Latest Odisha News

BREAKING NEWS

ମତଦାନ ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଅନୁରୋଧ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଏକ ବୈଠକ କରିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ । ବୈଠକରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏହା ଅଧିନରେ ଥିବା ୨୮ଟି ବିଧାନସଭା କ୍ଷେତ୍ରରେ ଉତ୍ସାହ ମଧ୍ୟରେ ହୋଇଥିବା ମତଦାନ ବିଷୟରେ ସୂଚିତ କରିଛନ୍ତି ଇସି । ଏହି ପର୍ଯ୍ୟାୟରେ ହାରାହାରି ମତଦାନ ହାର ୭୫.୬୮ ପ୍ରତିଶତ ଥିବାରୁ ମୁଖ୍ୟ ନିର୍ବାଚନ ଅଧିକାରୀ ସନ୍ତୋଷ ବ୍ୟକ୍ତ କରିଥିଲେ ।

ସ୍ୱାଭିମାନ ଅଞ୍ଚଳଠୁ ଆରମ୍ଭ କରି ବିଭିନ୍ନ ଅଞ୍ଚଳରେ କିପରି ସବୁବର୍ଗର ମତଦାତାମାନେ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଥିଲେ ଶ୍ରୀ ଧଳ ସେ ବିଷୟରେ ଅବଗତ କରାଇଥିଲେ । ଏହି ସମୟରେ ଗଞ୍ଜାମ ଜିଲ୍ଲା ଖଲିକୋଟଠାରେ ହୋଇଥିବା ପ୍ରାକ୍‌ନିର୍ବାଚନୀ ହିଂସା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଚିନ୍ତା ପ୍ରକଟ କରିଥିଲେ । ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ ଏବଂ କୌଣସି ପ୍ରକାରର ଆଇନଶୃଙ୍ଖଳା ପରିସ୍ଥିତିକୁ ବରଦାସ୍ତ କରାଯିବ ନାହିଁ ବୋଲି ସ୍ପଷ୍ଟ ଭାବରେ ପ୍ରକାଶ କରିଥିଲେ ଶ୍ରୀ ଧଳ ।

ଆସନ୍ତା ଆଉ ୩ଟି ମତଦାନ ସମୟରେ ଶାନ୍ତିଶୃଙ୍ଖଳା ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ଗଣତନ୍ତ୍ରର ମହାପର୍ବରେ ସାମିଲ ହେବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଏହି ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ସଖି ବୁଥ୍‌ରେ ମହିଳା ପୋଲିଂ ଏଜେଣ୍ଟ ଦେବା ପାଇଁ ରାଜନୈତିକ ଦଳମାନଙ୍କୁ ଅନୁରୋଧ କରିଥିଲେ । ଏହା ସହ ସମସ୍ତ ପୋଲିଂ ଏଜେଣ୍ଟମାନଙ୍କୁ ‘ପରିଚୟ ପତ୍ର’ ପ୍ରଦାନ କରିବାକୁ ସେ ଅନୁରୋଧ କରିଥିଲେ ।

 

Leave A Reply

Your email address will not be published.