ସାମାଜିକ ଗଣମାଧ୍ୟମର ଚାପ

ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ : ପଲିଟିକସ ଫଲିଟିକସ…

ସାମାଜିକ ଗଣମାଧ୍ୟମକୁ ନେଇ ଉକ୍ତିଟିଏ ପ୍ରକାଶିତ ହୋଇଥିଲା, କେଉଁ ଏକ ପତ୍ରିକାରେ । ତାହା ହେଉଛି- ‘ଆପଣ ଥାଆନ୍ତୁ ବା ନ ଥାଆନ୍ତୁ, କଥାବର୍ତ୍ତା କିନ୍ତୁ ଚାଲିଛି । ଆପଣଙ୍କୁ ନେଇ ବି ଚାଲିଛି ।’

କ୍ରମଶଃ ଆମେ ସମସ୍ତେ ସାମାଜିକ ଗଣମାଧ୍ୟମରେ ନିଜର ଉପସ୍ଥିତି ପ୍ରାୟତଃ ଜାହିର କରି ସାରିଲେଣି । ବିଭିନ୍ନ ରକମର ସାମାଜିକ ପ୍ଲାଟ୍‍ଫର୍ମ ରହିଛି, ଯାହାକୁ ଯେଉଁଟି ପସନ୍ଦ, ସିଏ ସେଇଠି ରହୁଛନ୍ତି । ଆମେ ନିରନ୍ତର ଭାବେ ଲେଖୁଛେ, ନିଜକୁ ପ୍ରକାଶ କରୁଛେ । ଫଟୋ ଛାପୁଛେ । ଭିଡ଼ିଓ ଅପ୍‍ଲୋଡ୍‍ କରୁଛେ । ୨୦୨୧ ମସିହାର ହିସାବ ଅନୁସାରେ, ଜଣେ ଭାରତୀୟ ପ୍ରତିଦିନ ହାରାହାରି ୨ ଘଣ୍ଟା ୨୫ ମିନିଟ ସାମାଜିକ ଗଣମାଧ୍ୟମରେ ବିତେଉଛନ୍ତି । ଇଣ୍ଟରନେଟ୍‍ରେ ବିତଉଥିବା ସମୟ ହେଉଛି- ୬ ଘଣ୍ଟା ୩୬ ମିନିଟ୍‍ । ସେଥିରେ ଆମେ ଅନେକ କାମ କରି ଥାଆନ୍ତି । ଅନେକ ସାଇଟ୍‍କୁ ଯାଇ ଥାଆନ୍ତି । କିନ୍ତୁ ତାର ଏକ ତୃତୀୟାଂଶ ସମୟ କେବଳ ସାମାଜିକ ଗଣମାଧ୍ୟମରେ ହିଁ କଟୁଛି ।

ସେମିତି ଆଉ ଏକ ହିସାବ ଦେଖନ୍ତୁ- ୨୦୧୫ ବେଳକୁ ଭାରତରେ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କ ସଂଖ୍ୟା ୧୪୨ ନିୟୁତ ପାଖାପାଖି ଥିଲା । ୨୦୨୧ରେ ଏହା ଆସି ୪୪୮ ନିୟୁତରେ ପହଞ୍ଚିଛି । ଇଣଟରନେଟ୍‍ ବ୍ୟବହାରକାରୀଙ୍କ ସଂଖ୍ୟା ୬୨୪ ନିୟୁତ ଛୁଇଁଛି । ଯାହା ଆମ ଦେଶର ଜନସଂଖ୍ୟାର ପାଖାପାଖି ୪୫ ପ୍ରତିଶତ ।

ତେବେ କଥା ହେଉଛି- ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କ ସଂଖ୍ୟା ବଢିବା ଫଳରେ ପ୍ରକୃତରେ ହେଉଛି କଣ? କଣ ପାଇଁ ଆମେ ଏତେ ସମୟ ସାମାଜିକ ଗଣମାଧ୍ୟମକୁ ଯାଉଛନ୍ତି? ପାରମ୍ପରିକ ଗଣମାଧ୍ୟମକୁ ଛାଡ଼ି ସାମାଜିକ ଗଣମାଧ୍ୟମକୁ ଗଲେ ଆମର ସମସ୍ୟା କଣ ହେଉଛି? ଆମ ମାନସିକତା ଉପରେ ଏହା କି କି ପ୍ରଭାବ ପକାଉଛି? ନା ଆଦୌ ପ୍ରଭାବ ପକାଉ ନାହିଁ ?

