Latest Odisha News

ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ କୃତ୍ରିମ ପିଚ୍ ?

ଭୁବନେଶ୍ବର : ପିଚ୍ ତ ପିଚ୍। ସେଥିରେ ପୁଣି କୃତ୍ରିମ ପିଚ୍ କଣ? ଆଇପିଏଲର ୨୦୨୪ ସଂସ୍କରଣ ପରେ ଆମେରିକା ଓ ୱେଷ୍ଟଇଣ୍ଡିଜର ମିଳିତ ଆୟୋଜନରେ ଟି-୨୦ ବିଶ୍ୱକପ୍ ଖେଳାଯିବ । ଆଉ ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। କିନ୍ତୁ ଏହାରି ଭିତରେ ନ୍ୟୁୟର୍କରେ ଯେଉଁ ପିଚ୍ ପ୍ରସ୍ତୁତ କରାଯାଇଛି, ତାକୁ ନେଇ ବେଶ ଚର୍ଚ୍ଚା। ଆଉ ସେଇ ନ୍ୟୁୟର୍କରେ ହିଁ ଭାରତ ଓ ପାକିସ୍ତାନ ମଧ୍ୟରେ ଗ୍ରୁପ ମ୍ୟାଚ୍ ଖେଳାଯିବ। ମ୍ୟାଚ୍ ପାଇଁ ତିଆରି ପିଚ୍ ଅନ୍ୟ ପିଚଠାରୁ ଟିକିଏ ଅଲଗା। ଆମେରିକାରେ ନୂତନ ଭାବେ ନିର୍ମିତ ନ୍ୟୁୟର୍କରେ ଯେଉଁ ପିଚ୍ ବ୍ୟବହାର ହେବ, ତାହା ବାହାରୁ ମଗାଯାଇଛି। ଅର୍ଥାତ୍ ଏଠାରେ ‘ଡ୍ରପ- ଇନ୍’ ପିଚ୍ ବ୍ୟବହାର କରାଯିବ।

BjdElectrycity

‘ଡ୍ରପ- ଇନ୍’ ପିଚ୍ କଣ? ସାଧାରଣତଃ ଯେଉଁ ଗ୍ରାଉଣ୍ଡରେ ମ୍ୟାଚ୍ ହୁଏ, ସେଠାରେ ସ୍ଵତନ୍ତ୍ର ପିଚ୍ ପ୍ରସ୍ତୁତ କରାଯାଇଥାଏ। ହେଲେ ନ୍ୟୁୟର୍କ ପାଇଁ ପିଚ୍ ଅଲଗା ଭାବେ ତିଆରି କରାଯାଇଛି। ଅର୍ଥାତ୍ ‘ଡ୍ରପ- ଇନ୍’ ପିଚର ବ୍ୟବହାର କରାଯିବ। ‘ଡ୍ରପ- ଇନ୍’ ପିଚ୍ ଆୟୋଜନସ୍ଥଳରୁ ବାହାରେ ତିଆରି କରାଯାଏ। ମ୍ୟାଚ୍ ବେଳେ ସେହି ପିଚକୁ ଆଣି ଗ୍ରାଉଣ୍ଡରେ ବିଛା ଯାଏ। ଟି-୨୦ ବିଶ୍ୱକପ୍ ପାଇଁ ଡିସେମ୍ବରରୁ ଫ୍ଲୋରିଡାରେ ୧୦ଟି ଡ୍ରପ୍ ଇନ୍ ପିଚ୍ ନିର୍ମାଣ କରାଯାଉଛି। ଆଡିଲେଡ୍ ଓଭାଲ୍ ଟର୍ଫ୍ ସଲ୍ୟୁସନର ମୁଖ୍ୟ କ୍ୟୁରେଟର ଡାମିଏର ହଗଙ୍କ ତତ୍ତ୍ୱାବଧାନରେ ଏସବୁ ପିଚ ପ୍ରସ୍ତୁତ କରାଯାଉଛି।

ଆଇସିସିର ସୂଚନା ଅନୁସାରେ, ନ୍ୟୁୟର୍କର ନାସାଉ ଷ୍ଟାଡିୟମରେ ୪ଟି ପିଚ୍ ଲଗାଯିବ। ବାକି ୬ଟି ପିଚ ଆଖପାଖ ଅଭ୍ୟାସ ପରିସରରେ ଲଗାଯିବ। ଆଡିଲେଡ୍ ଓଭାଲ ଟର୍ଫ୍ ସଲ୍ୟୁସନ୍ ଦଳ ନ୍ୟୁୟର୍କରେ ରହି ଟୁର୍ଣ୍ଣାମେଣ୍ଟ ସମୟରେ ପିଚ୍ ରକ୍ଷଣାବେକ୍ଷଣରେ ସହାୟତା କରିବେ। ତେବେ ଅନ୍ୟ ପିଚ ଭଳି ଏପିଚ୍ କେମିତି ରହିବ, ତାହା ମ୍ୟାଚ୍ ବେଳେ ଜଣାପଡିବ। ଆସନ୍ତା ଜୁନ୍ ୨ରୁ ୨୯ ତାରିଖ ପର୍ଯ୍ୟନ୍ତ ଟି-୨୦ ବିଶ୍ୱକପ୍ ଖେଳାଯିବ। ପ୍ରଥମ ଥର ପାଇଁ ଦୁଇ ଦେଶ ମିଳିତ ଭାବେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଛନ୍ତି। ଏଥିରେ ୨୦ଟି ଦଳ ଭାଗ ନେଉଛନ୍ତି।

Leave A Reply

Your email address will not be published.