ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଥିବା ମାଆ କାଲକାଜୀ ମନ୍ଦିରକୁ ପ୍ରତ୍ୟକ ବର୍ଷ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଅନେକ ପର୍ଯ୍ୟଟକ ଦର୍ଶନ କରିବାକୁ ଆସିଥାନ୍ତି । ଅନେକ ଲୋକଙ୍କର ମାଆଙ୍କ ପ୍ରତି ଦୃଢ ବିଶ୍ୱାସ ରହିଛି । କୁହାଯାଏ ମାଆ କାଲକାଜୀଙ୍କୁ ଦର୍ଶନ କରି ମନସ୍କାମନା ବିଷୟରେ ଜଣାଇଲେ ତାହା ପୁରଣ ହୋଇଥାଏ । ତେଣୁ ପ୍ରତ୍ୟକ ଦିନ ଅନେକ ଶ୍ରଦ୍ଧାଳୁ ମାଆଙ୍କ ମନ୍ଦିରରେ ଭିଡ ଜମାଇଥାନ୍ତି । ପ୍ରାୟ ବର୍ଷସାରା ମାଆଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଥାଏ । ବିଶେଷ କରି ନବରାତ୍ରୀ ସମୟରେ ମାଆଙ୍କ ମନ୍ଦିରରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥାଏ । ମାଆ କାଲକାଜୀଙ୍କ ମନ୍ଦିରଟି ଖୁବ ପ୍ରାଚୀନ ହୋଇଥିବାରୁ ଏହି ସ୍ଥାନକୁ ନେଇ ଅନେକ କିମ୍ୱଦନ୍ତୀ ମଧ୍ୟ ରହିଛି ।
ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ମାଆ କାଲକାଜୀଙ୍କ ମନ୍ଦିରକୁ ଯିବା ପାଇଁ ହେଲେ ଆପଣ ଛୋଟ ପିଷାକ ପିନ୍ଧିପାରିବେନି । ମାଆ କାଲକାଜୀଙ୍କ ଦର୍ଶନ ପାଇଁ ମନ୍ଦିରକୁ ପ୍ରବେଶ କରିବା ସମୟରେ ଆପଣଙ୍କ ଚିନ୍ତାଧାରା ଶୁଦ୍ଧ ହେବା ସହିତ ଆପଣଙ୍କ ପୋଷାକ ମଧ୍ୟ ଶୁଦ୍ଧ ହେବା ଆବଶ୍ୟକ । ଆପଣ ପାଶ୍ଚାତ୍ୟ ସଭ୍ୟତା ଦ୍ୱାରା ଅନୁପ୍ରାଣିତ ହୋଇ ଛୋଟ ପୋଷାକ ପିନ୍ଧିଥିଲେ ଆପଣଙ୍କୁ ମନ୍ଦିର ଭିତରକୁ ଯିବାକୁ ଅନୁମତି ଦିଆଯିବ ନାହିଁ । ଏପରି କିଛି ସୂଚନା ମାଆ କାଲକାଜୀଙ୍କ ମନ୍ଦିର ବାହାରେ ଥିବା ସୂଚନା ବୋର୍ଡରେ ଲେଖାଯାଇଛି । ଉକ୍ତ ବୋର୍ଡରେ ଲେଖାଯାଇଛି ଯେ, ଯେଉଁ ଭକ୍ତ ଛୋଟ ଏବଂ କଦର୍ଯ୍ୟ ଦେଖାଯାଉଥିବା ପୋଷାକ ପିନ୍ଧି ମାଆଙ୍କ ନିକଟକୁ ଆସିବେ ସେମାନଙ୍କୁ ଦର୍ଶନ ସୁବିଧାରୁ ବଞ୍ଚିତ କରାଯିବ । ସେମାନେ କେବଳ ମନ୍ଦିର ବାହାରେ ଦର୍ଶନ କରିପାରିବେ ଅର୍ଥାତ ଭିତରକୁ ପ୍ରବେଶ ମନା ।
କାଲକାଜୀ ମନ୍ଦିରର ପୂଜକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଏହି ମନ୍ଦିର ଏକ ପବିତ୍ର ସ୍ଥାନ । ଏଠାକୁ ଅନେକ ବର୍ଗର ଲୋକମାନେ ଦେଶର କୋଣ ଅନୁକୋଣରୁ ଆସିଥାନ୍ତି । ତେଣୁ ବିଶ୍ୱାସର ସହିତ ମାଆଙ୍କ ନିକଟକୁ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁ ନିଜକୁ ପରିସ୍କାର ପରିଚ୍ଛନ ରଖିବା ସହିତ ଉତ୍ତମ ପୋଷାକ ପିନ୍ଧି ମନ୍ଦିରକୁ ପ୍ରବେଶ କରିବା ଉଚିତ । ମାଆଙ୍କୁ ଦର୍ଶନ ସମୟରେ ଭକ୍ତି ବ୍ୟତୀତ ମନରେ ଅନ୍ୟ କିଛି ରହିବା ଉଚିତ ନୁହେଁ । ସେଥିପାଇଁ ମନ୍ଦିର ପରିସରକୁ ସୁନ୍ଦର ପୋଷାକ ପିନ୍ଧି ଆସିବା ଉଚିତ । ଉଭୟ ପୁରୁଷ ଓ ମହିଳାଙ୍କ ଏପରି ନିୟମ ମନ୍ଦିର ପ୍ରଶାସନ ପକ୍ଷରୁ ବାଧ୍ୟତାମୂଳକ କରାଯାଇଥିବା ଜଣାପଡିଛି । ତେବେ ଏହି ସୂଚନାକୁ ନେଇ କିଛି ଭକ୍ତଙ୍କ ମନରେ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ କିଛି ବରିଷ୍ଠ ନାଗରିକ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ।
Comments are closed.