ସାମାଜିକ ଗଣମାଧ୍ୟମ ଭିତରେ ୟୁ-ଟ୍ୟୁବ୍‍କୁ ସବୁଠାରୁ ଅଧିକ ଲୋକ ବ୍ୟବହାର କରୁଛନ୍ତି । ତା’ପରକୁ ଆସୁଛି ଫେସ୍‍ବୁକ୍‍ । ସେମିତି ହ୍ୱାଟ୍‍ସଆପ୍‍, ତାର କିଛି ତଳକୁ ଟୁଇଟର୍‍ । ଏଥିରେ ସମ୍ପୃକ୍ତ ସଂସ୍ଥା ଆମକୁ କେବଳ ଏକ ପ୍ଲାଟ୍‍ଫର୍ମ ଯୋଗାଇ ଦେଉଛି । ତା’ ପାଇଁ କେତେ ବିଷୟବସ୍ତୁ ତିଆରି କରିବାର ଦାୟିତ୍ୱ ବ୍ୟବହାରକାରୀର । ଆମେ ଅବିରତ ଲେଖି ଚାଲିଛୁ, ଫଟୋ ଇନଷ୍ଟାଗ୍ରାମ୍‍ରେ ପୋଷ୍ଟ କରି ଚାଲିଛୁ । ତେଣୁ ପ୍ରଥମ ଚାପଟି ହେଲା- ଯେଉଁମାନେ ସାମାଜିକ ଗଣାମଧ୍ୟମରେ ଅଛନ୍ତି, ସେମାନଙ୍କ ଉପରେ ବିଷୟବସ୍ତୁ ପ୍ରସ୍ତୁତ କରିବାର ଚାପ ଲଗାତାର ରହୁଛି । ଆମେ ସେଥିରେ ଅନ୍ୟ ଲୋକ କଣ ଲେଖିଲା ଦେଖୁଛୁ, ବା କେମିତି ଫଟୋ ଅପ୍‍ଲୋଡ଼୍‍ କଲା ବା ଭିଡ଼ିଓ ଅପ୍‍ଲୋଡ଼୍‍ କଲା ଦେଖୁଛୁ, ଆଉ ତାକୁ କେତେ ଲୋକ କେଉଁ ବାଗରେ ପସନ୍ଦ କରୁଛନ୍ତି, ତାହା ମଧ୍ୟ ଦେଖୁଛୁ । ତେଣୁ ନିଜକୁ ସେଠାରେ ପ୍ରତିଷ୍ଠିତ କରିବା ପାଇଁ ଆମ ଉପରେ ଚାପ ରହୁଛି, ଯେମିତି ଆମେ ପଢିଥିବା ଲେଖା ଅପେକ୍ଷା ଭଲ ଲେଖାଟିଏ ଆମେ ପ୍ରସ୍ତୁତ କରିବୁ । ଯାହା ତେଣିକି ପ୍ରଶଂସା ସାଉଁଟିବା ଏଇ ତିଆରି କରିବା ବେଳେ ଆମେ ନିଜର ଏକ ଛଦ୍ମ ପରିଚୟ ଦୁନିଆ ଆଗରେ ଦେଖାଉଛୁ । ହୁଏତ କିଛି ଲୋକ ଦେଖାଉ ନଥିବେ । କିନ୍ତୁ ଅନେକ ଲୋକ ସେଇ ଛଦ୍ମ ପରିଚୟର ଆବରଣ ତଳେ ବଞ୍ଚୁଛନ୍ତି । ସେମାନେ ଜୀଉଁଥିବା ପ୍ରକୃତ ଦୁନିଆଠାରୁ ଏହା ଅନେକ ବାଗରେ ଅଲଗା । ହେଲେ ଏ ଦୁନିଆ ଜୀଇଁବା ପାଇଁ ସେମାନେ ଅସଲି ଦୁନିଆକୁ ପଛରେ ପକେଇ ଦେଉଛନ୍ତି । ଏହା ହେଲା- ଦ୍ୱିତୀୟ ଚାପ ।

