Latest Odisha News

BREAKING NEWS

କୋଭିଡ୍‌-୧୯: ଦେଶସାରା ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରୁଛି ପୂର୍ବତଟ ରେଳପଥ

ଭୁବନେଶ୍ୱର: ଦେଶରେ କରୋନା ଭୂତାଣୁ ସଂକ୍ରମଣ ତଥା ୨୧ ଦିନିଆ ତାଲାବନ୍ଦ ସତ୍ତ୍ୱେ ଦେଶସାରା ପରିଲକ୍ଷିତ ହୋଇଥିବା ଖାଦ୍ୟାଭାବକୁ ଦୂର କରିବାର ଆହ୍ୱାନକୁ ରେଳ ମନ୍ତ୍ରଣାଳୟ ଗୁରୁତ୍ୱର ସହ ଗ୍ରହଣ କରି ଅତ୍ୟାବଶ୍ୟକୀୟ ପଦାର୍ଥର ପରିବହନ ଦେଶସାରା କରିବାକୁ ନିଶ୍ଚିତ କରିଛି । ଭାରତୀୟ ରେଳପଥ, ଅତ୍ୟାବଶ୍ୟକୀୟ ପଦାର୍ଥ ଯଥା ଖାଦ୍ୟଶସ୍ୟ, ପେଟ୍ରୋଲିୟମ୍ ଉତ୍ପାଦ, କୋଇଲା, ଫଳ, ପରିବା, ଦୁଗଧ, ଜାଳେଣୀ ତେଲ, ଚିନି ଓ ଲୁଣ ଇତ୍ୟାଦି ପରିବହନ କରୁଛି । ୨୧ ଦିନ ଆହ୍ୱାନକୁ ସାମ୍ନାରେ ରଖି ପୂର୍ବ ତଟ ରେଳପଥ ବିଭିନ୍ନ ଶକ୍ତି ଉତ୍ପାଦନ ସ୍ଥଳକୁ କୋଇଲା ଯୋଗାଣ ନିୟମିତ ଭାବେ ଜାରି ରଖିଛି ।

ପୂର୍ବ ତଟ ରେଳପଥର ପରିସୀମା ମଧ୍ୟରୁ ମାଲ ପରିବହନ କରି ଦେଶର ବିଭିନ୍ନ ସ୍ଥାନ ବିଶେଷକରି ଦକ୍ଷିଣ ଭାରତକୁ ଚାଉଳ ଯୋଗାଣ ସମ୍ଭବ ହେଉଛି । ହୀରାକୂଦ, ବଲାଙ୍ଗୀର, ବରଗଡ଼ ଏବଂ ଡୁଙ୍ଗୁରିପାଲି ଷ୍ଟେସନରୁ ଚାଉଳ ବୋଝେଇ କରି ସରେଇ, କଟିହାର, ଟାଟା, କରଯେରିଗ୍ରାମ, ଟତସିଲ୍‌ୱାଇ, ନାମକୋନ, ଜସିଡିହି, ମଧୁପୁର ଏବଂ ଦୁମ୍‌କା ଇତ୍ୟାଦି ସ୍ଥାନକୁ ଅତ୍ୟାବଶ୍ୟକୀୟ ପଦାର୍ଥ ପରିବହନ କରାଯାଉଛି । ପୂର୍ବ ତଟ ରେଳପଥ ପରିସୀମାରୁ ମାର୍ଚ୍ଚ ୨୨ ରୁ ୨୮ ମଧ୍ୟରେ ସମୁଦାୟ ୬ଟି ଟ୍ରେନ୍‌ରେ ଚାଉଳ ବୋଝେଇ କରି ଏହି ସବୁ ସ୍ଥାନକୁ ପହଞ୍ଚାଯାଇଛି ।

