ଏବେ ପୂରିଉଠିବ ଘର
କମଳା ଶତପଥୀ
ଏବେ ପୂରିଉଠିବ ଏ ଘର… କହିବାକୁ ଗଲେ ଆମସଂସାର! ବହୁତ ଦିନରୁ ସଂସାର ଦାୟରେ ପରସ୍ପରଠାରୁ ଅନିଚ୍ଛାକୃତ ଦୂରତ୍ୱକୁ ଆପଣେଇବାର ବାଧ୍ୟବାଧକତାରେ, ପୋଖରୀର ସ୍ଥିରତାକୁ ଭୋଗୁଥିବା ଆମ ଉଭୟଙ୍କ ପାଇଁ ଏବେ ଆସିଯିବ ନୂଆକରି ବସନ୍ତର ଗହଳଚହଳ! ଗୋଟିଏ ବିନ୍ଦୁରେ ଅଟକି ଯାଇଥିବା ଏଇ ଜୀବନ ଏବେ ସରଳରେଖା ହୋଇ ଲମ୍ବିଯିବ ଆଗକୁ ଆଗକୁ । ଭୋଗିବା ଆମେ ଏ ଫେରନ୍ତି ବସନ୍ତକୁ ମୁଗ୍ଧହୋଇ, ଦୀର୍ଘବର୍ଷର ଜଞ୍ଜାଳରୁ ମୁକ୍ତ ହୋଇ! ତୁମେ ଫେରିଆସିବ ଆମେ ଗଢ଼ିଥିବା ଚାରିକାନ୍ଥର ସବୁଜ ଦୁନିଆକୁ, ଯାହା ତୁମ ଅନୁପସ୍ଥିତିରେ ଲାଗୁଥିଲା ଉଦାସ ଉଦାସ, ଆଉ ଦିଶୁଥିଲା କେତେ ମାଟିଆମାଟିଆ ।
ତୁମ ବିନା ସକାଳର ଚା’ କପ୍ ଆଉ ଲାଗୁନଥିଲା ମନ ମତାଣିଆ… ଲାଗୁନଥିଲା ଖବରକାଗଜର ପୃଷ୍ଠା ସେତିକି ଓଜନଦାରିଆ… ଛୁଉଁନଥିଲା ଅକ୍ଷୟ ମହାନ୍ତିଙ୍କ ପ୍ରେମିକ କଣ୍ଠର ଗୀତ… କୋଇଲିର କୁହୂ ବି ଶୁଭୁଥିଲା କେତେ କାନ୍ଦୁରା କାନ୍ଦୁରା!
ଏବେ ସେସବୁରେ ବୋଳିଯିବ ଫଗୁଣର ଫଗୁଳିଆ ରଙ୍ଗ! ଜୀବନଟା ବ୍ୟାପିଯିବ ଶାଖା ପ୍ରଶାଖା ମେଲେଇ! ଆଖିଖୋଲି ଦେଖିବ ସେ ପୁଣି ଥରେ ଫେରିଆସୁଥିବା ଇଚ୍ଛାମାନଙ୍କୁ! ଆଉ ସାଉଁଟି ଆଣିବ ଦୁଆରବନ୍ଧ ଡେଇଁ ବାହାର ଜଞ୍ଜାଳରେ ହଜିଯାଇଥିବା ପୁଲକମାନଙ୍କୁ!