ଏହାର ଆଉ ଗୋଟିଏ ଉଦାହରଣ ଦେଲେ ଘଟଣାଟି ସ୍ପଷ୍ଟ ହେବ । ଲୋକେ ତ ଯୁଆଡ଼େ ଗଲେ, ସେ ଫଟୋ ପୋଷ୍ଟ କରୁଛନ୍ତି । ଦୁନିଆ ତାକୁ ଦେଖୁଛି । ଆମେ ବି ଦେଖୁଛୁ । ଆମକୁ ସେଇଠି ଲାଗୁଛି- ଆରେ, ଏଡ଼େ ଭଲ ଜାଗାଟେ ଅମୁକ ଲୋକ ବୁଲି ଚାଲି ଆସିଲା ଓ ଏତେ ବଢିଆ ଫଟୋ ଛାପିଲା । ତା’ଠାରୁ ମୁଁ ଆଗକୁ ଯିବି । ତେଣୁ ଆଉ କିଛି ନୂଆ ଜାଗା ଯାଇ ସେଠାକାର ଭଲ ଭଲ ଫଟୋ ଆଣି ଛାପିବାର ପ୍ରତିଦ୍ୱନ୍ଦ୍ୱିତା ଆମ ଭିତରେ ବସା ବାନ୍ଧି ରହିଛି । ସେଇ ଏକା କାରଣରୁ- ଲୋକେ ବଡ଼ ବଡ଼ ହୋଟେଲ୍‍ କି ରେସ୍ତୋରାଁ ଗଲେ, ତାର ଫଟୋ ଛାପୁଛନ୍ତି । ତାର ସୁନ୍ଦର ସେଲ୍‍ଫି ନେଇ ପୋଷ୍ଟ କରୁଛନ୍ତି ।

ଏକ ପ୍ରତିଯୋଗିତା ଭିତରେ ଆମେ ପଶି ଯାଇଛେ, ଫସି ଯାଇଛେ । ପ୍ରତିଦିନ ସେ ପ୍ରତିଯୋଗିତା ଆମକୁ ନୂଆ କିଛି କରିବା ପାଇଁ ବାଧ୍ୟ କରୁଛି । ତେଣିକି ତାହା ଲେଖା ହେଉ କିମ୍ବା ସୁନ୍ଦର ଫଟୋ କି ଭିଡିଓ କିମ୍ବା କବିତାଟେ ହେଉ ପଛେ । କାହାର ପରିବାର ସହ ଫଟୋ ଦେଖିଲେ, ଆମେ ବି ଯେବେ ପରିବାର ସହ ଯାଉଛୁ, ସେ ଫଟୋ ଛାପୁଛୁ, ସେ ବିଷୟରେ କିଛି ଲେଖୁଛୁ । ଜଣାଇବା ପାଇଁ ଯେ- ହଁ, ମୁଁ ବି ଖୁସି ଅଛି । ଏହା ତୃତୀୟ ରକମର ଚାପ ।