ସେହିପରି ଦେଶର ବିଭିନ୍ନ ଶକ୍ତି ଉତ୍ପାଦନ ସ୍ଥାନକୁ ତାଳଚେର, ପାରାଦ୍ୱୀପ, ବିଶାଖାପାଟଣା ଓ ଧାମରାଠାରୁ କୋଇଲା ପରିବହନ କରାଯାଉଛି । ତାଲାବନ୍ଦ ଘୋଷଣାର ୮ ଦିନ ବା ମାର୍ଚ୍ଚ ୨୨ ରୁ ୨୯ ପର୍ଯ୍ୟନ୍ତ ସମୁଦାୟ ୧୦୧୨ଟି ଟ୍ରେନ୍ ଅତ୍ୟାବଶ୍ୟକୀୟ ସାମଗ୍ରୀ ବହନ କରି ଚଳାଚଳ କରିଛି । ଏହି ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରିଥିବା ଟ୍ରେନ୍ ମଧ୍ୟରେ ୬୪୯ଟି ଟ୍ରେନ୍ କୋଇଲା, ୮ଟି ଚାଉଳ ଟ୍ରେନ୍‌, ୨୩ଟି ପେଟ୍ରୋଲିୟମ୍ ଉତ୍ପାଦ ଟ୍ରେନ୍‌, ୭ଟି ସାର ବୋଝେଇ ଟ୍ରେନ୍ ଏବଂ ୩୨୫ଟି ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ପଦାର୍ଥ ଟ୍ରେନ୍ ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ବିଭିନ୍ନ ପଣ୍ୟ ଖଲାସ ହେଉଥିବା ସ୍ଥାନ ମାନଙ୍କରେ ଧାନ, ଚିନି, ଜାଳେଣୀ ତେଲ, ଦୁଗ୍‌ଧ ଉତ୍ପାଦ ଇତ୍ୟାଦି ଖାଦ୍ୟଶସ୍ୟ ପହଞ୍ଚିଛି ।

“ଆପଣ ଘରେ ରୁହନ୍ତୁ, ନିରାପଦ ରୁହନ୍ତୁ” ଉକ୍ତିକୁ ସାକାର କରିବା ନିମନ୍ତେ ଆମେ ଆପଣଙ୍କ ନିକଟକୁ ଅତ୍ୟାବଶ୍ୟକୀୟ ପଦାର୍ଥ ପହଞ୍ଚାଉଛୁ ।

ଲୋକୋ ପାଇଲଟ୍‌, ସହକାରୀ ଲୋକୋ ପାଇଲଟ୍‌, ଗାର୍ଡ଼, ଷ୍ଟେସନ ମାଷ୍ଟର, ଟୋକୋନ ପୋର୍ଟର, ଗୁଡସ୍ କ୍ଲର୍କ ଇତ୍ୟାଦି ପୂର୍ବ ତଟ ରେଳପଥର ଅବିଦିତ ଯୋଦ୍ଧା ଏବଂ ସଂକେତ, ବିଦ୍ୟୁତ୍‌, ଯାନ୍ତ୍ରୀକ, ଇଂଜିନିୟରିଂ, ସୁରକ୍ଷା ଆଦି ଅନ୍ୟାନ୍ୟ ସମ୍ପତ୍ତି ମରାମତିର ବିଭାଗୀୟ କର୍ମଚାରୀମାନେ ଦିବାରାତ୍ର କାର୍ଯ୍ୟକରି ଏହି ଅତ୍ୟାବଶ୍ୟକୀୟ ପଦାର୍ଥକୁ ଦେଶର ବିଭିନ୍ନ ସ୍ଥାନକୁ ପରିବହନ କରିବାରେ ସକ୍ଷମ ହେଉଛନ୍ତି । ଗୁଡସ୍ ସେଡ଼୍‌ଠାରେ ମାଲ ବୋଝେଇ ଓ ଖଲାସ୍ ସମୟରେ ଶ୍ରମିକ ଓ କର୍ମଚାରୀମାନେ ସାମାଜିକ ଦୂରତା ରକ୍ଷାକରି କାର୍ଯ୍ୟ କରିବାକୁ ନିଶ୍ଚିତ କରାଯାଉଛି ।

Leave A Reply

Your email address will not be published.