଟିଏରୁ କମ୍‍ ବାହାରୁ ବି ନାହିଁ) ବାହାରିବା ପରେ ଲାଗିଲା, ଏ ସମସ୍ତ ଦୁର୍ନୀତିରେ ସିଧାସଳଖ ଅଫିସ ହିଁ ଜଡ଼ିତ ବୋଧେ! ବିରଞ୍ଚି ତ ଜଣେ ବ୍ୟକ୍ତିଗତ ସହାୟକ ଥିଲେ ମାତ୍ର । କିନ୍ତୁ ତାଙ୍କ ଉପରେ ନିଶ୍ଚିତ କାହାର ପ୍ରଚ୍ଛନ୍ନ ହାତ ତ ଥିବ । କେହି ତ ତାଙ୍କ ମାଧ୍ୟମରେ କାମ କରେଇ ନେଉଥିବେ । ହୁଏତ ବିରଞ୍ଚି ଟଙ୍କା ଆଦାୟର ମାଧ୍ୟମ ହୋଇଥିବେ । କିନ୍ତୁ ମୁଖ୍ୟ କିଏ? କେମିତି ଓ କୋଉ ବାଗରେ ଏହା ଚାଲୁଛି- ସେକଥାଟି ସାମ୍ନାକୁ ଆସିଲା ନାହିଁ ।

ଏହାକୁ ଏକ ଆୟ ବହିର୍ଭୁତ ସମ୍ପତ୍ତି ମାମଲା ଭାବେ ଗ୍ରହଣ କରି ବୋଧେ ଭିଜିଲାନ୍ସ ନିଜର କାମ ସାରିଦେଲା । ଆଉ ଆଗକୁ ଗଲା ନାହିଁ । ନିଯୁକ୍ତିରେ ଦୁର୍ନୀତି ହେଲେ ଅନେକ ଅପାରଗ, ଗଧ ବ୍ୟବସ୍ଥା ଭିତରେ ପଶିବେ । ସେମାନେ ପଇସା ଦେଇ ଚାକିରି କରିଥିବେ, ତେଣୁ ସେ ଟଙ୍କା ଆଦାୟ କରିବାରେ ସେମାନେ ବ୍ୟସ୍ତ ରହିବେ । ସୁଧମୂଳ ସହ ଆଦାୟ କରିବେ । ଭଲ ପିଲାଟିଏ ଏହାଦ୍ୱାରା ବଞ୍ଚିତ ହେଲା ଓ ବ୍ୟବସ୍ଥା ଉପରୁ ଆସ୍ଥା ହରାଇଲା । ଶେଷକୁ ଆଉ ଗୋଟିଏ କଥା ମନକୁ ଆସୁଛି । କଣ ପାଇଁ କେବଳ ଅବସରପ୍ରାପ୍ତ ବାବୁମାନଙ୍କୁ ଷ୍ଟାଫ୍‍
ସିଲେକ୍ସନ୍‍ କମିଶନ କି ଓଡ଼ିଶା ଲୋକସେବା ଆୟୋଗରେ ନିଯୁକ୍ତି ଦିଆଯାଉଛି? ସେମାନେ ତ ଚାକିରି କଲେ, ଅବସର ନେଇ ଘରେ ବସିବେ । ସେମାନେ କଣ ସବୁଥିରେ ପାରଙ୍ଗମ ଯେ, ସବୁ କାମରେ ସେମାନେ ପଶିବେ? ଶିକ୍ଷାବିତ୍‍ କିମ୍ବା ବିଭିନ୍ନ କ୍ଷେତ୍ରରେ ଜାତୀୟସ୍ତରର ପ୍ରତିଷ୍ଠିତ ବୈଜ୍ଞାନିକ, ଇଂଜିନିଅରଙ୍କୁ ସେଠାକୁ ପଠାଯାଉ ନାହିଁ କାହିଁକି ? କଣ ପାଇଁ ଏମିତି ଚାଲୁଛି ? ଏଥିରେ କିଛି କାରସାଦି ଅଛି କି ନାହିଁ? ତା’ ଉତ୍ତର ଭିଜିଲାନ୍ସ ଖୋଜିବା କଥା । କିନ୍ତୁ ମଉକା ଛାଡ଼ି ସାରିଛି । ଏବେ ଯେତେ ଚେଷ୍ଟା କଲେ ବି ଆଉ ବ୍ୟବସ୍ଥା ସଫା ହେବ ନାହିଁ  । ହୋଇ ପାରିବ ନାହିଁ । ଆସ୍ତେ ଏ ପ୍ରସଙ୍ଗ ମଳିନ ହୋଇଗଲାଣି ।