533 million Facebook users' phone numbers and other personal details leaked

ଚତୁର୍ଥ ଚାପଟି ହେଲା- ଦୁନିଆ ଆଗରେ ଆମେ ଆମ ବ୍ୟକ୍ତିତ୍ୱର ଏକ ସୁନ୍ଦର ଛବି ତିଆରି କରିବାର ଚାପ ଆମ ଉପରେ ସଦାବେଳେ ରହୁଛି । ସେଥିପାଇଁ ଯାହା ଦରକାର, ସାମାଜିକ ଗଣମାଧ୍ୟମରେ, ତାହା ଆମେ କରିବା ପାଇଁ ପ୍ରସ୍ତୁତ ଓ କରୁଛେ ମଧ୍ୟ । ସାମାଜିକ ଗଣମାଧ୍ୟମରେ କିଏ ଟିକିଏ ନେଗେଟିଭ୍‍ କମେଣ୍ଟ ଦେଲେ ଆମେ ବିବ୍ରତ ହୋଇ ପଡ଼ୁଛେ । ଏହା ଆମ ପ୍ରତିଷ୍ଠା ଉପରେ ଆଞ୍ଚ୍‍ ଆଣିଲା ବୋଲି ଭାବି ବସୁଛୁ । ତେଣୁ ସେଇ ସାମାଜିକ ଗଣମାଧ୍ୟମରେ ସେଇ ଲୋକ ପାଇଁ ମଉକା ସନ୍ଧାନରେ ଆମେ ରହୁଛୁ । ଫଳରେ ଏହା ଆମ ମାନସିକତାର ଖରାପ ଦିଗଟିକୁ ଜୀବନ୍ତ କରିଦେଲା । କିଏ ଯଦି ଭଲ କାମ ବି ସତରେ କଲା, ଆମେ ତାହାକୁ ଫାଙ୍କା ମନରେ ପ୍ରଶଂସା କରୁନାହୁଁ । ଆମକୁ ଲାଗୁଛି- ଆରେ, ଏ ଲୋକ ଏମିତି କରି ପକେଇଲା, ମତେ ଏହାଠାରୁ ଭଲ କରିବାର ଅଛି । ସେ ଚାପ ଆମ ଅଗୋଚରରେ ଆମ ଭିତରେ ସଦାକାଳ ଜୀଉଁଛି ।

ଆମ ପାଖ ମଣିଷଙ୍କ ସହ ଆମର ପ୍ରତିଦ୍ୱନ୍ଦିତା ବଢୁଛି । ଆମେ ଯଦି ସକାରାତ୍ମକ ଦିଗରେ ନେଲେ ତ ସବୁକିଛି ଭଲ ଚାଲିଲା । ଯଦି ନକରାତ୍ମକ ହୋଇ ପଡ଼ିଲେ, ତେବେ ତାହା ଆମ ମାନସିକତା ଉପରେ ଜବରଦସ୍ତ ପ୍ରଭାବ ପକାଉଛି । ସେଥିରୁ ମୁକୁଳିବା ଆଦୌ ସହଜ ନୁହେଁ । ଏହା ପଞ୍ଚମ ଚାପ ।