ତୁମେ ଆସିବ, ଏଇ ଭାବନାରେ ହିଁ ନିରବୀ ଯାଇଥିବା ଓଠ ଗୁଣୁଗୁୁଣେଇ ଉଠିଲାଣି ତୁମ ମନପସନ୍ଦିଆ ଗୀତର ସ୍ୱରକୁ! ଏ ଗୀତର ସୁରେସୁରେ କେନା ମେଲିଲାଣି ସ୍ମୃତିର ଅପାସୋରା କ୍ଷଣସବୁ, ଯେବେ ଗ୍ରୀଷ୍ମର ଗରମ ପବନରୁ ଦୂରେଇ ଆମେ ଶୋଇରହୁଥିଲେ ଛାତ ଉପରେ ମସିଣା ପାରି । ତୁମକାନ ପାଖରେ ରହୁଥିଲା ମର୍ଫି ରେଡିଓ, ଆଉ ସେଥିରୁ ଭାସି ଆସୁଥିଲା ବିନାକା ଗୀତମାଲା ଅବା ଜୟମାଲାର ସୁଗମ ସଙ୍ଗୀତ । ପବନର ସରସର ଶବ୍ଦରେ ଶିହିରି ଉଠି ମୁଁ ଲାଗି ଯାଉଥିଲି ତୁମ ଛାତି ପାଖକୁ… ଜାଣିଶୁଣି ତୁମେ କହୁଥିଲ ଠିକ୍ ସେତିକିବେଳେ ପିଲାଦିନର ଯେତେସବୁ ଭୂତଗପ । ମିଛ ବୋଲି ଜାଣିକି ବି ଭୟରେ କୁଙ୍କୁରିକାଙ୍କେରି ହୋଇ ବୁଜି ଦେଉଥିଲି ମୁଁ ଆଖି… ତୁମେ ଗାଉଥିଲ ଗୀତ – ୟେ ରାତେ ୟେ ମୌସମ୍ ନଦୀ କା କିନାରା…! ମୋ ଭିତରେ ମୁଗ୍ଧତାର ଝରୁଥିଲା ଅଦିନ ଶ୍ରାବଣ!
ତୁମେ ଆସିବା ଖବର ପାଇଲା ଦିନରୁ ବଗିଚାର ଫୁଲସବୁ ରଙ୍ଗ ବଦଳୋଉଛନ୍ତି… କାନ୍ଥରେ ମାଡି ଯାଇଥିବା ଶିଉଳିର କଳା ଦାଗ ଆପେ ଆପେ ଝଡୁଛନ୍ତି… ଶୁଖିଲା ଗଛରେ ବଢୁଛି କଅଁଳ ପତ୍ରର ସମ୍ଭାର… ଫିକା ଫିକା ରଙ୍ଗଛଡା ଶାଢ଼ୀ ଯେତେ ମୋର, ସ୍ୱଇଚ୍ଛାରେ ହେଉଛନ୍ତି ପେଡିମୁହାଁ .. ଆଲମାରିରେ ଭରିଯାଉଛି ଅଜାଣତେ ଯେତେସବୁ ଆଖି ଝଲସିଆ ରଙ୍ଗ… ପୋଛି ଯାଇଥିବା କଜଳର ଗାର ଫେରି ଆସୁଛନ୍ତି ଆଖିକୁ ମୋହର! ହଁ, ମୋ ସହ ଏମାନେ ବି ସଶ୍ରଦ୍ଧରେ ତୁମ ଫେରିବା ବାଟକୁ ଚାହିଁ ବସିଛନ୍ତି!
ତୁମେ ଆସିବ .. ଦୀର୍ଘ ଦିନର ବିଚ୍ଛେଦର ଅନ୍ତ ଘଟିବ । ପୁଣି ଥରେ ନୂଆକରି ଆମେ କରିବା ଖାସ୍ ଆମ ନିଜ ପାଇଁ ସଂସାରର ଶୁଭାରମ୍ଭ! ବାହାର ଦୁନିଆର ଯେତେ କୋଳାହଳ, ପାଖକୁ ଆସିବାକୁ ବ୍ୟାକୁଳ ହେଲେ ବି ପାଉନଥିବେ ମନଲାଖି ପଥ .. ଦୂରରେ ଠିଆହୋଇ ଚାହିଁରହିଥିବେ ଆମକୁ ସେମାନେ .. ଆମେ ଭିଜୁଥିବା ସ୍ମୃତିର ଟୋପାଟୋପା ମେଘରେ… ହଜୁଥିବା ଜୀବନରେ ଭୋଗିଥିବା ମଧୁରତାରେ ଭରାକାବ୍ୟ କବିତାରେ!
