Latest Odisha News

BREAKING NEWS

ଜବତ ହେଲା ଗୋଲଡେନ ବାବାର ଆଉ ଏକ ଦାମୀ କାର

ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଜ୍ୟୋତିରଞ୍ଜନ ବେଉରା ଓରଫ ଗୋଲଡେନ ବାବାର ଏକ ଦାମୀ ବିଏମଡବ୍ଲ୍ୟୁ କାରକୁ ଜବତ କରିଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଭୁବନେଶ୍ୱରରେ ଥିବା ଏକ ଘରୋଇ ହସ୍ପିଟାଲରେ ପାର୍କିଂରୁ ଏହି ଗାଡ଼ିକୁ ଠାବ କରି ପରବର୍ତ୍ତୀ ସମୟରେ ଜବତ କରିଛି। ସୂଚନାଯୋଗ୍ୟ, ବିନା ନମ୍ବର ପ୍ଲେଟରେ ଗାଡିଟିକୁ ଜବତ କରାଯାଇଛି।

ଜବତ ବିଏମବ୍ଲ୍ୟୁ କାରର ମୂଲ୍ୟ ପ୍ରାୟ ଏକ କୋଟି ଟଙ୍କା ହେବ ବୋଲି ଇଡି ଆକଳନ କରିଛି। ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ୨୦୦୨ (ପିଏମ୍ଏଲ୍ଏ) ଅନୁଯାୟୀ ଏହି ଜବତ କରାଯାଇଛି।

ତେବେ ଗୋଲଡେନ୍ ବାବାଠୁ ଜବତ ହୋଇଥିବା ଏହା ପ୍ରଥମ ଦାମୀ କାର ନୁହେଁ। ଏହା ପୂର୍ବରୁ ୨୦୨୩ ଏପ୍ରିଲ ୨୭ରେ ଭୁବନେଶ୍ୱର ସିଆରପିଏଫ୍ ଅଞ୍ଚଳରୁ ଏକ ଅଡି କାରକୁ ଜବତ କରିଥିଲା ଇଡି। ଜ୍ୟାତିରଞ୍ଜନ ବେଉରା ୫୧ ଲକ୍ଷ ଟଙ୍କାରେ କଣିଥିବା ଏହି ସେକେଣ୍ଡ ହ୍ୟାଣ୍ଡ ଅଡି କାରର ମୂଲ୍ୟ ପ୍ରାୟ ୭୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା।

ପ୍ରାୟ ୩ ବର୍ଷ ତଳେ ଜାମିନରେ ମୁକୁଳିଥିବା ଗୋଲଡେନ୍ ବାବା ସେବେଠାରୁ କର୍ତ୍ତୃପକ୍ଷଙ୍କୁ ଚକମା ଦେଇ ଫେରାର୍ ହୋଇଯାଇଛି। କେନ୍ଦୁଝର ଜିଲ୍ଲାର ଜଣେ ବ୍ୟକ୍ତିଙ୍କୁ ଠକେଇ କରିଥିବା ଅଭିଯୋଗରେ ତାକୁ ପ୍ରଥମେ ୨୦୧୮ ଡିସେମ୍ବର ୩୧ରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁରରୁ କମିସନରେଟ୍ ପୁଲିସ ଗିରଫ କରିଥିଲା। ଫାଇନାନ୍ସ କମ୍ପାନୀରୁ ଋଣ ନେଇ ସୁରକ୍ଷିତ ରଖିବାର ପ୍ରତିଶ୍ରୁତି ଦେଇ ଏହି ଠକମାନେ ଅନେକ କମ୍ପାନୀକୁ ଠକିଥିଲେ।