ଷଷ୍ଠ ଚାପଟି ହେଲା- ଯେତିକି ଆନନ୍ଦ ଆମେ ସାମାଜିକ ଗଣମାଧ୍ୟମରୁ ପାଉଛେ, ତା’ଠାରୁ ଅଧିକ ପାଇବାର ମାନସିକତା ଆମ ଭିତରେ ବଢି ବଢି ଚାଲିଛି । ଫଳରେ ଗୋଟିଏ ପ୍ଲାଟ୍‍ଫର୍ମ ଛାଡ଼ି ଅନ୍ୟ ପ୍ଲାଟ୍‍ଫର୍ମକୁ ଧାଇଁବାରେ ଲାଗିଛେ । ଉଦାହରଣ ଭାବେ ନିଅନ୍ତୁ । ପ୍ରଥମେ ଆମେ ଫେସ୍‍ବୁକ୍‍ରେ ଥିଲେ । ପରେ ଲାଗିଲା- ଆରେ, ଗୁରୁତ୍ୱପୂର୍ଣ୍ଣ ଲୋକମାନେ ତ ଟୁଇଟର୍‍ରେ ରହୁଛନ୍ତି । ସେଠି ହ୍ୟାସ୍‍ଟ୍ୟାଗ୍‍ ଟ୍ରେଣ୍ଡ କଲେ କୁଆଡ଼େ ଦୁନିଆ ଉପରେ ପ୍ରଭାବ ପଡ଼ୁଛି । ତେଣୁ ଆମେ ବି ନିଜକୁ ଗୁରୁତ୍ୱପୂର୍ଣ୍ଣ ଦେଖାଇବାକୁ ଟୁଇଟର୍‍ ପ୍ଲାଟ୍‍ଫର୍ମରେ ଯୋଗ ଦେଉଛୁ । ଯେତେବେଳେ ଜାଣୁଛୁ- ଭଲ ଫଟୋ କି ଭିଡ଼ିଓ ପାଇଁ ଇନଷ୍ଟାଗ୍ରାମ୍‍ ଆହୁରି ଭଲ ପ୍ଲାଟ୍‍ଫର୍ମ, ଆମେ ସେତେବେଳେ ଇନଷ୍ଟାଗ୍ରାମ୍‍ରେ ଯୋଗ ଦେଉଛୁ । ଟୁଇଟରରେ ସମସ୍ୟା ହେଲେ କୁ’ ଆପ୍‍କୁ ଯାଉଛେ । ଏକାଧିକ ପ୍ଲାଟ୍‍ଫର୍ମକୁ ଯିବା ନୂଆ ପିଢି ପାଇଁ ବିଶେଷ କିଛି ଅସୁବିଧା କରୁନି । କିନ୍ତୁ ପୁରୁଣା ପିଢି ଏହାଦ୍ୱାରା ପ୍ରଭାବିତ ହେଉଛନ୍ତି । ଚାପରେ ରହୁଛନ୍ତି । ଏକାଧିକ ପ୍ଲାଟ୍‍ଫର୍ମ ନିମନ୍ତେ  ତିଆରି କରିବାର ଚାପକୁଆପଣ ସପ୍ତମ ଚାପ ଭାବେ ନିଅନ୍ତୁ ।

ସେମିତି ସାମାଜିକ ଗଣମାଧ୍ୟମରେ ଗ୍ରାଟିଫିକେସନ୍‍ ବା ଋଣ ପରିଶୋଧ କରିବାର ଚାପକୁ ଆପଣ ଅଷ୍ଟମ ଚାପ ଭାବେ ନିଅନ୍ତୁ । ଯଦି ଜଣେ ଆମ ପୋଷ୍ଟକୁ କି ଟୁଇଟ୍‍କୁ ଲାଇକ୍‍ କଲା ବା ଭଲ କିଛି ମନ୍ତବ୍ୟ ଦେଲା, ତେବେ ତାହାର ଲେଖା କିମ୍ବା ଫଟୋରେ ଭଲ ମନ୍ତବ୍ୟ ଆମେ ଦେଉଛୁ । ଯଦି ନ ଦେଉଛୁ, ତେବେ ସେ ହୁଏତ ରାଗିଯିବା ବା ଆମ ପାଖରୁ ସେଇ ସାମାଜିକ ଗଣମାଧ୍ୟମରେ ଚାଲିଯିବା ଭୟରେ ଆମେ ଲାଇକ୍‍ କରୁଛୁ । କମେଣ୍ଟ କି ମନ୍ତବ୍ୟ ଦେଉଛୁ । ଆମେ ସେଠାରେ ଋଣ ପରିଶୋଧ ପରି କିଛି କରୁଛୁ । ତେବେ ଏହା ତ ସମସ୍ୟା । ଏହା ହିଁ ତ ଚାପ, ଯାହା ଭିତର ଦେଇ ଆମେ ଯାଉଛୁ । କିନ୍ତୁ ଏଥିରୁ ମୁକୁଳିବେ କେମିତି ?

