Latest Odisha News

ସାରା ରାଜ୍ୟରେ ଟେଲମା ୪୦ ଔଷଧକୁ ନେଇ ଚାଲିଛି ଚଢ଼ାଉ

ଭୁବନେଶ୍ୱର: ଉଚ୍ଚ ରକ୍ତଚାପ ବା ବ୍ଲଡ ପ୍ରେସର ପାଇଁ ଡାକ୍ତର ଟେଲମା-୪୦ ଏବଂ ଟେଲମା-ଏଏମ ଔଷଧକୁ ରୋଗୀଙ୍କୁ ଖାଇବାକୁ ଦିଅନ୍ତି । କିନ୍ତୁ ଏହି ଔଷଧର ନକଲିକରଣ କରାଯାଇଛି ବୋଲି ଅଭିଯୋଗ ପରେ ସାରା ରାଜ୍ୟରେ ଡ୍ରଗ୍ସ କଣ୍ଟ୍ରୋଲର ସକ୍ରିୟ ହୋଇଯାଇଛନ୍ତି। ଗତକାଲି କଟକରେ ବିଭିନ୍ନ ଔଷଧ ଦୋକାନରେ ଚଢାଉ କରିଥିଲା ଡ୍ରଗ୍ସ କଣ୍ଟ୍ରୋଲର ଟିମ। ପରେ ଆଜି ସାରା ରାଜ୍ୟରେ ଥିବା ଔଷଧ ବିତରଣ କରୁଥିବା ବ୍ୟବସାୟୀଙ୍କ ଗୋଦାମ, ଔଷଧ ଦୋକାନରେ ଚଢ଼ାଉ କରୁଛି ଡ୍ରଗ୍ସ କଣ୍ଟ୍ରୋଲର ଟିମ୍। ଗତକାଲି ସଂଧ୍ୟା ୭ ସୁଦ୍ଧା ମୋଟ୍ ୩୦ ଲକ୍ଷ ଟଙ୍କାର ଔଷଧ ଜବତ ହୋଇଥିଲା।

ଏବେ ଡ୍ରଗ୍ସ କଣ୍ଟ୍ରୋଲର ଟିମ୍ ଔଷଧ ଗୁଡିକୁ ବିକ୍ରି ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଜବତ ହୋଇଥିବା ଔଷଧର ନମୁନା ସଂଗ୍ରହ କରି ଡ୍ରଗ୍ସ କଣ୍ଟ୍ରୋଲର ଟିମ୍ ଲ୍ୟାବକୁ ପଠାଇଛି।

ଉଲ୍ଲେଖଯୋଗ୍ୟ, କଟକ ବକ୍ସି ବଜାର ସମେତ କିଛି ଅଞ୍ଚଳରେ କିଛି ଷ୍ଟକିଷ୍ଟ ଅଛନ୍ତି ଯେଉଁମାନେ ରାଜ୍ୟର ବିଭିନ୍ନ ସ୍ଥାନକୁ ଏହି ଔଷଧ ଯୋଗାଉଛନ୍ତି। ବହୁ ପୂର୍ବରୁ ଅଭିଯୋଗ ହୋଇଆସୁଛି ଯେ ରାଜ୍ୟର ମେଡିକାଲ ହବ୍ ଭାବରେ ପରିଚିତ କଟକ ସହରରେ ନକଲି ଔଷଧ ବିକ୍ରି ହେଉଛି।

ଡ୍ରଗ୍ସ ନିୟନ୍ତ୍ରକ ସହିତ ଅଭିଯୋଗ ହୋଇଥିଲା ଯେ କଟକ ସହରରେ ଟେଲମା ୪୦ ଏବଂ ଟେଲମା ଏମ୍ ର ନକଲ ବିକ୍ରି ହେଉଛି। ଆଉ ଏହି ନକଲି ଔଷଧ ବାଙ୍ଗାଲୋରରୁ ଆସୁଛି।

ଏହି ଅଭିଯୋଗ ପରେ ଏକ ଟିମ୍ ଗତକାଲିଠୁ ଚଢ଼ାଉ କରୁଛନ୍ତି। ସମସ୍ତ ଷ୍ଟକ୍ସିଷ୍ଟରୁ ହୋଲସେଲର ଏବଂ ଖୁଚୁରା ବ୍ୟବସାୟୀଙ୍କୁ ଯୋଗାଇ ଦିଆଯାଉଥିବା ଔଷଧକୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ମଧ୍ୟ ଜାରି କରାଯାଇଛି। ଉଭୟ ଔଷଧ ବହୁଳ ଭାବରେ ବ୍ୟବହୃତ ହେଉଥିବାରୁ ଏହା ଏକ ଚିନ୍ତାର ବିଷୟ ପାଲଟିଛି।

ନକଲି ଔଷଧ ବିକ୍ରି ହେଉଥିବା ନେଇ ଖବର ପ୍ରସାରଣ ହେବା ପରଠାରୁ ଗ୍ରାହକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଯାଇଛି। ଗ୍ରାହକମାନେ କେବଳ ଔଷଧର ଅବଧି ତାରିଖ ଉପରେ ନଜର ପକାନ୍ତି । ଯାହା ନକଲି ଔଷଧ ଚିହ୍ନଟ କରିବାରେ କୌଣସି ପ୍ରକାରେ ସାହାଯ୍ୟ କରିବ ନାହିଁ, ଖୁଚୁରା ମେଡିସିନ୍ ଷ୍ଟୋର୍‌ ମାଲିକମାନେ କିଣିବା ପୂର୍ବରୁ କେବଳ ଷ୍ଟକ୍ସିଷ୍ଟ୍ ଲେବଲ୍ ଏବଂ ତାରିଖ ଯାଞ୍ଚ କରନ୍ତି।

ଜଣେ ବ୍ୟକ୍ତି ଏହି ଔଷଧ କିଣିଥିଲେ। ପରେ ଔଷଧର ପଛରେ ଥିବା ବାରକୋଡକୁ ମୋବାଇଲରେ ସ୍କାନ କରିଥିଲେ। ଏହାପରେ ଗୋଟିଏ ଔଷଧ ଅରିଜିନାଲ ଅର୍ଥାତ୍ ଠିକଠାକ୍ ଥିବା ମୋବାଇଲରେ ଦର୍ଶାଇଥିଲା। ଅନ୍ୟଟି ଗୋଟିଏ ସିଲେଇ ଦୋକାନର ବାରକୋଡ ବୋଲି ଜଣାପଡ଼ିଥିଲା। ଏହାପରେ ଦାମୀ ବ୍ରାଣ୍ଡ ଖୋଳ ଭିତରେ ଟେଲମା-୪୦ ଔଷଧ ନକଲି ହୋଇ ବିକ୍ରି ହେଉଥିବା ଜଣାପଡିଥିଲା।

ପୂର୍ବରୁ କୋଭିଡ ବେଳେ କଟକରେ ନକଲି ଔଷଧ କାରବାର ଅଭିଯୋଗରେ ଦମ୍ପତି ଗିରଫ ହୋଇଥିଲେ। ଉଭୟ ଗୋଟିଏ ଔଷଧ ଦୋକାନ କରିଥିଲେ।

Leave A Reply

Your email address will not be published.