ପୂର୍ବରୁ କ୍ରାଇମବ୍ରାଞ୍ଚର ଇକୋନୋମିକ୍ ଅଫେନ୍ସ ଓ୍ୱିଙ୍ଗ୍ (ଇଓଡବ୍ଲ୍ୟୁ) ଗୋଲଡେନ୍ ବାବା ନାମରେ ଥିବା ଦୁଇଟି ଆର୍ଥିକ ଠକେଇ ମାମଲାର ଯଥାକ୍ରମେ ୧୨ କୋଟି ୪ ଲକ୍ଷ ଓ ୪ କୋଟି ୫ ଲକ୍ଷ ଟଙ୍କାର ତଦନ୍ତ କରିଥିଲା। ଗୋଟିଏ ଘଟଣାରେ ସେ ୧୧୦ କୋଟି ଟଙ୍କାର ଋଣ ସୁଝିଦେବା ବାହାନାରେ ଏକ ଖଣି କମ୍ପାନୀରୁ ମୋଟ ୧୨ଟି ଚେକ୍ ୧୨ କୋଟି ୪ ଲକ୍ଷ ଟଙ୍କା ହାସଲ କରିଥିଲେ।

ତଦନ୍ତ ବେଳେ ଗୋଲଡେନ୍ ବାବା ଦ୍ୱାରା ହୋଇଥିବା ଜାଲିଆତିକୁ ମଧ୍ୟ ଇଓଡବ୍ଲ୍ୟୁ ଖୋଲିଥିଲା, ଯେଉଁଥିରେ ଥାନେର ଏକ ଘରୋଇ ହସ୍ପିଟାଲ ସହ ୨୦୦ କୋଟି ଟଙ୍କାର ଆର୍ଥିକ କାରବାର ସାମିଲ ରହିଛି, ମୁମ୍ବାଇ, ହାଇଦ୍ରାବାଦରେ ଇଞ୍ଜିନିୟରିଂ କନଷ୍ଟ୍ରକସନ୍ ଲିମିଟେଡ୍ ସହ ୩୦୦ କୋଟି ଟଙ୍କାର ଚୁକ୍ତି ଏବଂ ଭୁବନେଶ୍ୱରରେ ଜେକେ ମେଡିକାଲ ସିଷ୍ଟମ ସହ ୫୦ କୋଟି ଟଙ୍କାର ଚୁକ୍ତି ସାମିଲ ଥିଲା। ଏହି ଠକେଇକାରୀ ଜଣକ ଅନ୍ୟ ୪ରୁ ୫ଟି କମ୍ପାନିରୁ ପୋଷ୍ଟ ଡେଟେଡ୍ ଚେକ୍ ଜରିଆରେ ୧୦୦ କୋଟି ଟଙ୍କା ସଂଗ୍ରହ କରିଥିଲେ।

ଏତଦ ବ୍ୟତୀତ ଇଓଡବ୍ଲୁ ଗୋଲଡେନ୍ ବାବାର ୭ଟି ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିଦେଇଛି, ଯେଉଁଥିରେ ୫୧ ଲକ୍ଷ ଟଙ୍କା ଜମା ଥିଲା। ଏଥିସହିତ ପ୍ରାୟ ୪୦ ଲକ୍ଷ ଟଙ୍କା ମୂଲ୍ୟର ଦେଢ଼ କିଲୋ ସୁନା ଜବତ ହୋଇଛି। ଏହା ମଧ୍ୟ ଜଣାପଡ଼ିଥିଲା ଯେ, ଏହି କନମ୍ୟାନ ପାଖରେ ଚାରିଟି ବିଳାସପୂର୍ଣ୍ଣ କାର୍ ଥିଲା। ବର୍ତ୍ତମାନ ରାଜ୍ୟର ବିଭିନ୍ନ ଥାନାରେ ଗୋଲଡେନ୍ ବାବା ବିରୋଧରେ ମୋଟ ୧୯ଟି ମାମଲା ବିଚାରାଧୀନ ରହିଛି। ଅଧିକାରୀମାନେ ପଳାତକକୁ ଖୋଜିବା ଜାରି ରଖିଥିବା ବେଳେ ତାର ଆର୍ଥିକ କାରବାର ଉପରେ ଇଡିର ତଦନ୍ତ ଜାରି ରହିଛି।

Leave A Reply

Your email address will not be published.