ପ୍ରଥମରେ- ଅନୁଭବ କରନ୍ତୁ, ସାମାଜିକ ଗଣମାଧ୍ୟମ ଏକ ନିଶା । ଆମ ସୁଖଦୁଃଖ, ପ୍ରତିଟି କଥା ଆମେ ସେଇଠି ଲେଖି ଦେଉଛୁ । ତେଣୁ ପ୍ରତି ସପ୍ତାହରେ ଏକ ନିର୍ଦ୍ଦିଷ୍ଟ ଦିନ କି ସମୟ ଠିକ କରନ୍ତୁ, ଯେବେ ଆପଣ ସାମାଜିକ ଗଣମାଧ୍ୟମ ବ୍ୟବହାର କରିବେ ନାହିଁ । ସେହି ସମୟକୁ ଆସ୍ତେ ବଢେଇ ଚାଲନ୍ତୁ । ଦ୍ୱିତୀୟରେ- ଯେଉଁ ସାମାଜିକ ଗଣମାଧ୍ୟମର ଆପ୍‍ ଆପଣଙ୍କ ପାଖେ ଅଛି ଓ ଆପଣ ବିଶେଷ ବ୍ୟବହାର କରୁ ନାହାନ୍ତି, ତାହାକୁ ମୋବାଇଲରୁ ହଟେଇ ଦିଅନ୍ତୁ ।

ତୃତୀୟରେ- ଆଜିକାଲି ତ ଆପ୍‍ ଆସିଲାଣି, ଯାହା ଆପଣଙ୍କୁ ଜଣାଇ ଦେଉଛି, କେଉଁ ଆପ୍‍ରେ ଆପଣ କେତେ ସମୟ ବିତେଇଛନ୍ତି । ତେଣୁ ସାମାଜିକ ଗଣମାଧ୍ୟମ ଆପ୍‍ ପାଇଁ ସମୟ ନିର୍ଦ୍ଧାରିତ କରନ୍ତୁ । ତା’ଠାରୁ ଅଧିକ ହେଲେ, ଆପେ ଯେମିତି ସେଇଦିନ ପାଇଁ ଆପ୍‍ ବ୍ଲକ୍‍ ହୋଇଯିବ, ତାହାର ବ୍ୟବସ୍ଥା କରନ୍ତୁ ।

ଚତୁର୍ଥରେ- ସାମାଜିକ ଗଣମାଧ୍ୟମର ଆପ୍‍ ଗୁଡ଼ିକର ନୋଟିଫିକେସନ୍‍ ବନ୍ଦ କରି ଦିଅନ୍ତୁ । ଫଳରେ ଆପଣ କେଇ ମିନିଟରେ ଥରେ ଆଉ ସେଠାକୁ ଯିବେ ନାହିଁ ଦେଖିବାକୁ ଯେ, କେତୁଟା ଲାଇକ୍‍ ଆସିଲା ଓ କିଏ କଣ ମନ୍ତବ୍ୟ ଦେଲା ।

ପଞ୍ଚମରେ- ସାମାଜିକ ଗଣମାଧ୍ୟମ ବାହାରେ ଦୁନିଆ ଅଛି । ବିରାଟ, ବ୍ୟାପ୍ତ ଓ ବିସ୍ତୃତ ଦୁନିଆ । ତାକୁ ଅନୁଭବ କରନ୍ତୁ । ନିଜର ଅଭ୍ୟାସ ବଦଳାନ୍ତୁ । ଗୀତ ଶୁଣନ୍ତୁ । ବହି ପଢନ୍ତୁ । ବହିଠାରୁ ଭଲ ସାଥି କେବେ କେହି ନାହିଁ- ଏହା ମନେ ରଖନ୍ତୁ । ଆହୁରି ଅନେକ ରକମର ଚାପ ଥିବ । ସେଥିରୁ ଓହରିବା ପାଇଁ ଅନେକ ଉପାୟ ବି ଥିବ । ସେସବୁକୁ ଅଭ୍ୟାସ କରନ୍ତୁ । ସମୟ ଲାଗିବ । କିନ୍ତୁ ଦେଖିବେ- କ୍ରମଶଃ ସାମାଜିକ ଗଣମାଧ୍ୟମରେ ଆପଣ ବିତେଉ ଥିବା ସମୟରୁ କିଛିଟା ଓହରି ଆସିବେ । ପୁରା ତ ଛାଡ଼ିବା ଆଜିକାଲି ଏକରକମ ଅସମ୍ଭବ ।