ଏସବୁର କଳ୍ପନାରେ ମୋ ଭିତରେ ଅସରନ୍ତି କୋଳହଳ! ପଇଁତିରିଶ ବର୍ଷ ତଳର ଭାବନାସବୁ କରୁଛନ୍ତି ଆଖିରୁ ନିଦକୁ ଉଭାନ .. ପାଲଟି ଯାଉଛି ମୁଁ ସେଇ ନବବଧୂ ତୁମ… କାନ ପାରୁଛି ଶୁଣିବାକୁ ତୁମ ପାଦଶବ୍ଦ – ଏଥର କବାଟ ଫାଙ୍କରୁ ନୁହେଁ, ବାଲକୋନିର ରେଲିଂ ପାଖରୁ! ମୋ ଭିତରେ ଭୟ କି ଉଚ୍ଚାଟତା ନାହିଁ ଆଗାମୀ ମିଳନର, ଅଛି ବ୍ୟାକୁଳତା ତୁମ ଗାଡି ବିଳମ୍ବର!
କାଲିଠୁ ଜିଇଁବା ଆମେ ଏକ ମୁକ୍ତଛନ୍ଦୀ କବିତା ଜୀବନ! ଆମ ପାଇଁ କରିବେ ଅପେକ୍ଷା ସକାଳର ପ୍ରାତଃଭ୍ରମଣ ..ଗରମ ଚା’ର ବାମ୍ଫ .. ଖବରକାଗଜର ଉଷୁମାଳିଆ ପୃଷ୍ଠା, ବଗିଚାରେ ପାଣିଦିଆ କାମ! ଆମ ହିସାବରେ କାଲିଠୁ ଆସିବ ସକାଳ… ଆଉଆସିବ ପରିବା, ଦୁଧ, ତେଜରାତି… ଜଳିବ ଚୁଲି, ବନିବ ଖାସ୍ ଆମକୁ ପସନ୍ଦ ଥିବା ଜଳଖିଆ କିଛି ..ତୁମେ ମନେ ପକୋଉଥିବ ବହୁତ ଦିନରୁ ସ୍ୱାଦ ଭୁଲିଥିବା ସେଇଖାଦ୍ୟ ସବୁର ନାଁ .. ମୁଁ ମନେ ମନେ ଭାବୁଥିବି କାଲି ସେସବୁ ତମକୁ ବାଢ଼ିବା ପାଇଁ ଯୋଗାଡିବାକୁ ଥିବା ସାଜସରଞ୍ଜାମର କଥା!
ସକାଳ ଗଡିବ ଦ୍ୱିପହରକୁ… ଦ୍ୱିପହର ଡେଇଁବ ସନ୍ଧ୍ୟାକୁ…ସନ୍ଧ୍ୟା ପୁଣି ଡାକି ଆଣୁଥିବ ରାତି । ଅନୁଭବୁଥିବା ଆମେ ଆମ ଦେହର ଉଷ୍ମତା… ଚାକିରି ଜୀବନର ଖଟାମିଠା ସ୍ମୃତିରେ ତୁମେ ପୁହାଉଥିବ ରାତି… ମୁଁ ଭୁଲୁଥିବି ସଂସାର ଜଞ୍ଜାଳ ପାଇଁ ତୁମଠୁ ଅଲଗା ରହିବାର ବାଧ୍ୟବାଧକତାକୁ! ତେଲଲୁଣ କଥା ଆମେ ରଖିବା ପଛକୁ… ସମୟର ମଙ୍ଗ ନିଜ ହାତରେ ଧରି ଏବେ ଆମେ ଜିଇଁବା ଖାଲି ଆମ ପାଇଁ… ଅବସର ଜୀବନକୁ ଅସରନ୍ତି ଧନ୍ୟବାଦ ଦେଇ! ଜୀବନକୁ ନିଜ ହିସାବରେ ଆଉ ଥରେ ଜିଇଁବାର ସୁଯୋଗକୁ ନେଇ ..!
Comments are closed.